କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

ଗ୍ୟାଙ୍ଗଷ୍ଟର ଟିଟୋ-ହାଇଦର-ସୋଲେମନ୍। କେନ୍ଦ୍ରାପଡ଼ାର ଏହି ତିନି କୁଖ୍ୟାତ ଅପରାଧୀଙ୍କ ନାଁ ଶୁଣିଲେ ଥରହର ହେଉଥିଲା ସାରା ଓଡ଼ିଶା। ଦାଦାବଟି, ଟେଣ୍ଡର ଫିକ୍ସିଂ, ଅପହରଣ ଏବଂ ହତ୍ୟାକାଣ୍ଡରେ କେହି କାହାକୁ କମ୍ ନଥିଲେ। ହେଲେ ସୁଲେମାନର ହତ୍ୟା ଏବଂ ହାଇଦର ଜେଲ୍ ଯିବା ପରେ ଅପରାଧ ଦୁନିଆରେ ଚାଲିଥିଲା ଟିଟୋର ରାଜୁତି। ହେଲେ ଏବେ ଟିଟୋକୁ କବ୍‌ଜା କରିଛି କ୍ରାଇମବ୍ରାଞ୍ଚ୍ ଏସ୍‌ଟିଏଫ୍।

ଏହି ତିନି ଗ୍ୟାଙ୍ଗଷ୍ଟର କେମିତି କେନ୍ଦ୍ରାପଡ଼ାରୁ ସାରା ରାଜ୍ୟକୁ ଅପରାଧର ନେଟୱର୍କ ଲମ୍ବାଇଥିଲେ ଜାଣନ୍ତୁ ଏହି ରିପୋର୍ଟରୁ।

ଗୋଟିଏ ଗ୍ୟାଙ୍ଗରେ ଟିଟୋ-ହାଇଦର- ସୋଲେମନ୍

୧୯୮୯ ମସିହାର ଘଟଣା। କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆରେ ଏକ ଫୁଟବଲ୍ ମ୍ୟାଚରେ ଗଣ୍ଡଗୋଳକୁ ନେଇ ଟିଟୋକୁ ପୋଲିସ ଗିରଫ କରିଥିଲା। ଜେଲରେ ରହିବା ଭିତରେ ବହୁ ଅପରାଧିମାନଙ୍କ ସଂସ୍ପର୍ଷରେ ଆସିଥିଲା ଟିଟୋ। ଜେଲରୁ ବାହାରିବା ପରେ ଟିଟୋ ଅପରାଧ ଦୁନିଆରେ ପ୍ରବେଶ କରିଥିଲା।

ଗରାପୁର ଗ୍ରାମପଞ୍ଚାୟତର ସୁଜାନଗର ଗାଁର ଜଣାଶୁଣା ଅପରାଧି ରବିନ ବେହେରା ସହିତ ସାମିଲ ହୋଇ ଚୋରି, ରାହାଜାନୀ, ଦାଦାବଟି ଆଦି କାର୍ଯ୍ୟରେ ନିଜକୁ ସାମିଲ କରିଥିଲା ଟିଟୋ। ଫଳରେ ରବିନ ବେହେରା ଗ୍ୟାଙ୍ଗର କଳେବର ବୃଦ୍ଧି ପାଇବାକୁ ଲାଗିଲା। ଧିରେ ଧିରେ ଟ୍ରେକର ଡ୍ରାଇଭର ସେକ ହାଇଦର ଓ ମାଲିକ ସୋଲେମନ ଏହି ଗ୍ୟାଙ୍ଗରେ ସାମିଲ ହେଲେ।

