ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏମିତି ବି ଦୁଃଖ ଆସେ। ହସଖୁସିର ସଂସାରକୁ ଉଜାଡ଼ି ଦିଏ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ସାନରାହାମା ଗାଁରେ ଏମିତିକ ଏକ ହୃଦୟବିଦାରକ ଘଟଣା ଘଟିଛି ଯିଏ ଶୁଣୁଛି ସିଏ ସ୍ତବ୍ଧ ହୋଇଯାଉଛି। ମା’ ଏବଂ ପୁଅ ଆଗ ପଛହୋଇ ଆରପାରିକୁ ଚାଲିଯିବା ପରେ ବାପା ମାନସିକ ଦୁଶ୍ଚିନ୍ତାରେ ବିଷ ପିଇ ଗୁରୁତର ଅବସ୍ଥାରେ। ଏବେ ଭାଗ୍ୟକୁ ଆଦରି ପଡ଼ିଛନ୍ତି ଦୁଇ ନାବାଳିକା ଝିଅ।

ସାନରାହାମା ଗାଁର କ୍ଷେତ୍ରବାସୀ ନାୟକ। ସ୍ତ୍ରୀ ଶୈଳବାଳା, ଦୁଇ ଝିଅ ବେବିନା ଓ ରୁବିନା ଏବଂ ଗୋଟିଏ ପୁଅ ସତ୍ୟରଞ୍ଜନକୁ ନେଇ ତାଙ୍କ ସଂସାର ହସଖୁସିରେ ଚାଲିଥିଲା। ହେଲେ ଭାଗ୍ୟ ସାଥ୍ ଦେଲାନି। କିଛିଦିନ ତଳେ କ୍ଷେତ୍ରବାସୀଙ୍କ ସ୍ତ୍ରୀ ସଡ଼କ ଦୁର୍ଘଟଣାରେ ଆଖି ବୁଜିଥିଲେ। ଫଳରେ ଭାଙ୍ଗିପଡ଼ିଥିଲେ କ୍ଷେତ୍ରବାସୀ। ଝିଅ ଦୁଇ ଜଣ ଛୋଟ ଥିବାରୁ ପୁଅ ସତ୍ୟରଞ୍ଜନ ଚିଙ୍ଗୁଡିଘେରିରେ ମୁଲ ଲାଗି ପରିବାର ଚଳାଉଥିଲା। ହେଲେ ଗତ ୧୧ ତାରିଖ ରାତିରେ କ୍ଷେତ୍ରବାସୀଙ୍କ ପରିବାର ପ୍ରତି ଆଉ ଏକ ବିପଦ ମାଡ଼ି ଆସିଥିଲା।

ପୁଅ ସତ୍ୟରଞ୍ଜନ ଏବଂ ତା’ ସାଙ୍ଗ ଚିଙ୍ଗୁଡ଼ିଘେରିରେ କାମ କରୁଥିବା ବେଳେ ସାପ ଦଂଶନ କରିବାରୁ ସତ୍ୟରଞ୍ଜନ ମଧ୍ୟ ଆରପାରିକୁ ଚାଲିଗଲେ। ଡାକ୍ତରଖାନା ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ସ୍ତ୍ରୀର ମୃତ୍ୟୁରେ ଭାଙ୍ଗିପଡ଼ିଥିବା କ୍ଷେତ୍ରବାସୀ ପୁଅର ମରଣକୁ ସହି ପାରି ନଥିଲେ। ରୋଜଗାରିଆ ପୁଅର ମୃତ୍ୟୁ ପରେ କ୍ଷେତ୍ରବାସୀ ବେସାହାରା ହୋଇଯାଇଥିଲେ। ପରିଣତ ବୟସରେ ଦୁଇ ଝିଅଙ୍କୁ ନେଇ କେମିତି ଚଳିବେ ସେହି ଚିନ୍ତାରେ ସେ ଆଜି ବିଷ ପିଇ ଦେଇଛନ୍ତି।

ଏବେ କ୍ଷେତ୍ରବାସୀ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। କେତେବେଳେ କ’ଣ ହେବ ତାହା କହି ହେଉନି। ଏବେ ସେହି ଚିନ୍ତାରେ କାନ୍ଦି କାନ୍ଦି ନୟାନ୍ତ ହୋଇ ଯାଇଛନ୍ତି ଦୁଇ ଝିଅ ରୁବିନା ଏବଂ ବେବିନା।

ମା’ ଭାଇଙ୍କୁ ହରାଇବାର ଦୁଃଖକୁ ସହିଥିବା ରୁବିନା ଏବଂ ବେବିନା ଏବେ ବାପା ବିଷ ପିଇ ଦେଇଥିବାରୁ କେମିତି ବଞ୍ଚିବେ ତାକୁ ନେଇ ତାଙ୍କ ଆଖିରୁ ଲୁହ ଶୁଖୁନି।

କ୍ଷେତ୍ରବାସୀଙ୍କ ଚିକିତ୍ସା ପାଇଁ କେତେକ ଗାଁ ଲୋକେ ଉଦ୍ୟମ କରୁଛନ୍ତି। ଗାଁରୁ ଚାନ୍ଦା ଆଦାୟ କରି ଚାଲିଛି ଚିକିତ୍ସା ଖର୍ଚ୍ଚ।ସାନରାହାମା ଗାଁ ଲୋକେ ଏବେ ବେବିନା ଓ ରୁବିନାଙ୍କୁ ସାହା ହେବାକୁ ଆଗେଇ ଆସିଛନ୍ତି।

Comment