ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‍କେ ସୁପ୍ରିମୋ କରୁଣାନିଧିଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି।

ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସଭାପତି ଏମ୍ କରୁଣାନିଧି ଅସୁସ୍ଥ। ରକ୍ତଚାପ ହ୍ରାସ ଯୋଗୁଁ ଗତକାଲି ମଧ୍ୟରାତ୍ରରେ ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲିଠୁ ସେ ଆଇସିୟୁରେ ଅଛନ୍ତି। ବର୍ତ୍ତମାନ ତାଙ୍କର ରକ୍ତଚାପ ସ୍ଥିର ରହିଥିବା ମେଡିକାଲ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରୁ ସୂଚନା ମିଳିଛି। ଦକ୍ଷ ଡାକ୍ତରୀ ଦଳଙ୍କ ଦ୍ୱାରା ତାଙ୍କ ଚିକିତ୍ସା ଚାଲିଥିବା ସୂଚନା ଦିଆଯାଇଛି।

କରୁଣାନିଧିଙ୍କ ଘର ଓ କାବେରୀ ହସ୍ପିଟାଲ ସାମ୍ନାରେ ସମର୍ଥକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ଅନେକ ସମର୍ଥକଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଏପଟେ ଅଯଥାରେ କୌଣସି ଗୁଜବ ପ୍ରଚାର ଉପରେ ବିଶ୍ୱାସ ନ କରିବାକୁ କରୁଣାନିଧିଙ୍କ ପୁଅ ଏମ୍‌କେ ଷ୍ଟାଲିନ୍‌ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ପରାମର୍ଶ ଦେଇଛନ୍ତି।

କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଏମ୍‌କେ ଷ୍ଟାଲିନ୍‌ ଓ କାନିମୋଝିଙ୍କଠୁ ପଚାରି ବୁଝିଛନ୍ତି।

୫ଥର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ହୋଇଥିବା ୯୪ ବର୍ଷୀୟ କରୁଣାନିଧି ଗତ କିଛି ଦିନ ଧରି ରୋଗ ଓ ସଂକ୍ରମଣରେ ପୀଡିତ ଅଛନ୍ତି। ତାଙ୍କୁ ସର୍ବସାଧାରଣରେ ମଧ୍ୟ ଖୁବ୍‌ କମ୍‌ ଦେଖିବାକୁ ମିଳୁଛି।

ଅନେକ ରାଜନେତା ତାଙ୍କ ବାସଭବନକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି। ବହୁ ରାଜନୈତିକ ଦଳର ନେତାମାନେ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comment