ଓଡ଼ିଶାଲାଇଭ୍‍ ବ୍ୟୁରୋ

ଜଣେ ଅଟୋ ଡ୍ରାଇଭରଙ୍କ ବିକୃତ ଚିନ୍ତାଧାରାର ଶିକାର ହୋଇଛି ଗୋଟିଏ କୁକୁରଅଟୋ ପଛରେ ବନ୍ଧା ହୋଇଥିବା ଅବସ୍ଥାରେ ଦୁଇ କିଲୋମିଟର ଯାଏ ଘୋଷାଡ଼ି ହୋଇଯାଇଥିବା ଏହି ବୁଲା କୁକୁରର ଅବସ୍ଥା ଏବେ ସଂକଟାପନ୍ନ

ଜୀବଜନ୍ତୁଙ୍କ ପ୍ରତି ନିଷ୍ଠୁରତାର ଆଉ ଏକ ଉଦାହରଣ। ଜଣେ ଅଟୋ ଡ୍ରାଇଭରଙ୍କ ବିକୃତ ଚିନ୍ତାଧାରାର ଶିକାର ହୋଇଛି ଗୋଟିଏ କୁକୁର। ଅଟୋ ପଛରେ ବନ୍ଧା ହୋଇଥିବା ଅବସ୍ଥାରେ ଦୁଇ କିଲୋମିଟର ଯାଏ ଘୋଷାଡ଼ି ହୋଇଯାଇଥିବା ଏହି ବୁଲା କୁକୁରର ଅବସ୍ଥା ଏବେ ସଂକଟାପନ୍ନ।

ଗତ ଶୁକ୍ରବାର ରାତିର ଘଟଣା। ହାଇଦ୍ରାବାଦର ଜୁବୁଲି ହିଲ୍‌ସ ଅଞ୍ଚଳରେ ଗୋଟିଏ ଅଟୋ ପଛରେ ଲୁହା ଶିକୁଳିରେ ବନ୍ଧା ହୋଇଥିଲା ବୁଲା କୁକୁରଟିଏ। ଅଟୋ ଚାଲୁଥିଲା ଏବଂ ତା’ ସହିତ ପିଚୁ ରାସ୍ତାରେ ଘୋଷାଡ଼ି ହୋଇ ଯାଉଥିଲା କୁକୁରର ଶରୀର।

ସଂଯୋଗବଶତଃ ଏକ ପ୍ରାଣୀ ସୁରକ୍ଷା ସଂଗଠନର ଜଣେ କର୍ମୀଙ୍କ ନଜରରେ ପଡ଼ିଲା ଏହି ଘଟଣା। ପିପୁଲ୍‌ ଫର ଆନିମାଲ୍‌ସ (ପିଏଫଏ) କର୍ମୀ ଶ୍ରବ୍ୟା ବର୍ମା କୁକୁରକୁ ଉଦ୍ଧାର କଲେ। ଶ୍ରବ୍ୟାଙ୍କଠାରୁ ସୂଚନା ପାଇ ପିଏଫଏ ସଂଗଠନ କର୍ମୀମାନେ କୁକୁରକୁ ପ୍ରଥମେ ବନଜାରା ହିଲସର ଏକ ପ୍ରାଣୀ ଚିକିତ୍ସାଳୟକୁ ନେଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାକୁ ବେଗମ୍‌ ବଜାରରେ ଥିବା ପ୍ରାଣୀ ଉଦ୍ଧାର ଗୃହକୁ ନିଆଯାଇଛି। କୁକୁରର ସାରା ଶରୀର କ୍ଷତବିକ୍ଷତ ହେବା ସହିତ ଗୋଟିଏ ଗୋଡ଼ ଭାଙ୍ଗି ଯାଇଛି। ଶରୀର ଭିତରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ତା’ର ଅବସ୍ଥା ଏବେ ସଂକଟାପନ୍ନ ରହିଛି।

ଏହି ଅମାନବୀୟ କାଣ୍ଡ ସଂପର୍କରେ ପିଏଫ୍‌ଏ ପକ୍ଷରୁ ଜୁବୁଲି ହିଲ୍‌ସ ଥାନାରେ ଅଟୋ ଡ୍ରାଇଭର ବିରୋଧରେ ଏତଲା ଦିଆଯାଇଥିଲା। ଭାରତୀୟ ଦଣ୍ଡବିଧି ଆଇନର ୩୩୬ ଧାରା ଏବଂ ୧୯୬୦ର ପ୍ରାଣୀ ପ୍ରତି ନିଷ୍ଠୁରତା ବିରୋଧୀ ଆଇନ ବଳରେ ପୋଲିସ ମାମଲା ରୁଜୁ କରିବା ସହ ଅଟୋ ରିକ୍‌ସାକୁ ଜବତ କରିଛି। ଅଟୋ ଡ୍ରାଇଭରଙ୍କୁ ପୋଲିସ ଖୋଜୁଛି।

ଅଟୋ ଡ୍ରାଇଭରଙ୍କ ଏହି ଉନ୍ମତ୍ତ କାଣ୍ଡ କେବଳ ଯେ ଜୀବ ପ୍ରତି ନିଷ୍ଠୁରତା ବିରୋଧୀ ଆଇନର ବିରୁଦ୍ଧାଚରଣ କରୁଛି ତାହା ନୁହେଁ, ବରଂ ଅସୁସ୍ଥ ମାନସିକତା ଏବଂ ଅବିବେକୀ ଆଚରଣର ଏକ ଉଦାହରଣ।

Comment