ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତଙ୍କବାଦୀ ହବିବୁର୍ ରେହମନର ବାପା
  • ୨୦୦୬ରେ ଶେଷ ଥର ପାଇଁ ଗାଁକୁ ଆସିଥିଲା ହବିବୁର୍
  • ୧୯୮୫ରେ ଗାଁ ଛାଡ଼ି ମୁମ୍ବାଇ ଯାଇଥିଲା ହବିବୁର୍
  • ମୁମ୍ବାଇରୁ ସାଉଦି ଯାତ୍ରା, ଲସ୍କର-ଇ-ତୋଇବା ଲିଙ୍କ୍
  • ଦେଶଦ୍ରୋହୀ ପୁଅକୁ ଦଣ୍ଡ ମିଳୁ: ହବିବୁର୍‌ର ବାପା

କେନ୍ଦ୍ରାପଡ଼ା: “ପୁଅ ବଡ଼ ନୁହେଁ ମୋ’ ପାଇଁ ଦେଶ ବଡ଼। ଯଦି ହବିବୁର୍‌ ଦେଶଦ୍ରାହୀ କାମ କରିଥିବ ତାକୁ କଠୋରରୁ କେଠାର ଦଣ୍ଡ ଦିଆଯାଉ”, ଏମିତି କହିଛନ୍ତି ଆତଙ୍କବାଦୀ ହବିବୁର୍‌ ରେହମନର ବାପା ଅଇନୁଦ୍ଦିନ।

ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ ହୋଇଥିବା ଲସ୍କର-ଇ-ତୋଇବା ଆତଙ୍କବାଦୀ ହବିବୁର ରହେମନକୁ ଏନ୍ଆଇଏ ଗିରଫ କରିବା ପରେ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଦେଶଦ୍ରୋହୀ ତାଲିାକାରେ ପରିବାରକୁ ଯୋଡ଼ି ଦେଇଥିବାରୁ ଅତ୍ୟନ୍ତ ମର୍ମାହତ ହୋଇ ପଡ଼ିଛନ୍ତି ହବିବୁରର ବାପା ମିର୍ ଅଇନୁଦ୍ଦିନ୍।

ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ଗାଁର ମିର ମହଲାରେ ରହୁଛନ୍ତି ହବିବୁରର ଦୁଇ ଭାଇ ଅତାଉର, ଜୟୀଉର୍ ଓ ତାର ବାପା ମିର ଅଇନୁଦ୍ଦିନ୍। ଅତଙ୍କବରଦୀ ହବିବୁର୍ ହେଉଛି ଘରର ବଡ଼ ପୁଅ। ହବିବୁର୍ ପ୍ରଥମେ ରାଉରକେଲାର ଏକ ଗ୍ୟାରେଜରେ କାମ ଶିଖୁଥିଲା। ହେଲେ ୧୯୮୫ରେ ସେ ମୁମ୍ବାଇ ପଳାଇଥିଲା। ସେଠାରେ ସେ ଗ୍ୟାରେଜ ଖୋଲି ଭଲ ବାଇକ୍ ମରାମତି ମିସ୍ତ୍ରୀ ଭାବରେ ନାଁ କମେଇଥିଲା। ମୁମ୍ବାଇରେ ସେ ଦୁଇଟି ବିବାହ କରିଥିଲା।

