ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ପ୍ରାଚୀନ ମଠ ଓ ମନ୍ଦିରମାନଙ୍କରେ ଥିବା ଦୁର୍ଲଭ ମୂର୍ତ୍ତି ଏବେ ମୂର୍ତ୍ତି ଚୋରମାନଙ୍କ ଟାର୍ଗେଟରେ। ବିଗତ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଅନେକ ମୂର୍ତ୍ତି ଚୋରି ହୋଇଥିବା ବେଳେ କିଛିଦିନ ତଳେ ରାଜକନିକା ରାଜାଙ୍କର ପରିଚାଳନା ଦାୟିତ୍ୱରେ ଥିବା ଗିରିଆ କୋଠସାହି ରାଧାକାନ୍ତଙ୍କ ମନ୍ଦିରରୁ  ୪୦୦ ବର୍ଷର ପ୍ରାଚୀନ ମୂର୍ତ୍ତି ଚୋରି ହୋଇଛି। ଚୋରିକୁ ହେବାର ୬ ଦିନ ବିତିଥିଲେ ମଧ୍ୟ ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। କନିକା ରାଜା ଏବଂ ବନ୍ଦିର ସେବାୟତମାନଙ୍କ ଉପରେ ସନ୍ଦେହ କରିଛନ୍ତି ଗ୍ରାମବାସୀ।

କନିକା ରାଜା ଓ ସେବାୟତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଗ୍ରାମବାସୀ ଥାନାରେ ଦାବି କରିଛନ୍ତି।

ରାଜକନିକା ବ୍ଲକର ଗିରିଆ କୋଠସାହିସ୍ଥିତ ରାଧାକାନ୍ତଙ୍କ ମନ୍ଦିରରୁ ପ୍ରାୟ ୪୦୦ ବର୍ଷର ପୁରୁଣା ଅଷ୍ଟଧାତୁରେ ନିର୍ମିତ ରାଧାକୃଷ୍ଣଙ୍କ ମୂର୍ତ୍ତି ଓ ଦୁଇଟି ଶାଳଗ୍ରାମ ଗତ ୬ ତାରିଖ ରାତିରେ ଚୋରି ହୋଇଛି। ଏହାଛଡା ଠାକୁରଙ୍କର ବାସନକୁସନ ଆଦିକୁ ଦୁର୍ବୁର୍ତ୍ତ ମାନେ ଚୋରାଇ ନେଇଛନ୍ତି। ଏହି ପ୍ରାଚୀନ ମୁର୍ତ୍ତିର ଓଜନ ପ୍ରାୟ ୧୭ କିଲୋ।

ମନ୍ଦିରଟି କନିକା ରାଜାଙ୍କ ପରିଚାଳନାରେ ରହି ଆସିଥିବାରୁ କନିକା ରାଜା ଶିବେନ୍ଦ୍ର ଭଞ୍ଜଦେଓ ରାଜକନିକା ଥାନାରେ ଚୋରି ସମ୍ପର୍କରେ ଅଭିଯୋଗ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ହେଲେ ମୂର୍ତ୍ତି କୁଆଡ଼େ ଗଲା ଏବଂ କିଲ ନେଲା ତାର ଟେର୍ ପାଉନି। ମୂର୍ତ୍ତି ଚୋରି ହୋଇଯାଇଥିବାରୁ ଗ୍ରାମବାସୀମାନେ ଚିନ୍ତାରେ ପଡ଼ିଛନ୍ତି।

ମନ୍ଦିରରୁ ମୂର୍ତ୍ତି ଚୋରି ହେବା ପରେ ଠାକୁରଙ୍କର ସମସ୍ତ ସୁନା ଓ ରୂପା ଅଳଙ୍କାର ନିଜ ଘରକୁ ନେଇ ଆସିଛନ୍ତି ରାଜା। ଏହି ଅଳଙ୍କାରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ  ବୋଲି ଆକଳନ କରାଯାଉଛି। ଫଳରେ ଆଜି ଗିରିଆ ଗାଁର କେତେକ ଲୋକେ  ରାଜକନିକା ରାଜାଙ୍କ ଉପରେ ସନ୍ଦେହ କରିଛନ୍ତି। କନିକା ରାଜାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି।

ଏହାଛଡା ରାଧାକାନ୍ତ ମଠର ସେବାୟତ ଓ ମଠ ପରିଚାଳନା ଦାୟିତ୍ୱରେ ଥିବା ଜଣେ ବ୍ୟକ୍ତିଙ୍କ ଭୂମିକାକୁ ସନ୍ଦେହ କରିଛନ୍ତି ଗ୍ରାମବାସୀ। ମୂର୍ତ୍ତି ଚୋରି ଘଟଣାରେ ଏମାନଙ୍କ ମୋବାଇଲ୍ ଫୋନକୁ ଟ୍ରାକିଂ କରିବାକୁ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ଜମିଦାରୀ ଉଚ୍ଛେଦ ପରେ କନିକା ଇଷ୍ଟେଟରେ କନିକା ରଜାଙ୍କ ତତ୍ତ୍ୱାବଧାନରେ ୧୬୩ ମଠ ମନ୍ଦିର ରହିଛି। ଇତି ମଧ୍ୟରେ ପ୍ରାୟ ୫ଟି ମନ୍ଦିରରୁ ବହୁ ମୂଲ୍ୟବାନ ପ୍ରାଚୀନ ମୂର୍ତ୍ତି ଚୋରି ହେବାରେ ଲାଗିଛି। କିଛି ବର୍ଷ ତଳେ ଅଶୋକ ବଜାର ନିକଟରେ ରହିଥିବା ଗୋପାଳଜୀୟୁଙ୍କ ମନ୍ଦିରରୁ ପ୍ରାଚୀନ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି ହୋଇଥିଲା। ତାହା ଏପର୍ଯ୍ୟନ୍ତ ଉଦ୍ଧାର ହୋଇ ପାରିନି।

ରାଜକନିକା ପୋଲିସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର କୁଖ୍ୟାତମୂର୍ତ୍ତି ଚୋରଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଯାଜପୁର ଓ ନିମାପଡ଼ା ଆଦି ସ୍ଥାନରେ ଥିବା ଏମାନଙ୍କ ଆଡ୍ଡା ଉପରେ ଚଢାଉ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନି। ତେବେ ସେଦିନ ରାତିରେ ମନ୍ଦିର ନିକଟରେ ବ୍ୟବହାର ହୋଇଥିବା ମୋବାଇଲକୁ ଟ୍ରାକିଂ କରାଯାଉଛି। ମୂର୍ତ୍ତି ଚୋରି ଉପରୁ ଖୁବ୍‌ଶୀଘ୍ର ପର୍ଦ୍ଦାଫାଶ ହେବ।

Comment