ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ର ଔରଙ୍ଗାବାଦରୁ ମୟାନଗରୀ ମୁମ୍ବାଇକୁ ଡେଇଁଛି ସଂରକ୍ଷଣ ନିଆଁ। ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ୧୬ ପ୍ରତିଶତ ସଂରକ୍ଷଣ ଦାବିରେ ମରାଠା ସମ୍ପ୍ରଦାୟ ପକ୍ଷରୁ ଆରମ୍ଭ ହୋଇଥିବା ବିକ୍ଷୋଭରେ ମୟାନଗରୀ ଆଜି ପୂରା ଠପ୍ ହୋଇଯାଇଛି।

ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମୁମ୍ବାଇ ବନ୍ଦ ଡାକରା ଦିଆଯାଇଥିଲା। ସକାଳୁ ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା। ହେଲେ ଅପରାହ୍ଣ ୩ଟା ପରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନେ ଥାନେରେ ବସ୍‌ ଓ ଟ୍ରେନ୍  ଅଟକାଇବା ସହ ରେଳ ଧାରଣାରେ ବସି ରହିଥିଲେ। ଫଳରେ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ଯାତ୍ରୀମାନେ ଷ୍ଟେସନରେ ହନ୍ତସନ୍ତ ହୋଇଥିଲେ।

ଆନ୍ଦୋଳନକାରୀମାନେ ଘାନସୋଲିଠାରେ ଯାତ୍ରୀବାହୀ ବସ୍ ଓ କାର୍‌କୁ ଭଙ୍ଗାରୁଜା କରିଥିଲେ। ଲାଲ୍‌ବାଗଠାରେ ମରାଠା ଆନ୍ଦୋଳନକାରୀ ବିଭିନ୍ନ ଦୋକାନ ବଜାରକୁ ଜୋରଜବରଦସ୍ତ ବନ୍ଦ କରିଥିଲେ।

ଆନ୍ଦୋଳନକାରୀମାନେ ଶିବାଜୀ ଚୌକ୍‌ଠାରେ ରାସ୍ତାରୋକ କରିଥିଲେ। ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲେ ହେଁ ମୁମ୍ବାଇ ସ୍ୱାଭାବିକ ହୋଇନି।

ନଭି ମୁମ୍ବାଇରେ ସ୍କୁଲ, କଲେଜ ବନ୍ଦ ରହିଥିଲା। ଖାଲି ସେତିକି ନୁହେଁ, ଆନ୍ଦୋଳନକାରୀମାନେ କିଛି ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଦୁଇ ଜଣ ଆନ୍ଦୋଳନକାରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

ବିକ୍ଷୋଭକାରୀମାନେ ଜୋରଦାର ହିଂସାକାଣ୍ଡ ଘଟାଇବାରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲାଠିମାଡ଼ କରିଥିଲା। ପରିସ୍ଥିତି ନିୟନ୍ତ୍ରଣ ନହେବାରୁ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଥିଲା ପୋଲିସ୍।

Comment