ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକଙ୍କୁ ବୋକା ବନଉଥିଲେ ଇଜିପ୍ଟ କାଇରୋରେ ଥିବା ଚିଡ଼ିଆଖାନା କର୍ତ୍ତୃପକ୍ଷ। ଗଧ ଦେହରେ ରଙ୍ଗ ବୋଳି କହୁଥିଲେ ଜେବ୍ରା ଦେଖ।

ବାଘ ନଦେଖିଲେ ବିଲେଇ ଦେଖ। ଏହି ଉକ୍ତି କେବଳ ବାଘ ଓ ବିଲେଇ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ହିଁ ଦର୍ଶାଏ। କିନ୍ତୁ ବିଲେଇ ଦେହରେ ରଙ୍ଗ ମାରି ବାଘ ବୋଲି କହି ଠକି ହେବନି। ହେଲେ ଇଜିପ୍ଟର ଚିଡ଼ିଆଖାନା କର୍ତ୍ତୃପକ୍ଷ ଏମିତି ରଙ୍ଗ ମାରି ଲୋକଙ୍କୁ ଠକୁଥିଲେ। ବିଲେଇ ଓ ବାଘର ସ୍ଥାନ ନେଇଥିଲେ ଗଧ ଓ ଜେବ୍ରା।

ଜେବ୍ରା ନଦେଖିଲେ ଗଧ ଦେଖ। ଗଧମାନଙ୍କ ଦେହରେ ରଙ୍ଗ ଲଗାଇ, ରଙ୍ଗିନ ପଟି ଆଙ୍କି, ସେମାନଙ୍କୁ ଜେବ୍ରା ବୋଲି କହି ଦର୍ଶକଙ୍କୁ ଠକୁଥିଲେ ଇଜିପ୍‌ଟର କାଇରୋରେ ଥିବା ଚିଡ଼ିଆଖାନା କର୍ତ୍ତୃପକ୍ଷ। ଗଧ ଓ ଜେବ୍ରା ମଧ୍ୟରେ ଥିବା ସାମଞ୍ଜସ୍ୟକୁ ପୁଞ୍ଜି କରି ଦର୍ଶକଙ୍କୁ ଆକର୍ଷିତ କରିବାକୁ ଉଦ୍ୟମରେ ସଫଳ ବି ହୋଇଥିଲେ। ଦର୍ଶକମାନେ ବି ହୁଏତ ଦୂରରୁ ଦେଖି ଗଧ କି ଜେବ୍ରା ଜାଣିପାରୁ ନ ଥିଲେ କିମ୍ବା ଏଭଳି ସନ୍ଦେହ କରିବାର କୌଣସି କାରଣ ହିଁ ନ ଥିଲା। କିନ୍ତୁ କାଇରୋର ଇଣ୍ଟରନ୍ୟାସନାଲ ଗାର୍ଡନ ଚିଡ଼ିଆଖାନା ବୁଲି ଯାଇଥିବା ଜଣେ ଛାତ୍ର ଏହା ଜାଣିପାରିଥିଲେ।

ମହମୁଦ ସାରହାନ୍‌ ନାମକ ଏହି ଛାତ୍ର ଜଣକ ଚିତ୍ରିତ ଗଧର ପାଟି ପାଖରେ ରଙ୍ଗ ଲେସି ହୋଇଥିବା ଦେଖି ଏହା ଜେବ୍ରା ନୁହେଁ ବୋଲି ଜାଣିପାରିଥିଲେ। ସେ ଏହି ନକଲି ଜେବ୍ରାର ଫଟୋ ଉଠାଇ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିବା ପରେ ଏହାକୁ ଅନେକ ଲୋକ ସେୟାର କରିଥିଲେ ଏବଂ କେଇ ଘଣ୍ଟା ମଧ୍ୟରେ ନକଲି ଜେବ୍ରାର ଫଟୋ ଭାଇରାଲ ହୋଇଥିଲା। ଏହି ପୋଷ୍ଟରେ ସାରହାନ୍‌ ଆରବୀୟ ଭାଷାରେ ଲେଖିଥିଲେ ଯେ, ଏ ଦେଶରେ ମୂର୍ଖତା ଏତେ ଦୂର ବ୍ୟାପି ଯାଇଛି ଯେ ସେମାନେ ଏକ ଗଧ ଦେହରେ ରଙ୍ଗ ଲଗାଇ ଏହାକୁ ଜେବ୍ରା ରୂପରେ ଉପସ୍ଥାପନ କରୁଛନ୍ତି।

ଏହାପରେ ଅନ୍ୟାନ୍ୟ ସୋସିଆଲ ମିଡିଆରେ ମଧ୍ୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଏଭଳି ନିର୍ବୋଧତାପୂର୍ଣ୍ଣ ଉଦ୍ୟମକୁ ତୀବ୍ର ସମାଲୋଚନା କରାଯାଇଥିଲା। କେତେକ ଏହାକୁ ଜୀବଜନ୍ତୁଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ କାର୍ଯ୍ୟରତ ‘ପେଟା’ ସଂଗଠନର ଦୃଷ୍ଟିକୁ ଆଣିଥିଲେ। କୌଣସି ସମ୍ବେଦନଶୀଳ ଅନୁଷ୍ଠାନ ନିରୀହ ଗଧ ଦେହରେ ରାସାୟନିକ ରଙ୍ଗ ଲଗାଇ ନିର୍ଯାତନା ଦେବା ଉଚିତ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା ଏବଂ ଅନେକ ଏହି ଚିଡ଼ିଆଖାନାକୁ ବର୍ଜନ କରିବା ପାଇଁ ସୋସିଆଲ ମିଡିଆରେ ଆହ୍ୱାନ ଦେଇଥିଲେ। ଅନ୍ୟପକ୍ଷରେ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଅସ୍ୱୀକାର କରିବା ସହ ଏହା ପ୍ରକୃତ ଜେବ୍ରା ବୋଲି ଦାବି କରିଥିଲେ।

ଗଧ ଦେହରେ ରଙ୍ଗ ଲଗାଇ ଏହାକୁ ଜେବ୍ରା ରୂପେ ଦର୍ଶକଙ୍କ ଆଗରେ ଉପସ୍ଥାପନ କରିବା ଘଟଣା ଏହା ପ୍ରଥମ ନୁହେଁ। ଏହା ପୂର୍ବରୁ ଗାଜାର ଏକ ଚିଡ଼ିଆଖାନାରେ ମଧ୍ୟ ଅନୁରୂପ ଉଦ୍ୟମ କରାଯାଇଥିଲା। ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଚିଡ଼ିଆଖାନାକୁ ନୂଆ ନୂଆ ଜୀବଜନ୍ତୁ ଅଣାଯାଇଥାଏ। କିନ୍ତୁ ପ୍ରକୃତ ଜେବ୍ରା ନ ଆଣି  ଗଧକୁ ଜେବ୍ରା ବୋଲି ଦର୍ଶାଇବା ଘଟଣା ଚିଡ଼ିଆଖାନା ଏବେ କାଇରୋରେ ଏହି ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

Comment