ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଗାଣ ବର୍ଷା ପାଇଁ ଐତିହାସିକ ଲର୍ଡସ ପଡ଼ିଆରେ ଆୟୋଜିତ  ହେଉଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ୍‌ର ପ୍ରଥମ ଦିନ ଖେଳକୁ ବାତିଲ କରି ଦିଆଯାଇଛି।

ଗୁରୁବାରଠାରୁ ଲର୍ଡସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ୨ୟ ଟେଷ୍ଟମ୍ୟାଚ୍‍ ଆରମ୍ଭ ହେବାର ଥିଲା। ତେବେ ଝିପିଝିପି ବର୍ଷା ଲାଗିରହିବା ଯୋଗୁଁ ପ୍ରଥମଦିନର ଖେଳ ବାତିଲ ହୋଇଯାଇଛି। ମ୍ୟାଚ୍‍ରେ ଟସ୍‍ ମଧ୍ୟ ପଡ଼ିନାହିଁ।

ଘରୋଇ ଇଂଲଣ୍ଡ ଏଜ୍‌ବାଷ୍ଟନ୍‌ ଟେଷ୍ଟ୍‌କୁ ରୋମାଞ୍ଚକର ଭାବେ ୩୧ ରନ୍‌ରେ ଜିତି ନେବା ପରେ ଏହି ଟେଷ୍ଟ୍‌ ଉପରେ ଭାରତୀୟ ପ୍ରଶଂସକଙ୍କ  ବିଶେଷ ନଜର ରହିଛି। ହେଲେ ବର୍ଷା ପାଇଁ ପ୍ରଥମ ଦିନରେ ଗୋଟିଏ ହେଲେ ବି ବଲ୍‌ ପଡ଼ି ନ ପାରିବା ପରେ ସେମାନେ ନିରାଶ ହୋଇଛନ୍ତି।

ଉଭୟ ଦଳର ଖେଳାଳି ନିର୍ଦ୍ଧାରିତ ସମୟରେ ପଡ଼ିଆରେ ପହଞ୍ଚିଥିଲେ। ତେବେ ସକାଳୁ ଆକାଶ ମେଘାଛନ୍ନ ଥିଲା ଏବଂ ଝିପିଝିପି ବର୍ଷା ଲାଗି ରହିଥିଲା। ପାଗରେ ଉନ୍ନତି ପାଇଁ ଖେଳାଳି ଓ ଅମ୍ପାୟାର ଦୀର୍ଘସମୟ ଅପେକ୍ଷା କରିଥିଲେ। ଜଲ୍‍ଦି ଭୋଜନ ବିରତି ଓ ଚା’ପାନ ବିରତି ମଧ୍ୟ ହୋଇଥିଲା। ଅପରାହ୍ଣରେ ବର୍ଷା ମଧ୍ୟ କମିଥିଲା। ତେବେ ପଡ଼ିଆ ଓଦା ରହିଥିଲା। ଅମ୍ପାୟାରଦ୍ୱୟ ପଡ଼ିଆ ପରିଦର୍ଶନ କରିବା ପରେ ଅନୁଭବ କରିଥିଲେ ଯେ ୨ ଘଣ୍ଟା ମଧ୍ୟରେ ଖେଳ ଆରମ୍ଭ ସମ୍ଭବନୁହେଁ।

ତେଣୁ ସ୍ଥାନୀୟ ସମୟ ସାଢ଼େ ୪ଟାରେ ଅମ୍ପାୟାର ପ୍ରଥମ ଦିନର ଖେଳ ବାତିଲ ଘୋଷଣା କରିଥିଲେ। ଫଳରେ ୨ୟ ଟେଷ୍ଟମ୍ୟାଚ୍‍ ଏବେ ୪ ଦିନିଆ ହୋଇଯାଇଛି। ପ୍ରଥମ ଟେଷ୍ଟକୁ ୩୧ ରନ୍‍ରେ ଜିତି ଘରୋଇ ଇଂଲଣ୍ଡ ୫ ମ୍ୟାଚ୍‍ର ସିରିଜ୍‍ରେ ୧-୦ରେ ଆଗୁଆ ରହିଛି।

୧୭ ବର୍ଷ ପରେ ଲର୍ଡସ୍‌ରେ ପ୍ରଥମ ଦିବସ ଖେଳ ସମ୍ପୂର୍ଣ୍ଣ ବାତିଲ ହୋଇଥିଲା। ଶେଷଥର ପାଇଁ ଏଠାରେ ୨୦୦୧ରେ ଇଂଲଣ୍ଡ-ପାକିସ୍ତାନ ପ୍ରଥମ ଦିବସ ଖେଳ ବାତିଲ ହୋଇଥିଲା।

Comment