ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବହୁ ଚର୍ଚ୍ଚିତ ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି। ଶିଖପାଲ୍ଲୀ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱଜିତ ସରକାରଙ୍କୁ ପୋଲିସ ଗିରଫ କରିଛି।

ମାଲକାନଗିରି ଥାନା ଅନ୍ତର୍ଗତ ଶିଖପାଲ୍ଲୀ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଜଣକ ବ୍ଲେଡ଼ରେ ନିଜ ହାତ କାଟି ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ପରିବାର ବର୍ଗ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରିଥିଲା।

ତଦନ୍ତ ବେଳେ ପୋଲିସ ଛାତ୍ରୀଙ୍କ ବହିରୁ ଏକ ହାତ ଲେଖା ଚିଠି ଜବତ କରିଥିଲା। ଏଥିରେ ଉଲ୍ଲେଖ ଥିଲା ଯେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱଜିତ ସରକାର ବାରମ୍ବାର ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଛନ୍ତି। ଏନେଇ ମାଲକାନଗିରି ଥାନାରେ କେସ୍ ନମ୍ବର ୧୩୧/ ୧୮ରେ ମାମଲା ରୁଜୁ ହୋଇଛି। ଏପଟେ ସ୍କୁଲର ଆଉ ଜଣେ ଛାତ୍ରୀ ମଧ୍ୟ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ।

ଉକ୍ତ ଛାତ୍ରୀଙ୍କ ଅଭିଯୋଗକୁ ଭିତ୍ତିକରି ମାଲକାନଗିରି ପୋଲିସ ୧୩୨/୧୮ ଆଉ ଏକ ମାମଲା ରୁଜୁ କରିଛି। ଏହି ଦୁଇଟି ଅଭିଯୋଗକୁ ଭିତ୍ତିକରି ଆଜି ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସ୍‌ ପି ଜଗମୋହନ ମୀନା।

Comment