କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

- ୩ଟି ରେଞ୍ଜରେ ୧୦୧ କୁମ୍ଭୀର ଅଣ୍ଡାଦେବା ବସା ଚିହ୍ନଟ
- କନିକା ରେଞ୍ଜରେ ସର୍ବାଧିକ ୮୫ଟି ବସା
- ରାଜନଗର ରେଞ୍ଜରେ ୧୩ଟି
- ଗହୀରମଥା ରେଞ୍ଜରେ ୩ଟି
ଭିତରକନିକା ଜାତୀୟ ଉଦ୍ୟାନରେ ନୂଆ ଅତିଥି। ଅଣ୍ଡାଦାନ କରିଥିବା କୁମ୍ଭୀରମାନଙ୍କ ବସାରୁ କୁମ୍ଭୀର ଛୁଆମାନେ ବାହାରି ଏବେ ନଦୀ ନାଳକୁ ଯିବା ଆରମ୍ଭ କରିଛନ୍ତି। ସେହିପରି ଭିତରକନିକାର ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର ମଧ୍ୟରେ ସଂରକ୍ଷିତ ହୋଇଥିବା କୁମ୍ଭୀର ଅଣ୍ଡା ଫୁଟିବାରୁ ଏବେ ଛୁଆ ସବୁ ବାହାରିଛନ୍ତି। ଏହିସବୁ କୁମ୍ଭୀର ସାବକମାନେ କିପରି ନିରାପଦରେ ରହିବେ ସେଥିପାଇଁ ତତ୍ପର ହୋଇ ଉଠିଛି ବନ ବିଭାଗ।
ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଚଳିତ ବର୍ଷ ୩୬ଟି କୁମ୍ଭୀର ଛୁଆ ଜନ୍ମ ନେଇଛନ୍ତି। କୁମ୍ଭୀର ଛୁଆ ରହୁଥିବା ସ୍ଥାନରେ ଔଷଧ ସିଞ୍ଚନ କରାଯାଇ ସ୍ଥାନଟିକୁ ନିରାପଦ କରାଯାଇଛି।
ଚଳିତ ବର୍ଷ ଭିତରକନିକାର ୩ଟି ରେଞ୍ଜ ଅଞ୍ଚଳରେ ୧୦୧ଟି କୁମ୍ଭୀର ଅଣ୍ଡାଦେବା ବସା ଚିହ୍ନଟ କରିଥିଲା ବନ ବିଭାଗ। ସେଥି ମଧ୍ୟରୁ କନିକା ରେଞ୍ଜରେ ସର୍ବାଧିକ ୮୫ଟି, ରାଜନଗର ରେଞ୍ଜରେ ୧୩ଟି ଓ ଗହୀରମଥା ରେଞ୍ଜରେ ୩ଟି।
ଚଳିତ ବର୍ଷ ବନବିଭାଗର କର୍ମଚାରୀମାନେ ଜଙ୍ଗଲରୁ ୪୦ଟି କୁମ୍ଭୀର ଅଣ୍ଡା ସଂଗ୍ରହକରି କୃତ୍ରିମ ବସା ତିଆରି କରି ସେଗୁଡ଼ିକୁ ସାଇତି ରଖିଥିଲେ। ସେହି ୪୦ଟି ଅଣ୍ଡାରୁ ୩୬ଟି ଛୁଆ ବାହାରିଥିବା ବେଳେ ୪ଟି ଅଣ୍ଡାରୁ ଛୁଆ ବାହାରି ପାରିନାହାନ୍ତି। ଚଳିତ ବର୍ଷ ରାଜ୍ୟ ବନ ବିଭାଗ ଭିତରକନିକା ଅଞ୍ଚଳରୁ ମଧ୍ୟ ପ୍ରଥମ କରି ୪୦ଟି ଅଣ୍ଡା ସଂଗ୍ରହ କରି ନନ୍ଦନକାନନକୁ ନେଇ ସେଠାରେ କୃତ୍ରିମ ବସା ତିଆରି କରି ଅଣ୍ଡା ଗୁଡ଼ିକୁ ରଖିଥିଲେ। ସେଥିମଧ୍ୟରୁ ୩୩ଟି କୁମ୍ଭୀର ଛୁଆ ଜନ୍ମ ନେଇଥିବା ଜଣାପଡ଼ିଛି।
