ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପାଇଁ ମାଇଲଖୁଣ୍ଟ ସାଜିବ ଆଗାମୀ ହକି ବିଶ୍ଵକପ। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ଵକପ ହକିର ପ୍ରଚାର ପ୍ରସାର ସୁଦୂର ଲଣ୍ଡନରେ କରାଯାଉଛି।
- ନଭେମ୍ବର ୨୮ରୁ ଡିସେମ୍ବର ୧୬ ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ହେବ ପୁରୁଷ ବିଶ୍ୱକପ୍ ହକି
- ଏଥିପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା
- ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସରକାରଙ୍କ ଅଭିନବ ପଦକ୍ଷେପ
- ପୁରୁଷ ହକି ବିଶ୍ଵକପ ପାଇଁ ଲଣ୍ଡନରେ କରାଯାଉଛି କ୍ୟାମ୍ପେନ
- ବିଦେଶୀ ଖେଳାଳିଙ୍କ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଛି ଅଭିଯାନ
- ଏହି ଅଭିଯାନର ନାଁ ‘ଓଡ଼ିଶା ବାଏ ମର୍ଣ୍ଣିଂ, ହକି ବାଏ ଇଭିନିଂ’
- ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ବ୍ରିଟେନର ବସ୍ଗୁଡ଼ିକରେ ଲାଗିଛି ପୋଷ୍ଟର
ହକି ବିଶ୍ଵକପ ପାଇଁ ପ୍ରସ୍ତୁତ ଓଡ଼ିଶା। ଏହି ମହାକୁମ୍ଭ ପାଇଁ ସଜେଇ ହେଉଛି କଳିଙ୍ଗ ଷ୍ଟାଡିୟମ। ଏଥିପାଇଁ ଚାଲିଛି ଜୋରସୋର ପ୍ରଚାରପ୍ରସାର। ସୁଦୂର ଲଣ୍ଡନରେ ଆୟୋଜିତ ହେଉଥିବା ମହିଳା ହକି ବିଶ୍ୱକପରେ ଭୁବନେଶ୍ୱରରେ ଆୟୋଜିତ ପୁରୁଷ ହକି ବିଶ୍ଵକପ ପାଇଁ କରାଯାଉଛି କ୍ୟାମ୍ପେନ।
ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ପୁରୁଷ ବିଶ୍ୱକପ୍ ଚାମ୍ପିୟନସିପ୍ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ସାରାବିଶ୍ଵର ନଜର ବର୍ତ୍ତମାନ ଓଡିଶା ଉପରେ ରହିଛି। ଏହି ବିଶ୍ୱକପ୍ ଯୋଗୁଁ ପୁଣିଥରେ କ୍ରୀଡ଼ାଜଗତରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଛୁଇଁବ।
ଏହି କ୍ରୀଡ଼ା ଜରିଆରେ ସାରା ବିଶ୍ୱରେ ଓଡ଼ିଶାର ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।
ଲଣ୍ଡନ ସମେତ ସାରା ବ୍ରିଟେନରେ ଚାଲୁଥିବା ବସ ଗୁଡ଼ିକରେ ଏବେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ପୋଷ୍ଟରଗୁଡ଼ିକ ଲାଗିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ଏହି ବିଜ୍ଞାପନ ଦେଇଥିବା ଜଣାପଡ଼ିଛି। ଲଣ୍ଡନରେ ଚାଲିଥିବା ବିଭିନ୍ନ ବସରେ ବିଶ୍ଵକପ ହକିର ଚିହ୍ନ ଥିବା ଲୋଗୋ ଲାଗିଛି।
ଲଣ୍ଡନ୍ର ବିଭିନ୍ନ ପ୍ରମୁଖ ସ୍ଥାନ ସହ ବିମାନବନ୍ଦରକୁ ଯାଉଥିବା ବସ୍ରେ ଏହି ବିଜ୍ଞାପନ ଲଗାଯାଇଛି। ରାଜ୍ୟ ସରକାର ଆରମ୍ଭ କରିଥିବା ଏହି ଅଭିଯାନର ନାଁ ‘ଓଡ଼ିଶା ବାଏ ମର୍ଣ୍ଣିଂ, ହକି ବାଏ ଇଭିନିଂ’ ନାମରେ ଚାଲିଛି ଲଣ୍ଡନରେ ପ୍ରଚାର।
ହକି ବିଶ୍ଵକପ୍ ସମୟରେ କେବଳ ଯେ ଖେଳାଳିମାନେ ଓଡ଼ିଶା ଆସିବେ, ତାହା ନୁହେଁ। ଏହି ସମୟରେ ବହୁ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଆସିବେ। ସେମାନେ ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳ ମଧ୍ୟ ବୁଲି ଦେଖିବାର ସୁଯୋଗ ପାଇବେ। ତେଣୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳ ସମ୍ପର୍କରେ ବିଦେଶୀ ଦର୍ଶକଙ୍କୁ ଆକୃଷ୍ଟ କରାଇବା ପାଇଁ ରାଜ୍ୟ ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି।
Our preparation for Odisha Hockey Men’s World Cup has now made its way to London! Sporting the Odisha logo & glimpses of our tourism potential, the buses in the British capital are introducing Odisha to the world, as a sports capital & hosts of #HWC2018 #Odisha2018 https://t.co/yqNoagBFFe
— Naveen Patnaik (@Naveen_Odisha) July 27, 2018
ଲଣ୍ଡନରେ ଏଭଳି ପ୍ରମୋସନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟୁଇଟରରେ ଲେଖିଛନ୍ତି, “ବିଶ୍ୱକପ୍ ହକି ଆୟୋଜନକୁ ନେଇ ଆମର ପ୍ରସ୍ତୁତିର ଖବର ଲଣ୍ଡନରେ ପହଞ୍ଚିଲାଣି। ଲଣ୍ଡନ ବସ୍ରେ ଓଡ଼ିଶାର ଲୋଗୋ ଏବଂ ଆମର ପର୍ଯ୍ୟଟନର ଝଲକ ପ୍ରଦର୍ଶିତ ହେବା ଦ୍ୱାରା ବିଶ୍ୱସ୍ତରରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ମିଳିଛି। ଏହା ସହିତ କ୍ରୀଡ଼ା ରାଜଧାନୀ ତଥା ହକି ବିଶ୍ୱକପ୍ ଆୟୋଜକ ଭାବେ ଓଡ଼ିଶାର ସମ୍ମାନ ବଢ଼ିଛି”।
ବିଶ୍ୱକପ୍ ହକିକୁ ସବୁଜ ବିଶ୍ୱକପ୍ ହକି ଭାବେ ପ୍ରଚାରିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଏକ ବୃହତ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କ୍ରମରେ କଳିଙ୍ଗ ଷ୍ଟାଡିୟମରେ ବୃକ୍ଷରୋପଣ କରାଯାଇଛି।
ଗତବର୍ଷ ଓଡ଼ିଶା ୨୨ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍ ଓ ହକି ଖେଳର ୱାର୍ଲ୍ଡ ଲିଗକୁ ସଫଳତାର ସହ ଆୟୋଜନ କରି ସାରା ବିଶ୍ୱରେ ଖୁବ୍ ପ୍ରଶଂସା ସାଉଁଟି ଥିଲା।
















