ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୟୂରଭଞ୍ଜ ଖୁଣ୍ଟା ବ୍ଲକର ବୁଦ୍ଧିଆ ସିଂ
  • କୁଷ୍ଠ ରୋଗ ପାଇଁ ଏକ ଘରିକିଆ
  • ଆହା ପଦେ କହିବାକୁ କେହି ନାହିଁ
  • ତାଙ୍କ ପାଇଁ ସରକାରୀ ଯୋଜନା ନାଲିଫିତା ତଳେ

ଜନ୍ମଠୁ ନେଇ ମରଣ ପର୍ଯ୍ୟନ୍ତ ଅନେକ ଯୋଜନା କରିଛନ୍ତି ରାଜ୍ୟ ସରକାର। ହେଲେ ବାସ୍ତବିକ ପରିସ୍ଥିତି ଅନୁଧ୍ୟାନ ବେଳେ ଏମିତି କିଛି ଘଟଣା ଆଖି ସାମନାକୁ ଆସେ ଯାହାକୁ ଦେଖିଲେ ଲାଗେ ସତେ ଯେମିତି ଏହିସବୁ ସରକାରୀ ଯୋଜନା କେବଳ ନାଲି ଫିତା ତଳେ ରହିଯାଇଛି। ଏମିତି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜର ବୁଦ୍ଧିଆ ସିଂଙ୍କ କ୍ଷେତ୍ରରେ।

ବୁଦ୍ଧିଆ ସିଂଙ୍କ ବୟସ (୫୫)। ଆଜକୁ ୨୦ ବର୍ଷ ହେଲା ସେ କୁଷ୍ଠ ରୋଗରେ ପୀଡ଼ିତ। ଏମିତି କି ସେ ଏହି ରୋଗରେ ନିଜ ଶରୀରର ଅଧା ଅଂଶ ହରାଇ ସାରିଲାଣି। ହାତ ଗୋଡ଼ ଅଚଳ ପ୍ରାୟ।

ଫଟା ପଲଥିନ ଏବଂ ଖଣ୍ଡେ ଦିଖଣ୍ଡ ବାସନକୁ ନେଇ ତାଙ୍କ ଜୀବନ କଟୁଛି। ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାନ୍ତି। ଆଉ ବର୍ଷା ହେଲେ ତାଙ୍କ ଘରର କଥା ନ କହିବା ଭଲ। ବୁଦ୍ଧିଆଙ୍କ ଅବସ୍ଥା ଦେଖିଲେ ଯେ ନା ସେ ଆହା ବୋଲି ପଦଟିଏ କହିଦେଇଯାଏ। ଆଉ ଯଦି କାହାର ଦୟା ହେଲା ତେବେ ଗୋଟିଏ ଟଙ୍କା ପକେଇ ଦେଇ ଯାଏ। ଯଦି କିଏ କିଛି ଖାଇବାକୁ ଦେଲା ତାହେଲେ ତ ଭଲ ନହେଲେ ଉପାସ ରହିବାକୁ ପଡ଼େ ବୁଦ୍ଧିଆଙ୍କୁ।

ସରକାର ତାଙ୍କୁ ଚାଉଳ ଯୋଗାଇ ଦେଉଛନ୍ତି।  ହେଲେ ସେ ଚାଉଳ ଫୁଟେଇ ଦେବାକୁ ବି କେହି ନାହାନ୍ତି ତାଙ୍କ ପାଖରେ। କାରଣ କୁଷ୍ଠ ରୋଗରେ ପୀଡ଼ିତ ହେବାପରେ ସମସ୍ତେ ତାଙ୍କଠାରୁ ଏକପ୍ରକାର ଦୂରେଇ ଯାଇଛନ୍ତି।