ଏହି କୁମ୍ଭୀରମାନଙ୍କର ବିଚିତ୍ର ଜୀବନ ଶୈଳୀ। ପ୍ରତି ବର୍ଷ ମେ’ ମାସ ବେଳକୁ ମା’ କୁମ୍ଭୀର ଅଣ୍ଡାଦେବାକୁ ଭିତରକନିକାରେ ସୁରକ୍ଷିତ ସ୍ଥାନ ଖୋଜି ବାହାର କରେ। ସେହି ସୁରକ୍ଷିତ ସ୍ଥାନରେ ସେ ନିର୍ଦ୍ଦିଷ୍ଟ ଲୁଣା ଜଙ୍ଗଲ ଗଛର ପତ୍ର ଓ କାଠି ସଂଗ୍ରହ କରିଥାଏ। ସେଗୁଡ଼ିକ ହେଲା ହେନ୍ତାଳ, ଖରଖରୀ ଓ ନାଳିଆ ଘାସ। ଅଣ୍ଡା ଦେବାର ୧୦ରୁ ୧୫ ଦିନ ପୁର୍ବରୁ ମା’ କୁମ୍ଭୀର ଏହି ବସା ତିଆରି କରିଥାଏ। ତାପରେ ସେ ସେଠାରେ ଅଣ୍ଡା ଦିଏ। ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ସେ ତା’ ବସା ଛାଡ଼ି କୁଆଡେ ଯାଇ ନଥାଏ। ବସା ନିକଟରେ ଏକ ବିରାଟ ଗାତ ଖୋଳି ଲୁଚି ରହିଥାଏ।
ଅଣ୍ଡା ଦେବାର ୮୦ରୁ ୧୦୦ ଦିନ ପରେ ଏଥିରୁ ଛୁଆ ଫୁଟିଥାଏ। ସବୁଠାରୁ ଆଶ୍ଚର୍ଯ୍ୟ କଥାକି ମା’ କୁମ୍ଭୀର ସେପର୍ଯ୍ୟନ୍ତ କିଛି ଖାଇ ନଥାଏ। ଛୁଆ ଜନ୍ମ ହେବାର ୭ ଦିନ ଯାଏଁ ମା’ କୁମ୍ଭୀର ତାର ଛୁଆମାନଙ୍କୁ ବସା ନିକଟରେ ଖେଳାଏ। ଛୁଆ ଭଲକରି ଚାଲି ଶିଖିବା ପରେ ମା’ କୁମ୍ଭୀର ସମସ୍ତଙ୍କୁ ସାଥିରେ ନେଇ ନଦୀ ଆଉ ନାଳ ମଧ୍ୟକୁ ଚାଲି ଯାଇଥାଏ। ତାପରେ ସେ ଖାଇବା ପାଇଁ ଶିକାର ଖୋଜେ।
ଭିତରକନିକାର ଡାଙ୍ଗମାଳ କୁମ୍ଭୀର ପ୍ରଜନନକେନ୍ଦ୍ର ପରିସରରେ ଏବର୍ଷ ୭ଟି ସ୍ଥାନରେ କୁମ୍ଭୀରମାନେ ବସା ବାନ୍ଧିଥିଲେ। ସେଥିମଧ୍ୟରୁ ପ୍ରାୟ ସମସ୍ତ ବସାରୁ ପ୍ରାକୃତିକ ଭାବରେ ଛୁଆ ବାହାରି ସାରିଲେଣି। ଏବେ ମା’ କୁମ୍ଭୀରମାନେ ସେମାନଙ୍କ ଛୁଆମାନଙ୍କୁ ଖେଳାଉଛନ୍ତି।
ପ୍ରତିବର୍ଷ ବନ ବିଭାଗ ମେ’ ମାସ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଥାଏ। କାରଣ ଏହି ସମୟରେ ମା’ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି। କାରଣ କୁମ୍ଭୀର ବସା ବାନ୍ଧିଥିବା ସ୍ଥାନ ନିକଟକୁ ଯଦି ଅଜଣାତରେ ପର୍ଯ୍ୟଟକମାନେ ଚାଲି ଯାଇଥିବେ ତେବେ ଅଣ୍ଡାକୁ ଜଗି ରହିଥିବା ମା’ କୁମ୍ଭୀର ପର୍ଯ୍ୟଟକଙ୍କୁ ଆକ୍ରମଣ କରିଦେବାର ଭୟ ରହିଥାଏ।














