ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅସହାୟ ବୃଦ୍ଧାଙ୍କ ଶବକୁ କାନ୍ଧରେ ବୋହିଲେ ରେଙ୍ଗାଲି ବିଧାୟକ ରମେଶ ପଟୁଆ।

ଆଜିକାଲି ସମାଜରେ ହଜିଯାଇଛି ମାନବିକତା। ୨୪ଘଣ୍ଟା ଧରି ଅସହାୟ ବୃଦ୍ଧାଙ୍କ ଶବ ପଡ଼ରହିଲା। ସମସ୍ତେ ଦେଖି ମୁହଁ ବୁଲାଇ ଚାଲିଗଲେ। କେହି ବି ଶବ ସଂସ୍କାର କଥା ଚିନ୍ତା କଲେନି। ଏହାପରେ ମାନବିକତାର ପରିଚୟ ଦେଖାଇଲେ ସ୍ଥାନୀୟ ବିଧାୟକ। ଶବକୁ ନିଜ କନ୍ଧରେ ବୋହି ନେଇ ସଂସ୍କାର କଲେ। ଏଭଳି ଘଟଣା ଘଟିଛି ରେଙ୍ଗାଳି ବ୍ଲକ୍ ଅନ୍ତର୍ଗତ ସୋଢ଼ାମାଲ ଅମାନାପାଲିରେ।

ଅମାନାପାଲିରେ ଜଣେ ବୃଦ୍ଧା ଦୀର୍ଘଦିନ ଧରି ଭିକ୍ଷାବୃତ୍ତି କରୁଥିଲେ। ମୃତ୍ୟୁ ପରେ ବୃଦ୍ଧାଙ୍କୁ କାନ୍ଧରେ ନେବାକୁ କେହି ରାଜି ହୋଇନଥିଲେ। ସ୍ଥାନୀୟ ଫାଣ୍ଡି ଅଧିକାରୀ ଏନେଇ ରେଙ୍ଗାଲି ବିଧାୟକ ରମେଶ ପଟୁଆଙ୍କୁ ଜଣାଇଥିଲେ। ଏହାପରେ ବିଧାୟକ ନିଜ ସବୁକାର୍ଯ୍ୟକୁ ବାତିଲ କରି ପହଞ୍ଚିଥିଲେ ଅମାନାପାଲି ଗାଁରେ। ଦୁଇପୁଅଙ୍କ ସହ ବିଧାୟକ ବୃଦ୍ଧାଙ୍କ ଶବକୁ କାନ୍ଧରେ ବୋହି ନେଇ ସ୍ଥାନୀୟ ମଶାଣିରେ ଦାହ କରିଥିଲେ।

ବିଧାୟକଙ୍କ ଏଭଳି ମହତ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରଶଂସା କରାଯାଇଛି। ୨୦୧୪ ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରମେଶ ପଟୁଆ। ସେ ନିଜ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା ବିଜେପି ପ୍ରାର୍ଥୀ ନଉରି ନାୟକଙ୍କୁ ପାଖାପାଖି ଦୁଇହଜାର ଖଣ୍ଡ ଭୋଟରେ ପରାଜିତ କରିଥିଲେ।

Comment