କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

ଅନ୍ଧ ବିଶ୍ୱାସର ମାୟା ଜାଲରୁ ମୁକୁଳି ପାରୁନି ମଣିଷ। ପୁଅ ମରିଯିବା ପରେ ବି ତାକୁ ବଞ୍ଚାଇବା ପାଇଁ ଘର ଲୋକ ଗୁରୁଙ୍କ ଫଟୋ ତଳେ ଶରଣ ପସିଲେ। ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଅଞ୍ଚଳରେ।

  • ଅନ୍ଧ ବିଶ୍ୱାସର ମାୟା ଜାଲ
  • କେନ୍ଦ୍ରପଡ଼ାରେ ଅଭାବନୀୟ ଘଟଣା
  • ପୁଅ ମରିବା ପରେ ବି ବଞ୍ଚାଇବା ପାଇଁ ପ୍ରୟାସ
  • ଗୁରୁ ରାମପାଲଜୀଙ୍କ ଫଟୋ ତଳେ ମଲାପୁଅ ରଖି ପୂଜାର୍ଚ୍ଚନା
  • ମଲା ପୁଅ କାନରେ ବଜାଗଲା ଗୁରୁଙ୍କ ବାଣୀ କ୍ୟାସେଟ୍
  • ଗାଁ ଲୋକେ କଲେ ହଙ୍ଗାମା
  • ଠାକୁର ଘରେ ପସିଲେ, ଗୁରୁଙ୍କ ଫଟୋ ଫିଙ୍ଗିଲେ

କେନ୍ଦ୍ରାପଡ଼ା: ଶ୍ୱାସ ରୋଗରେ ଆଖି ବୁଜିଛି ୭ ବର୍ଷର ପୁଅ। ଡାକ୍ତର ମୃତ ଘୋଷଣା କରିଛନ୍ତି। ହେଲେ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି ବାପା, ମାଆ। ପରିବାର ଲୋକ ସଦ୍‌ଗୁରୁ ରାମପାଲଜୀ ମହାରାଜଙ୍କ ଭକ୍ତ ହୋଇଥିବାରୁ ମଲା ପୁଅକୁ  ଗୁରୁ ବଞ୍ଚାଇବେ ବୋଲି ବିଶ୍ୱାସ କରିଥିଲେ। ମଲା ପୁଅକୁ ଗୁରୁଙ୍କ ଫଟୋ ତଳେ ଶୁଆଇ ଗୁରୁଙ୍କ ବାଣୀକୁ କାନରେ ପାଖରେ କ୍ୟାସେଟ ଜରିଆରେ ବଜାଉଥିଲେ। ହେଲେ କିଛି ଅଲୌକିକ ଘଟଣା ନଘଟିବାରୁ ଗାଁ ଲୋକେ ଘରେ ପସି ଗୁରୁଙ୍କ ଫଟୋ ପୋଡ଼ିଦେବା ସହ ମୃତ ପଅର ସତ୍କାର କରିଛନ୍ତି।

ଏମିତି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବଳିପାଳ ଗାଁରେ।

ଏହି ଗାଁରେ ଶ୍ରୀଧର ପ୍ରଧାନ ସ୍ତ୍ରୀ, ଝିଅ  ଓ ୭ ବର୍ଷର ପୁଅ ମହେଶ ସାଗର ପ୍ରଧାନଙ୍କୁ ନେଇ ରହୁଥିଲେ। ସମସ୍ତେ ସଦ୍‌ଗୁରୁ ରାମପାଲଜୀ ମହାରାଜଙ୍କ ଦୀକ୍ଷାରେ ଦୀକ୍ଷିତ। ପରିବାର ଲୋକ ଗୁରୁଙ୍କୁ ଏମିତି ଭକ୍ତି କରନ୍ତି ଯେ ସେମାନେ କୌଣସି ଦେବଦେବୀଙ୍କୁ ପୁଜାର୍ଚ୍ଚନା କରନ୍ତି ନାହିଁ। ମନ୍ଦିରକୁ ଯାଆନ୍ତି ନାହିଁ କି କାହା ଘରେ ଖିଆ ପିଆ ବି କରନ୍ତି ନାହିଁ। ତାଙ୍କ ଠାକୁର ଘରେ କେବଳ ଗୁରୁ ରାମପାଲଜୀ ମହାରାଜଙ୍କ ଫଟୋକୁ ଛାଡ଼ିଦେଲେ ଆଉ କୌଣସି ଠାକୁର ପୂଜା ପଆନ୍ତି ନାହିଁ।