ରବିନ୍ ବେହେରା ଗ୍ୟାଙ୍ଗରେ ଟିଟୋ-ହାଇଦର- ସୋଲେମନ ସାମିଲ ହେବା ପରେ ଜିଲ୍ଲାରେ ବଢିଲା ଅପରାଧ। ପୋଲିସ ଆଖିରୁ ନିଦ ହଜାଇଦେଲେ ଏହି ତିନି ଗ୍ୟାଙ୍ଗଷ୍ଟର। ହେଲେ ଟଙ୍କା ଭାଗବଣ୍ଟାକୁ ନେଇ ଆରମ୍ଭ ହେଲା ବିବାଦ। ଫଳରେ ବଳିପଡ଼ିଲା ଗ୍ୟାଙ୍ଗ ଲିଡର ରବିନ୍ ବେହେରା। ଗୁଲନଗର ଗାଁରେ ଗୁଳିକରି ରବିନ୍‌କୁ ହତ୍ୟା କରିବା ପରେ ହାଇଦର ଗ୍ୟାଙ୍ଗର ଲିଡର ବନିଗଲା।

ଟିଟୋ ଗଢ଼ିଲା ଅଲଗା ଗ୍ୟାଙ୍ଗ

୨୦୦୦ରୁ ୨୦୦୯ ମସିହା ମଧ୍ୟରେ ଅପରାଧ ପ୍ରବଣ ହୋଇଗଲା କେନ୍ଦ୍ରାପଡ଼ା। ମୟୁରୀ ଲୁଗା ଦୋକାନ ମାଲିକ ବୁଢା ମିଆଁକୁ ଦାଦାବଟି ମାଗିଥିଲେ। ହେଲେ ବଟି ଦେବାକୁ ମନା କରିଦେଇଥିଲା ବୁଢ଼ା ମିଆଁ। ଶେଷରେ ଗ୍ୟାଙ୍ଗଷ୍ଟରଙ୍କ ବନ୍ଧୁକ ଗର୍ଜିଥିଲା। ଏହି ଘଟଣା ପରେ ଟିଟୋର ହାତ ଛାଡ଼ିଲା ହାଇଦର। ପରେ ଟିଟୋ ଗଢ଼ିଲା ନିଜର ଗ୍ୟାଙ୍ଗ। ସୋଲେମନ ଓ ହାଇଦର ମିଶି ଗ୍ୟାଙ୍ଗ ଚଳାଇଥିଲେ। ଉଭୟ ଟିଟୋ ଓ ହାଇଦର ଗ୍ୟାଙ୍ଗ ମଧ୍ୟରେ ଲଢେଇ ଜୋରଦାର ହେଲା। ଉଭୟ ଗ୍ୟାଙ୍ଗର ସଦସ୍ୟ ହାତାହାତି ମଧ୍ୟ ହେଲେ।

ହାଇଦରକୁ ଛାଡ଼ିଦେଲା ସୋଲେମନ୍

ହାଇଦର ଓ ସୋଲେମନ ମଧ୍ୟରେ ତାଳମେଳ ନରହିବାରୁ ୨୦୦୨ ମସିହାରେ ସୋଲେମନ ହାଇଦରକୁ ଛାଡି ନିଜେ ଏକ ଗ୍ୟାଙ୍ଗ ତିଆରି କଲା। ୨୦୦୫ ମସିହାରେ ହାଇଦରର ସମର୍ଥକମାନେ ଭୁବନେଶ୍ୱରରେ ସୋଲେମନର ଭାଇ ଚୁନାକୁ ହତ୍ୟା କରିବାକୁ ସମର୍ଥ ହେଲେ। ହାଇଦର ଓ ତାର ଗ୍ୟାଙ୍ଗ ସଦସ୍ୟମାନେ ଖଣି ମାଲିକ ରଶ୍ମିରଞ୍ଜନକୁ ଅପହରଣ ଓ ହତ୍ୟାକରିଥିବା ଅଭିଯୋଗ ହେଲା।

