ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗ୍ନିଶମ ବିଭାଗ କର୍ମଚାରୀମାନେ କୁଆଖାଇ ନଦୀରେ ବୁଡ଼ି ଯାଇଥିବା ଦୁଇ ଛାତ୍ରଙ୍କୁ ଖୋଜାଖୋଜି କରୁଥିବା ବେଳେ ଜଣେ ମହିଳାଙ୍କୁ ଉଦ୍ଧାର କରଯାଇଛି

ସ୍କୁଲକୁ ଆସି କୁଆଖାଇ ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ୨ ଛାତ୍ରଙ୍କ ମଧ୍ୟରୁ ଜଣଙ୍କର ପତ୍ତା ମିଳିଛି। ପତ୍ତା ମିଳିଥିବା ଛାତ୍ର ଜଣଙ୍କୁ କ୍ୟାପିଟାଲ ହସପିଟାଲ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟଜଣେ ନିଖୋଜ ଛାତ୍ରଙ୍କୁ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ୍‌ ଖୋଜୁଛନ୍ତି।

ଛାତ୍ରଙ୍କୁ ଖୋଜିବା ବେଳେ ଜଣେ ମହିଳା ଉଦ୍ଧାର ହୋଇଛନ୍ତି। ନଦୀ ସ୍ରୋତରେ ଭାସି ଯାଉଥିବା ବେଳେ ମହିଳାଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିବା ସୂଚନା ମିଳିଛି। ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଛି।

ଭୁବନେଶ୍ୱର ୯ ନମ୍ବର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀର ୬ଜଣ ଛାତ୍ର ସକାଳେ କୂଆଖାଇ ନଦୀକୂଳରେ ସାଇକେଲ ରଖି ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ବୁଡ଼ି ଯାଇଥିଲେ।

ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଭରା ନଈରେ ପଶି ଭାସିଯାଉଥିବା ଛାତ୍ରମାନଙ୍କୁ ମଧ୍ୟରୁ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟଜଣଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ଜୋରସୋର ଉଦ୍ୟମ ଚଳାଇଛି।

ତେବେ ନିଖୋଜ ଛାତ୍ରମାନଙ୍କୁ ଖୋଜୁଥିବା ବେଳେ କୁଆଖାଇ ପୋଲରୁ ଡେଇଁ ପଡ଼ିଥିବା ଜଣେ ମହିଳାଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ସେ ଜଣେ ହୋମ ଗାର୍ଡ ଓ ସ୍ଥାନୀୟ ମଞ୍ଚେଶ୍ୱର ଥାନାରେ ସେ ଚାକିରି କରନ୍ତି। ମହିଳା ଜଣଙ୍କ ନଦୀ ଭିତରକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି।

Comment