ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ାର ଜଣେ ଅଟୋ ଡ୍ରାଇଭର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଛି। ଏହି ଅଟୋ ଚଳାକ କେମିତି କରୋନା ଆକ୍ରାନ୍ତ ହେଲେ ଏବଂ କାହା ସଂସ୍ପର୍ଶରେ ଆସିଥିଲେ ତାକୁନେଇ କାରଣ ଖୋଜୁଛି ପ୍ରଶାସନ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖ କପାଳେଶ୍ୱର ପଞ୍ଚାୟତର ୧୨ ନମ୍ବର ଓ ୧୪ ନମ୍ବର ୱାର୍ଡକୁ ଆଜିଠୁ ସଟଡାଉନ୍ କରାଯାଇଛି।

ଗତ ଦୁଇଦିନ ତଳେ ଜହି କପାଳେଶ୍ୱର ଅଞ୍ଚଳର ଜଣେ ଅଟୋ ଚାଳକ ତାଙ୍କ ଛୋଟ ଝିଅର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଡାକ୍ତରଙ୍କ ପରାମର୍ଶରେ ଝିଅ ପାଇଁ ଔଷଧ ଆଣିଥିଲେ। ଏହାଛଡ଼ା ନିଜର ଥଣ୍ଡା ଜ୍ୱର ଥିବା କହି ଜିଲ୍ଲା ଫିଭର କ୍ଲିନିକରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଫିଭର କ୍ଲିନିକରେ ଥିବା ଡାକ୍ତର ତାଙ୍କର ଲକ୍ଷଣ ଜାଣି ତାଙ୍କର ସ୍ୱାବ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ଆଜି ତାଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଛି।

ଏହି ବ୍ୟକ୍ତି ଜଣକ ଗରାପୁରଠାରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଛକରେ ତାଙ୍କର ଅଟୋ ରଖିଥାନ୍ତି। ଜିଲ୍ଲାର ଆଳି, ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଆସୁଥିବା ଲୋକମାନଙ୍କୁ, ଜିଲ୍ଲା କାର୍ଯ୍ୟାଳୟ ଓ ଜିଲ୍ଲା ଡାକ୍ତରଖାନାକୁ ଅଟୋ ଭଡ଼ାରେ ନେଇ ଛାଡନ୍ତି ଓ ପୁଣି ଆଣିଥାନ୍ତି। ବାହାରକୁ ବିଶେଷ ଯାଇନଥିବା ଏହି ବ୍ୟକ୍ତି ଜଣଙ୍କ କାହା ସଂସ୍ପର୍ଶରେ ଆସି କରୋନା ପଜିଟିଭ ହେଲା ତାହା ଜଣାପଡ଼ିନି।

ଏହି ଅଟୋ ଚାଳକଙ୍କୁ କେନ୍ଦ୍ରାପଡାର ଛତାଠାରେ ଥିବା ଜିଲ୍ଲା କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଦିଆଯାଇଛି। ବ୍ୟକ୍ତି ଜଣକ ଯେଉଁମାନଙ୍କ ସହିତ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ତାଲିକା କରାଯାଇ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି ବୋଲି କପାଳେଶ୍ୱର ସରପଞ୍ଚ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କିଛି ଅଟୋ ଚାଳକଙ୍କ ପରିବାର, କଣ୍ଟ୍ରୋଲ ଡିଲର୍, ପାନ ଦୋକାନୀ ଆଦି ପରିବାରର ଲୋକମାନେ।

ସରପଞ୍ଚଙ୍କ ସୂଚନା ଅନୁସାରେ ଏହି ଅଟୋ ଚାଳକ ଜଣକ ପ୍ରାୟ ଦେଢମାସ ତଳେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ମହିଳାଙ୍କୁ ଅଟୋରେ ନେଇ ଭୁବନେଶ୍ୱର ଯାଇଥିଲେ। ଜିଲ୍ଲା ପ୍ରଶାସନ କପାଳେଶ୍ୱର ପଞ୍ଚାୟତର ୧୨ ଓ ୧୪ ନମ୍ବର ୱାର୍ଡର ଆଂଶିକ ଅଞ୍ଚଳରେ କଣ୍ଟେନମେଣ୍ଟ ଘୋଷଣା କରିଛି। ଏହି ନିଷିଦ୍ଧାଞ୍ଚଳକୁ ସାନିଟାଇଜ କରାଯିବା ସହିତ, କଣ୍ଟାକ୍ଟ ଟ୍ରେସିଂ କରାଯାଉଛି।

Comment