ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା କେବେ ବି ଗର୍ଭବତୀ ହୋଇ ନ ଥିଲେ ବୋଲି ତାମିଲନାଡୁ ସରକାର ମାଡ୍ରାସ ହାଇକୋର୍ଟକୁ ଜଣାଇଛନ୍ତି। 

ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା କେବେ ଗର୍ଭବତୀ ହୋଇ ନ ଥିଲେ ତାମିଲନାଡୁ ସରକାର ମାଡ୍ରାସ ହାଇକୋର୍ଟକୁ ଜଣାଇଛନ୍ତି। ଏ ନେଇ ମାଡ୍ରାସ ହାଇକୋର୍ଟରେ ଗତକାଲି ତାମିଲନାଡୁ ସରକାର  ୧୯୮୦ରେ ରେକର୍ଡ ହୋଇଥିବା ଫିଲ୍ମଫେୟାର ଆୱାର୍ଡର ଏକ ଭିଡିଓ ଉପସ୍ଥାପନ କରିଥିଲେ।

ବେଙ୍ଗାଳୁରର ଅମୃତା ନାମକ ଜଣେ ଯୁବତୀ ନିଜକୁ ଜୟଳଳିତାଙ୍କ ଝିଅ ବୋଲି ଦାବି କରି ମାଡ୍ରାସ ହାଇକୋର୍ଟରେ ଏକ ମାମଲା ଋଜୁ କରିଛନ୍ତି।

ଏହି ମାମଲାର ଶୁଣାଣି ବେଳେ  ତାମିଲନାଡ଼ୁ ଆଡ୍‌ଭୋକେଟ୍‌ ଜେନେରାଲ ବିଜୟ ନାରାୟଣ କୋର୍ଟରେ କହିଛନ୍ତି, “ଜୟଲଳିତା କେବେ ଗର୍ଭବତୀ ହୋଇ ନଥିଲେ। ତେଣୁ କେବଳ ସମ୍ପତ୍ତି ହାତେଇବା ପାଇଁ ନିଜକୁ  ଜୟଳଳିତାଙ୍କ ଜନ୍ମିତ କନ୍ୟା ବୋଲି ଦାବି କରୁଛନ୍ତି ଆବେଦନକାରୀ”।

ସେହିପରି ଆଡଭୋକେଟ୍‌ ଜେନେରାଲ  ବିଜୟ ନାରାୟଣ କୋର୍ଟରେ କହିଛନ୍ତି, “ଯଦି ସେ ତାଙ୍କ ଜନ୍ମିତ ସନ୍ତାନ ତେବେ ତାଙ୍କ ସହିତ ଜୟଳଳିତାଙ୍କର କୌଣସି ଫଟୋ ନାହିଁ କିପରି? ସେହିପରି ଜୟଲଳିତାଙ୍କ ଅନ୍ୟ ରକ୍ତ ସମ୍ପର୍କୀୟମାନେ ଅଛନ୍ତି। ତେଣୁ ସେମାନଙ୍କ ସହିତ ଆବେଦନକାରିଣୀ ଅମୃତାଙ୍କ ଡିଏନଏ ନମୂନା ତୁଳନା କରାଯାଇପାରେ।”

୨୦୧୬ରେ ଦୀର୍ଘ ଦିନର ଅସୁସ୍ଥତା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଅମୃତା ନାମକ ଜଣେ ମହିଳା ନିଜକୁ ଜୟଲଳିତାଙ୍କ ଝିଅ ବୋଲି ଦର୍ଶାଇଥିଲେ ଓ ଏନେଇ ଦାବି ଉପସ୍ଥାପନ କରିଥିଲେ।

ପରେ ଏହି ମାମଲା ମାଡ୍ରାସ ହାଇକୋର୍ଟରେ ପହଞ୍ଚିଥିଲା। ଅନୁମତି ଦାବି କରିଥିଲେ ଯେ ତାଙ୍କ ଜନ୍ମ ୧୯୮୦ ଅଗଷ୍ଟ ୧୪ରେ ହୋଇଥିଲା। ଏ କ୍ରମରେ ରାଜ୍ୟ ସରକାର କୋର୍ଟରେ ନିଜ ପକ୍ଷ ରଖି କହିଥିଲେ ଯେ ୧୯୮୦ରେ ଜୟଲଳିତା ଗର୍ଭବତୀ ହୋଇନଥିଲେ। ଏଥିନିମନ୍ତେ ତାମିଲନାଡୁ ସରକାର କୋର୍ଟରେ ୧୯୮୦ ମସିହା ଫିଲ୍ମଫେୟାର ଭିଡ଼ିଓ ଉପସ୍ଥାପନ କରିଥିଲେ।

ଏହି ଭିଡ଼ିଓରେ ଜୟଲଳିତା ଗର୍ଭବତୀ ଥିବା ପରି ଲାଗୁନାହାନ୍ତି। ତେଣୁ ତାଙ୍କର କିପରି ୧୯୮୦ରେ ଝିଅ ଜନ୍ମ ହେଲା ବୋଲି ତାମିଲନାଡୁ ସରକାର ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ମାମଲାର ଆସନ୍ତା ଶୁଣାଣି ଜୁଲାଇ ୩୧ରେ ହେବାକୁ ଧାର୍ଯ୍ୟ କରାଯାଇଛି।

Comment