ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ଦିନକୁ ଦିନ ମାଓବାଦୀଙ୍କ ଆତଙ୍କ ମାଲକାନଗିରି ଜିଲ୍ଲାରେ ବଢ଼ିବାରେ ଲାଗିଛି। ନିରୀହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ମାଓବାଦୀ। ମାଓବାଦୀଙ୍କ ଏଭଳି ଆତଙ୍କରାଜକୁ ଆଉ ବରଦାସ୍ତ କରାଯିବ ନାହିଁ। ଏଭଳି ନାରା ଲଗାଇ ଏକ ବଡ଼ ଶୋଭାଯାତ୍ରା ଆୟୋଜନ ହୋଇଥିଲା ସୀମାନ୍ତ ସୁକୁମା ଜିଲ୍ଲା କୋଣ୍ଟା ଗ୍ରାମରେ। ମାଓବାଦୀଙ୍କ ଉତ୍ପାତରେ ଭୟଭୀତ ଲୋକମାନେ ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରିଥିଲେ।

କେବଳ ମାଓବାଦୀଙ୍କ ବିରୋଧରେ ନୁହେଁ, ଯେଉଁମାନେ ମାଓବାଦୀଙ୍କୁ ସମର୍ଥନ କରୁଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ନାରା ଦେଇଥିଲେ ଏହି ବିକ୍ଷୋଭକାରୀ।

ଅଗଷ୍ଟ ୬ ତାରିଖ ନୁଲୁକାତଙ୍ଗ ଏନକାଉଣ୍ଟର ଘଟଣାରେ ୧୫ ମାଓବାଦୀ ମୃତ ହେବା ପରେ ମାଓବାଦୀମାନେ ନିରୀହ ଆଦିବାସୀଙ୍କୁ ହତ୍ୟା କରିବା ସହ ଯାନବାହନ ଜଳାପୋଡ଼ା କରିବାରେ ଲାଗିଛନ୍ତି। ଏହାକୁ ନେଇ କଡ଼ା ବିରୋଧ କରିଛନ୍ତି ଏହି ଆଦିବାସୀମାନେ।

ଏନକାଉଣ୍ଟର ଘଟଣାକୁ ଫେକ୍ ଏନକାଉଣ୍ଟର ବୋଲି କହିଥିବା ଆପ ନେତା ସୋନି ଶୋରୀ ଓ ବେଲା ଭାଟିଆଙ୍କୁ ମଧ୍ୟ ବିରୋଧ କରାଯାଇଛି। ଯେତେବେଳେ ନିରୀହ ଲୋକ ଓ ଯବାନଙ୍କୁ ମାଓବାଦୀ ହତ୍ୟା କରୁଛନ୍ତି ଏହି ନେତାମାନେ ମୁହଁ କାହିଁକି ଖୋଲୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିକ୍ଷୋଭକାରୀ।

Comment