ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଞ୍ଚ ଜଣ ସାଂସଦଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଶ୍ରେଷ୍ଠ ସାଂସଦ ସମ୍ମାନରେ ସମ୍ମାନିତ କରିଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ୨୦୧୭ ବର୍ଷ ପାଇଁ ଭର୍ତ୍ତୃହରିଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର ମିଳିଛି।

ଲୋକସଭାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ। ୨୦୧୩ରୁ ୨୦୧୭ ବର୍ଷ ଯାଏଁ ଶ୍ରେଷ୍ଠ ସାଂସଦ ପୁରସ୍କାର ଦିଆଯାଇଛି।

୨୦୧୩ ବର୍ଷ ପାଇଁ ନଜମା ହେପ୍‌ତୁଲ୍ଲା, ୨୦୧୪ ପାଇଁ ହୁକୁମ୍ ଦେବ ନାରାୟଣ ଯାଦବ, ୨୦୧୫ ପାଇଁ କଂଗ୍ରେସର ଗୁଲାମନବୀ ଆଜାଦ, ୨୦୧୬ ପାଇଁ ତୃଣମୂଳ କଂଗ୍ରେସର ଦୀନେଶ ତ୍ରିବେଦୀଙ୍କୁ ଶ୍ରେଷ୍ଠ ସାଂସଦ ସମ୍ମାନରେ ସମ୍ମାନିତ କରାଯାଇଛି।

ଲୋକସଭାରେ ବିତର୍କ, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଏବଂ ଜ୍ଞାନକୁ ଦୃଷ୍ଟିରେ ରଖି ଏମାନଙ୍କୁ ଶ୍ରେଷ୍ଠ ସାଂସଦ ଭାବେ ଚୟନ କରାଯାଇଛି।

ବାଚସ୍ପତି ସୁମିତ୍ରା ମହାଜନ, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟସଭା ଉପାଧ୍ୟକ୍ଷ ପି ଜେ କୁରିଏନଙ୍କୁ ନେଇ ଗଠିତ ହୋଇଥିବା କମିଟି ଶ୍ରେଷ୍ଠ ସାଂସଦମାନଙ୍କୁ ଚୟନ କରିଛନ୍ତି।

Comment