ଏହାପରେ  ହବିବୁର୍ ସାଉଦି ଆରବ ଚାଲି ଯାଇଥିଲା। ଘର ସହିତ କେବଳ ଟେଲିଫୋନରେ ସମ୍ପର୍କ ରଖୁଥିଲା। ୨୦୦୪ ମସିହାରେ ଅଇନୁଦ୍ଦିନ ସାଉଦିକୁ ହଜ କରିବାକୁ ଯାଇଥିବା ବେଳେ ହବିବୁର୍‌କୁ ଭେଟିଥିଲେ। ଘର ସହିତ ସମ୍ପର୍କ ରଖୁ ନଥିବାରୁ ଅଇନୁଦ୍ଦିନ ତା’ ଉପରେ ଅସନ୍ତୁଷ୍ଟ ଥିଲେ। ସାନ ଭାଇ ଅତାଉର୍‌ର ବାହାଘର ୨୦୦୬ରେ ହୋଇଥିଲା। ସେତେବେଳେ ହିଁ ହବିବୁର ଗାଁକୁ ଆସିଥିଲା। ତାପରେ ପୁଣି ସେ ସାଉଦି ଚାଲି ଯାଇଥିଲା। ହବିବୁର୍‌ର ଦୁଇ ଭାଇ ମଧ୍ୟ ସାଉଦିରେ କାମ କରୁଥିଲେ। ଏବେ ଅତାଉର ରହେମନ ଗାଁକୁ ଚାଲି ଆସିଥିବା ବେଳେ ଜୟୀଉର ରହେମନ ସାଉଦିରେ କାମ କରୁଛି।

ହବିବୁର୍ ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନରେ କାମ କରୁଥିବା ଖବରପାଇ ଏନ୍ଆଇଏ ଟିମ୍ ଖୋଳତାଡ଼ କରିଥିଲା। ୨୦୧୭ରେ ଏନ୍ଆଇଏର ଏକ  ଟିମ୍ ପାଟକୁରା ଥାନାରେ ପହଞ୍ଚିଥିଲେ। ହବିବୁର୍ର ଗାଁ ତେଣ୍ଡାକୁଡ଼ାକୁ ଯାଇଥିଲେ। ହେଲେ ହବିବୁର୍ ସମ୍ପର୍କରେ କୌଣସି ସୁରାକ୍ ନପାଇ ଖାଲି ହାତରେ ଫେରି ଯାଇଥିଲେ।

ହବିବୁରର ମଝିଆ ଭାଇ ଅତାଉର ରହେମନକୁ ଏନ୍ଆଇଏ ଦିଲ୍ଲୀ ଡାକିଥିଲେ। ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ଫଟୋ ଦେଖାଇ ହବିବୁରକୁ ଚିହ୍ନଟ କରିଥିଲେ। ଏହାପରେ ମଧ୍ୟ ହବିବୁର୍‌ର ସାନଭାଇ ଜୟୀଉର ରହେମନକୁ ମଧ୍ୟ ଏନ୍ଆଇଏ ଦିଲ୍ଲୀ ଡକାଇ ପଚରା ଉଚୁରା କରିଥିଲା। ଆତଙ୍କବାଦୀ ସଂଗଠନ ସହ ହବିବୁର୍‌ର କି ସମ୍ପର୍କ ରହିଛି ସେ ବିଷୟରେ ଖୋଳତାଡ଼ କରିଥିଲା।

ହବିବୁର୍ ରହେମନ ଉପରେ ତୀକ୍ଷ୍ଣ ନଜର ରଖିଥିଲା ଏନ୍ଆଇଏ। ଶେଷରେ ଗତକାଲି ସାଉଦିରୁ ଦିଲ୍ଲୀ ଆସିଥିବା ହବିବୁରକୁ ଦିଲ୍ଲୀ ବିମାନ ବନ୍ଦରରେ ଗିରଫ କରିବାକୁ ସମର୍ଥ ହୋଇଛି ଏନ୍ଆଇଏ।

ହବିବୁର୍‌ଙ୍କ ବାପା ଅଇନୁଦ୍ଦିନ କହିଛନ୍ତି ଯେ ଯଦି ତାଙ୍କ ପୁଅ ଦେଶଦ୍ରୋହ କାମ କରିଛି ତାକୁ ଉଚିତ ଦଣ୍ଡ ଦିଆଯିବା ଦରକାର। କାରଣ ଜଣେ ସଚ୍ଚା ଦେଶ ଭକ୍ତ ଭାବରେ ତାଙ୍କ ପାଇଁ ପୁଅ ନୁହେଁ ଦେଶ ବଡ଼ ବୋଲି ସେ କହିଛନ୍ତି।

Comment