ଟିଟୋ ଚକ୍ରବ୍ୟୁହରେ ଫସିଗଲେ ହାଇଦର, ସୋଲେମନ୍

ସୋଲେମନ ନିଜ ଗ୍ୟାଙ୍ଗ ଗଠନ କରି ରାହଜାନୀ ଓ ଟେଣ୍ଡର ଫିକ୍ସିଂ ଆରମ୍ଭ କଲା। ଟେଣ୍ଡର ଫିକ୍ସିଂ କରି ସୋଲେମନ ପାଟକୁରା ଥାନା ଅନ୍ତର୍ଗତ ଚିତ୍ରୋତ୍ପଳା ନଦୀର ବେଡାରୀଠାରେ ଏକ ନଦୀବନ୍ଧ ମରାମତି କାମ ଟେଣ୍ଡର ନେଇଥିଲା। ହେଲେ ଅପରାଧ ଜଗତରେ ବେଶୀଦିନ ତିଷ୍ଠି ନଥିଲା ସୋଲେମନ୍। ୨୦୦୯ ମସିହାରେ ସୋଲେମନକୁ ରାସ୍ତାରୁ ହଟାଇବା ପାଇଁ ଟିଟୋ ଚକ୍ରବ୍ୟୁହ କରିଥିଲା। ଫଳରେ ସୋଲେମନ୍‌କୁ ହତ୍ୟା କରିବାରେ ସଫଳ ହୋଇଥିଲା ଟିଟୋ।

ସୋଲେମନକୁ ହତ୍ୟା କରିବା ପରେ ଟିଟୋର ନଜର ପଡ଼ିଲା ହାଇଦର ଉପରେ। ହାଇଦରକୁ ରାସ୍ତାରୁ ହଟାଇବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କଲା ଟିଟୋ। ଚୁନା ହତ୍ୟାକାଣ୍ଡରେ ସମସ୍ତ ସାଖୀ ପ୍ରମାଣ ଯୋଗାଡ଼ କରି ହାଇଦରକୁ ଜେଲ୍ ପଠାଇବାରେ ଟିଟୋର ହାତ ଥିବା କୁହାଯାଉଛି। ହାଇଦର ଏବେ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଛି।

ଚାଲିଲା ଟିଟୋ ରାଜୁତି

ସୋଲେମନ ଓ ହାଇଦରକୁ ରାସ୍ତାରୁ ହଟାଇଦେବା ପରେ ଡନ୍‌ ପାଲଟି ଯାଇଥିଲା ଟିଟୋ। ୨୦୦୫ ମସିହାରେ ପ୍ରଥମେ ଟିଟୋର ସମର୍ଥକମାନେ ଟେଣ୍ଡର ଫିକ୍ସିଂ କରିଥିଲେ। କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗର ଠିକାଦାର ପ୍ରଦୀପ ପରିଡ଼ା ନାମକ ଜଣେ ଠିକାଦାରକୁ ଗୋବରୀ ନଦୀ କୂଳରେ ଗୁଳିକରି ହତ୍ୟା କରିଥିଲେ ଟିଟୋର ଲୋକ। ଏହାପରେ ସବୁ କାମ ପାଇଲା ଟିଟୋ। ଭାଇମାନଙ୍କ ସହାୟତାରେ ଟେଣ୍ଡର ପକାଇ ଟିଟୋ ସବୁ କାମ ହାତେଇ ନେଲା। କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର ଜିଲ୍ଲାରେ ଟିଟୋର ନେଟୱର୍କ ଚାଲିଲା।