ବୁଦ୍ଧିଆ ଲୁହ ଛଳଛଳ ଆଖିରେ କହନ୍ତି, “ବୋଧହୁଏ ମୋ ଭାଗ୍ୟରେ ଏହାହିଁ ଥିଲା’’।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧୀନରେ ଥିବା ଡୁକୁରା ବଜାରର ରାସ୍ତା ପାଖରେ ୧୦ ରୁ ୧୫ ବର୍ଷ ହେଲା ରହୁଛନ୍ତି ବୁଦ୍ଧିଆ। ତାଙ୍କ ଅଧା ନଷ୍ଟ ହୋଇଯାଇଥିବା ଗୋଡ଼ହାତ ଆଉ କଙ୍କାଳ ଛାଉଣୀ ଶୀରରକୁ ଦେଖିଲେ ସତେ ଯେମିତି ମନେହୁଏ ଆମ ଭିତରେ ମାନବିକତା  କେବଳ ଗୋଟିଏ ଶବ୍ଦ ହୋଇ ରହିଯାଇଛି। ନିରୂପାୟ ଆଉ ବେସାହାରା ହୋଇ ସେମିତି ପଡ଼ି ରହିଛନ୍ତି ବୁଦ୍ଧିଆ।

କ’ଣ ରହିଛି ସରକାରୀ ଯୋଜନା

ଗୋଟିଏ ପଟେ ସରକାର ୨୦୨୦ ସୁଦ୍ଧା  ଓଡ଼ିଶାକୁ  କୁଷ୍ଠସମୁକ୍ତ ରାଜ୍ୟଭାବେ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି।  ଏହାକୁ ଆଖି ଆଗରେ ରଖି ସରକାର କୁଷ୍ଠ ରୋଗୀଙ୍କ ପାଇଁ  ଅନେକ ଯୋଜନା ମଧ୍ୟ ଲାଗୁ କରିଛନ୍ତି।

-ପ୍ରଥମେ ଆଶା କର୍ମୀମାନେ ଘର ଘର ବୁଲି ଏହି ରୋଗୀମାନଙ୍କୁ ଚିହ୍ନଟ କରିବେ ସେମାନଙ୍କୁ ସରକାରୀ ତାଲିକାଭୁକ୍ତ କରିବେ ଓ ପରେ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯିବ।

– ସେମାନଙ୍କ ଔଷଧ ସେବନର ଅବଧି ଶେଷ ହେବାପରେ ସେମାନଙ୍କୁ ଏକ ରୋଗମୁକ୍ତ ପ୍ରମାଣ ପତ୍ର ଦିଆଯିବ।

–ସେମାନଙ୍କୁ ଡିଜାବିଲିଟି ଆକ୍ଟର ପରିସର ଭୁକ୍ତ କରାଯିବ ଓ ଭିନ୍ନକ୍ଷମ ପ୍ରମାଣ ପତ୍ର ମଧ୍ୟ ଦିଆଯିବ।

– ଭିନ୍ନକ୍ଷମ ଭତା, ମୋ କୁଡ଼ିଆ ଯୋଜନା, ଅନ୍ନପୂର୍ଣ୍ଣା ଅନ୍ତୋଦୟ ଯୋଜନାରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ।

-ସେହିପରି ଓଡ଼ିଶା ସରକାରଙ୍କ ସମାଜ ମଙ୍ଗଳ ବୋର୍ଡ ତରଫରୁ ମଧ୍ୟ ସେମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ୧୦,୦୦୦ ଟଙ୍କା ଯୋଗାଇ ଦିଆଯିବ।

-ଯେଉଁମାନଙ୍କର କେହି ନାହାନ୍ତି ସେମାନଙ୍କୁ କୁଷ୍ଠାଶ୍ରମ ମଧ୍ୟ ନେବାର ଯୋଜନା ରହିଛି।

ଗୋଟିଏ ପଟେ ସରକାର ୨୦୨୦ ସୁଦ୍ଧା ଓଡ଼ିଶାକୁ କୁଷ୍ଠମୁକ୍ତ ରାଜ୍ୟଭାବେ ଘୋଷଣା କରିବା ଘଟଣା ଓ ଅନ୍ୟପଟେ ୨୦ ବର୍ଷ ଧରି ଏହି ରୋଗର ଯନ୍ତ୍ରଣାରେ ଛଟପଟ ହେଉଥିବା ବୁଦ୍ଧିଆ ସିଂଙ୍କୁ ଦେଖିଲେ ଲାଗୁଛି ଏହିସବୁ ସରକାରୀ ଯୋଜନା କାହା ପାଇଁ?

Comment