ଓଡ଼ିଶାଲାଇଭ୍ ବ୍ୟୁରୋ
ଛାତ୍ରଛାତ୍ରୀଙ୍କ ଗହଣରେ ତଳେ ବସି ସୁନ୍ଦରଗଡ଼ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ମଧ୍ୟାହ୍ନଭୋଜନ ଖାଇଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କୁ ଆଜି ନୂଆ ରୂପରେ ଦେଖିବାକୁ ମିଳିଛି। ଜିଲ୍ଲାପାଳ ଅଫିସ୍ ଛାଡ଼ି ସେ ଅଚାନକ କୁତ୍ରା ବ୍ଲକର ଅମାଗୋଭା ଉଚ୍ଚ ପ୍ରାଥମିକ ସ୍କୁଲକୁ ଆସିଥିଲେ। ସ୍କୁଲରେ କେମିତି ପାଠପଢ଼ା ଚାଲିଛି ଏବଂ ମଧ୍ୟାହ୍ନଭୋଜନ ବ୍ୟବସ୍ଥା କିପରି ଚାଲିଛି ତାର ତଦାରଖ କରିଥିଲେ।
ଜିଲ୍ଲାପାଳ ସ୍କୁଲକୁ ଆସି ବିଭିନ୍ନ ଶ୍ରେଣୀକୁ ଯାଇଥିଲେ। ପାଠପଢ଼ା ଅନୁଧ୍ୟାନ କରିବା ସହ ପିଲାଙ୍କୁ ନିଜେ ପାଠ ପଢ଼ାଇଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଖାଲି ସେତିକି ନୁହେଁ, ମଧ୍ୟାହ୍ନଭୋଜନ ସମୟରେ ଜିଲ୍ଲାପାଳ ପିଲାଙ୍କ ମେଳରେ ବସିଥିବା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀଙ୍କ ସହ ତଳେ ବସି ଜିଲ୍ଲପାଳ ମଧ୍ୟାହ୍ନଭୋଜନ ମଧ୍ୟ ଖାଇଥିଲେ। ଜିଲ୍ଲାପାଳଙ୍କର ଏହି ନିଆରା ଷ୍ଟାଇଲରେ ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇଯାଇଥିଲେ।
ଜିଲ୍ଲାପାଳଙ୍କ ସାଙ୍ଗରେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ଏବଂ ଅତିରିକ୍ତ ଏସ୍ପି ରବି ନାରାୟଣ ବାରିକ ମଧ୍ୟ ମଧ୍ୟାହ୍ନଭୋଜନ ଖାଇଥିଲେ।
“ସ୍କୁଲରେ ରନ୍ଧା ଯାଉଥିବା ମଧ୍ୟାହ୍ନଭୋଜନର ମାନ ତଦାରଖ କରିବା ପାଇଁ ଜିଲ୍ଲାପାଳ ଆମାଗୋଭା ସ୍କୁଲକୁ ଆଚାନକ ପରିଦର୍ଶନରେ ଆସିଥିଲେ। ପିଲାଙ୍କ ମେଳରେ ବସି ମଧ୍ୟାହ୍ନଭୋଜନ ନିଜେ ଖାଇଥିଲେ। ଏହାଦ୍ୱାରା ପିଲାମାନେ ଉତ୍ସାହିତ ହୋଇଛନ୍ତି। ଜିଲ୍ଲାପାଳଙ୍କର ଏହି ଗସ୍ତ ଅନ୍ୟ ସ୍କୁଲ ଉପରେ ମଧ୍ୟ ପ୍ରଭାବ ପକାଇବ”, କହିଛନ୍ତି ଧ୍ରୁବ ଚରଣ ବେହେରା।
କିଛିଦିନ ତଳେ ପୁରୀ ଜିଲ୍ଲାପାଳ ଅରବିନ୍ଦ୍ର ଅଗ୍ରୱାଲ ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ବନ ବିଦ୍ୟାଳୟକୁ ଆସି ପିଲାମାନଙ୍କୁ ପାଠ ପଢ଼ାଇଥିଲେ। ସ୍କୁଲ ପରିବେଶକୁ ସ୍ୱଚ୍ଛ ଏବଂ ସବୁଜ ରଖିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।








ଛାତ୍ରଛାତ୍ରୀଙ୍କ ଗହଣରେ ତଳେ ବସି ସୁନ୍ଦରଗଡ଼ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ମଧ୍ୟାହ୍ନଭୋଜନ ଖାଇଛନ୍ତି।