ପରେ ପରେ ଟିଟୋ ବାଲି ଖାଦନ ଉପରେ ନଜର ପକାଇଲା। ପାରଦୀପ ବନ୍ଦର, କଟକ ଚାନ୍ଦବାଲି ରାସ୍ତା, ହଳଦଆ ପାରାଦୀପ ରେଳପଥରେ ଦରକାର ହେଉଥିବା ହଜାର ହଜାର ଟ୍ରିପ ବାଲି ଟିଟୋର ବାଲି ଖାଦନରୁ ସପ୍ଲାଏ କରାଗଲା। ଜିଲ୍ଲାର ପ୍ରାୟ ୨୦ରୁ ଅଧିକ ବାଲି ଖାଦାନ ଟିଟୋର ସମର୍ଥକମାନଙ୍କ ନାମରେ ନିଲାମ ହୋଇଛି। ଏହାଛଡା ଟିଟୋ ତା ସ୍ତ୍ରୀ ବେନଜୀର ବିବିଙ୍କ ନାମରେ କେନ୍ଦ୍ରାପଡା ସହର ଓ ପାରାଦୀପ ବନ୍ଦର ଅଞ୍ଚଳରେ ଦୁଇଟି ପେଟ୍ରୋଲ ପମ୍ପ ଚଳାଇଥିଲା। ଏହାସହ ବେନଜୀରଙ୍କ ନାମରେ ଜାହଜରୁ ପଣ୍ୟ ଦ୍ରବ୍ୟ କାରବାର ପାଇଁ ଷ୍ଟିଭେଡର ଲାଇସେନ୍ସ ହାସଲ କରିଥିଲା ଟିଟୋ।

ଟିଟୋ ଖେଳ ଖତମ୍

ଗତ ଜୁଲାଇ ୩୦ ତାରିଖରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଟିଟୋକୁ ଦିଲାରପୁର ଘରୁ ଗିରଫ କରିଥିଲା। ହେଲେ ଟିଟୋ ଖସିଯିବାକୁ ଉଦ୍ୟମ କରିବାରୁ ଟିଟୋକୁ ଏନ୍‌କାଉଣ୍ଟର କରିଥିଲା କ୍ରାଇମବ୍ରାଞ୍ଚ। ଏବେ ଟିଟୋର ଅପରାଧ ସାମ୍ରାଜ୍ୟ ଉପରେ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ। ଜଣକ ପରେ ଜଣେ ସହଯୋଗୀଙ୍କୁ ଗିରଫ କରୁଛି। ଏବେ ଟିଟୋର ସରକାରୀ ଅଫିସ୍ ଲିଙ୍କ୍ ନେଇ ତନାଘନା ଚାଲିଛି।

କେନ୍ଦ୍ରାପଡା ତହସିଲ, ଡେରାବିଶ ତହସିଲ, ଗରଦପୁର ତହସିଲ, ମାର୍ଶାଘାଇ ତହସିଲ, ପଟ୍ଟାମୁଣ୍ଡାଇ ତହସିଲ ଭିଜଲାନ୍ସ ସ୍କାନରରେ ରହିଛି। ଟିଟୋକୁ କିପରି ପେଟ୍ରୋଲ ପମ୍ପ ଲାଇସେନ୍ସ ପ୍ରଦାନ କରାଗଲା ତାହାକୁ ତଦନ୍ତ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଥିବା ବେଳେ ଭିଜଲାନ୍ସ ମଧ୍ୟ ଏଥିରେ ଖୋଳତାଡ଼ ଆରମ୍ଭ କରିଛି।

କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଟିଟୋକୁ ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ ଜମି ଦିଆଯିବା ଓ ଜିଲା ଅଗ୍ନିଶମ ବିଭାଗ ଫାୟାର ସେଫ୍ଟି ଲାଇସେନ୍ସ ପ୍ରଦାନ କରିବା ଆଦି ଘଟଣା ଉପରେ ଭିଜଲାନ୍ସ ଖୋଳତାଡ ଆରମ୍ଭ କରିଛି। ଏହାଛଡା ଭିଜଲାନ୍ସ କେନ୍ଦ୍ରାପଡା ଜିଲା ଯୋଗାଣ ବିଭାଗ ଓ ଜିଲା ପୋଲିସ କାର୍ଯ୍ୟାଳୟ ଉପରେ ପଞ୍ଝା ମାରିଛି।

Comment