ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଉତ୍ତର-ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୯ଟି ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ହେବାର ଆଶଙ୍କା ରହିଛି।
ଓଡ଼ିଶାର ଉତ୍ତର-ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସମୁଦ୍ର ପତ୍ତନଠାରୁ ୫.୮ରୁ ୭.୬ କିମି ଉପରେ ରହିଛି। ସେହିପରି ବିହାରର ପୂର୍ବଭାଗ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଉପରେ ଥିବା ଘୂର୍ଣ୍ଣିବଳୟ ୪୮ ଘଣ୍ଟା ଭିତରେ ଲଘୁଚାପର ରୂପ ନେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହାର ପ୍ରଭାବରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ବଲାଙ୍ଗିର,ସୋନପୁର, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଆଦି ୯ଟି ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ହେବାର ଆଶଙ୍କା ରହିଛି।
ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ଜିଲ୍ଲାର ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଗତ କିଛି ଦିନ ହେବ ରାଜର ବିଭିନ୍ନ ଜିଲ୍ଲାରେ ମୌସୁମୀଜନିତ ବର୍ଷା ସାଙ୍ଗକୁ ଲଘୁଚାପ ବଷାଲାଗି ରହିଛି। ଏହି ସମୟରେ ବଜ୍ରପାତ ଘଟି ବହୁ ଲୋକଙ୍କର ପ୍ରାଣହାନୀ ଘଟିଛି।
ତେଣୁ ପାଣିପାଗ ବିଭାଗ ପକ୍ଷରୁ ଜନସାଧାଣରଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବର୍ଷା, ଘୁର୍ଣ୍ଣିଝଡ଼ ଓ ବଜ୍ରପାତ ନେଇ ବିଭିନ୍ନ ସମୟରେ ସତର୍କ ସୂଚନା ଜାରି କରାଯାଉଛି। ଏହି କ୍ରମରେ ଆଜି ରାଜ୍ୟର ପଶ୍ଚିମାଞ୍ଚଳ ବିଶେଷ କରି ପଶ୍ଚିମ ଓ ପଶ୍ଚିମ-ଦକ୍ଷିଣ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତର ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ରବିବାର ଅପରାହ୍ଣ ୫.୩୦ ସୁଦ୍ଧା ଝାରସୁଗୁଡ଼ାରେ୨୫ ମିମି, ସମ୍ବଲପୁରରେ ୧୯ମିମି, ଫୁଲବାଣୀରେ ୨୬ମିମି ଓ ସୋନପୁରରେ ୧୭ ମିମି ବର୍ଷା ରେକର୍ଡ଼ କରାଯାଇଛି।
୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିରେ ବର୍ଷାର ସମ୍ଭାବନା ରହିଛି। ତେବେ ଏହି ସମୟରେ ବାଲେଶ୍ୱର, ସୁନ୍ଦରଗଡ଼ ଓ ମୟୂରଭଞ୍ଜର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
୩୦ ଓ ୩୧ ତାରିଖରେ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ମୟୂରଭଞ୍ଜ ଜିଲାରେ ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବୁର୍ଲା, ରେଙ୍ଗାଲି, ବୀରମହାରାଜପୁର, ଅମ୍ବାଭୋନା ଓ ଲହୁଣୀପଡ଼ାରେ ସର୍ବାଧିକ ୩୦ ମିମିରୁ ଅଧିକ ବର୍ଷା ହୋଇଛି।
















