ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ଆଉ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। କିନ୍ତୁ ମେ’ ପହିଲାରୁ ତାପମାତ୍ରାରେ ହ୍ରାସ ହୋଇ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ବଙ୍ଗୋପସାଗର ମଧ୍ୟରୁ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ପୂର୍ଣ୍ଣ ବାୟୁ ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବାନା ରହିଥିବା କହୁଯାଇଛି।

ଅନ୍ୟ ପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ମେ’ ୪ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଏହା ପ୍ରଭାବରେ ମେ’ ୫ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ସମୁଦ୍ର ଓ ବାୟୁମଣ୍ଡଳରେ ଅନୁକୂଳ ପରିସ୍ଥିତି ଥିବା ଯୋଗୁଁ ଲଘୁଚାପ ଶୀଘ୍ର ଘନୀଭୂତ ହେବାର ସମ୍ଭାବନା ରହିଛି।

ଫଳରେ ମେ’ ୬ ତାରିଖରେ ଅବପାତ ଓ ୭ ତାରିଖରେ ବାତ୍ୟାର ରୂପ ନେଇ ମେ’ ୮ ତାରିଖରେ ବାତ୍ୟା ହେବାର ସମ୍ଭାବନା ରହିଛି। ମେ’ ୬ ତାରିଖ ପରେ ବାତ୍ୟା ଗତିପଥ ଉତ୍ତର-ପଶ୍ଚିମ କିମ୍ବା ପଶ୍ଚିମ-ଉତ୍ତର ଦିଗରେ ଗତି କରି ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ଯଦି ପାଣିପାଗ ବିଭାଗର ଆକଳନ ସଠିକ୍ ହୁଏ ତେବେ ମେ’ ୮ ତାରିଖ ରାତିରୁ ଉପକୂଳ ଓଡ଼ିଶାରେ ପାଗ ପରିବର୍ତ୍ତନ ହେବ। ଗୋପାଳପୁରରୁ ଆରମ୍ଭ କରି କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ।

Tags: #Weather #HeatWave #DeepDepression #Odisha #Summer #MetrologyDepartment

Comment