ହେଲେ କିଛିଦିନ ତଳେ ଏକ ମାତ୍ର ପୁଅ ମହେଶ ସାଗର ପ୍ରଧାନ ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇଥିଲେ। ପୁଅର ଦେହ ଭଲ କରିବା ପାଇଁ ଗୁରୁ ରାମପାଲଜୀଙ୍କୁ ଧ୍ୟାନରେ ବସି ଡାକିଲେ ଶ୍ରୀଧର। ଅନ୍ୟ ଗୁରୁ ଭାଇମାନଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇଲେ ସେ। ଗୁରୁ ଭାଇମାନଙ୍କ ପରାମର୍ଶରେ ଅସୁସ୍ଥ ପୁଅକୁ ଗତ କାଲି ରାତି ସାରା ହଳଦି ପାଣିରେ ଗାଧୋଇ ଦେଇ ପୁଅକୁ କଞ୍ଚା କ୍ଷୀର ପିଇବାକୁ ଦେଇଥିଲେ। ଗୁରୁଙ୍କ ନିର୍ଦ୍ଦେଶ ଥିବା କହି ଅସୁସ୍ଥ ପୁଅକୁ ଥଣ୍ଡା ପାଣିରେ ଗାଧୋଇ ଦେଇଥିଲେ।

ହେଲେ ସକାଳୁ ଆଉ ପୁଅ ଉଠିଲାନି। ନିରୁପାୟ ହୋଇ ଶ୍ରୀଧର ଗାଁ ବୈଦ୍ୟ ନିକଟକୁ ପୁଅକୁ ନେଇଗଲେ। ହେଲେ ବୈଦ୍ୟ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ନେଇଯାଅ ବୋଲି ପରାମର୍ଶ ଦେଲେ। ବଧ୍ୟ ହୋଇ ଶ୍ରୀଧର ପୁଅକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଗଲେ। ଡାକ୍ତର ମହେଶର ସ୍ୱାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।

ତଥାପି ଶ୍ରୀଧରଙ୍କର ଗୁରୁଭକ୍ତି କମି ନଥିଲା। ପୁଅ ମରିଯିବା କଥା ଗୁରୁ ଭାଇ ମାନଙ୍କୁ ଜଣାଇଲେ। ଗୁରୁଭାଇମାନେ ପରାମର୍ଶ ଦେଲେ କି ଗୁରୁ ତୁମକୁ ପରୀକ୍ଷା କରୁଛନ୍ତି। ମୃତ ପୁଅକୁ ତୁମ ଠାକୁରଘରେ ଥିବା ଗୁରୁଙ୍କ ଫଟୋ ତଳେ ଶୁଆଇ ଦିଅ। ସାରା ପରିବାର ପ୍ରଚଣ୍ଡ ଭକ୍ତିରେ ଗରୁଙ୍କୁ ଧ୍ୟାନ କର। ଆଉ ମୃତ ପୁଅ କାନ ନିକଟରେ ଗୁରୁଙ୍କ ବାଣୀର କ୍ୟାସେଟକୁ ବଜାଅ। କିଛି ଘଣ୍ଟା ପରେ ନିଶ୍ଚୟ ମୃତ ପୁଅ ଜୀବନ ଫେରି ପାଇବ।

ଗୁରୁ ଭାଇମାନଙ୍କ କଥାରେ ସାରା ପରିବାର ମହେଶଙ୍କ ଶବକୁ ଗୁରୁ ରାମପାଲଜୀଙ୍କ ଫଟୋ ତଳେ ରଖି ଧ୍ୟାନରେ ବସିଲେ। ଗୁରୁଙ୍କ ବାଣି ନିଜେ ଶୁଣିଲେ ଓ ମଲା ପୁଅର କାନରେ ଶୁଣାଇଲେ। ଗୁରୁଭାଇ ମଧ୍ୟ ଏଥିରେ ସାମିଲ୍ ହୋଇଥିଲେ। କଥା ଗାଁରେ ବ୍ୟାପିଗଲା। ଉତ୍ସୁକତାର ସହିତ ଗାଁ ଲୋକେ ଚାହିଁ ରହିଲେ ଶ୍ରୀଧରଙ୍କ ଘରେ ଘଟିବାକୁ ଯାଉଥିବା ଅଲୌକିକ ଘଟଣାକୁ। ଆଖ ପାଖ ଗାଁ ଲୋକ ବି ପହଞ୍ଚିଲେ ବଳିପାଳ ଗାଁରେ। ସମୟ ଗଡ଼ି ଚାଲିଲା ପଛେ ମଲା ପୁଅ ଜୀବନ ଫେରି ପାଇଲାନି।

ଶେଷରେ ଗାଁର କିଛି ଯୁବକ ଘର ଭିତରେ ଜବରଦସ୍ତ ପ୍ରବେଶ କରି ଗୁରୁ ଭାଇମାନଙ୍କୁ ନିସ୍ତୁକ ଛେଚିଲେ। ଠାକୁର ଘରେ ଗୁରୁଙ୍କ ଫଟୋ ପୋଡ଼ିବା ସହ ଭଙ୍ଗାରୁଜା କଲେ। ଗାଁ ଲୋକେ ମୃତ ଶିଶୁର ଶବକୁ ନେଇ ଶ୍ମଶାନରେ ସତ୍କାର କରିଛନ୍ତି। ତଥାପି ଶ୍ରୀଧରଙ୍କର ଗୁରୁଭକ୍ତି କମିନି।

Comment