ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଇଲ୍ ଫଟୋ: କୁନି ଝିଅ ଶୀତଲ ଓ ତାଙ୍କ ବାପା, ମା’
  • ଶିତଲର ପାଠପଢ଼ା ଖର୍ଚ୍ଚ ବହନ କଲେ ସରକାର
  • ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦେଲେ ସାଢ଼େ ୬ ଲକ୍ଷ ଟଙ୍କା
  • ଶିତଲର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ା ଖର୍ଚ୍ଚ
  • ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ବେଳେ ବାପାଙ୍କୁ ହରାଇଥିଲା ଶିତଲ

ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ପରେ ବାପାଙ୍କୁ ହରାଇ ବେସାହାରା ହୋଇ ଯାଇଥିଲେ ଲକ୍ଷ୍ମୀସାଗରର କୁନି ଝିଅ ଶିତଲ। ଏହି କୁନି ଝିଅକୁ ସହାୟତା ଦେଇଛନ୍ତି ରାଜ୍ୟ ସରକାର। ଶିତଲ ପଢ଼ୁଥିବା ସ୍କୁଲକୁ ଆଜି ସାଢ଼େ ୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି ସରକାର।

ଶିତଲ ଏବେ ଡିପିଏସ୍ କଳିଙ୍ଗରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ତାଙ୍କ ପାଠ ପଢ଼ାରେ ଯେମିତି ଅର୍ଥ ପ୍ରତିବନ୍ଧକ ନସାଜେ ସେଥିପାଇଁ ସରକାର ଏହି ସହାୟତା ରାଶି ଦେଇଛନ୍ତି। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ା ଖର୍ଚ୍ଚ ଦେଇଛନ୍ତି ସରକାର। ଏଥିପାଇଁ ପରିବାରବର୍ଗ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

୨୦୧୭ ସେପ୍ଟେମ୍ବର ୧୦ ତାରିଖର ଘଟଣା। ଝିଅ ଶିତଲକୁ ଡ୍ୟାନ୍ସ କ୍ଲାସକୁ ନେଇ ଗାଡ଼ିରେ ଘରକୁ ଫେରୁଥିଲେ ସତ୍ୟବ୍ରତ ପଟ୍ଟନାୟକ। ବମିଖାଲ ପାସ୍‌ କରିବା ବେଳେ ହଠାତ୍ ଖସିପଡ଼ିଥିଲା ଓଭରବ୍ରିଜ। ଓଭରବ୍ରିଜର ଗୋଟିଏ ସ୍ଲାବ୍ ଆସି ସତ୍ୟ ଓ ଶିତଲ ଯାଉଥିବା ଗାଡ଼ି ଉପରେ ମାଡ଼ ହେଲା। ଫଳରେ ସତ୍ୟ ପଟ୍ଟନାୟକ ଏଥିରେ ଗୁରୁତର ଆହତ ହେବା ସହ କୁନି ଝିଅ ଶିତଲ ମଧ୍ୟ ଆହତ ହୋଇଥିଲେ।

ବାପା, ଝିଅଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସତ୍ୟଙ୍କୁ ମୃତ ଘୋଷଣା କରିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ଶିତଲ। ସତ୍ୟବ୍ରତଙ୍କ ମୃତ୍ୟୁ ପରେ ଅଭାବ ଅସୁବିଧାରେ ଚଳୁଥିଲେ ପରିବାର ଲୋକେ। ଘର ଚଳାଇବା ଏବଂ ଶୀତଲର ପାଠ ପଢ଼ା ଖର୍ଚ୍ଚ ପାଇଁ ରାଜ୍ୟ ସରକାରଙ୍କୁ ସହାୟତା ମାଗିଥିଲେ ପରିବାରବର୍ଗ।

ପରିବାରବର୍ଗଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ସେତେବେଳେ ୫ ଲକ୍ଷ ଟଙ୍କାର ସହାୟତା ଦେଇଥିଲେ। ଏବେ ଶିତଲଙ୍କ ପାଠ ପଢ଼ା ଖର୍ଚ୍ଚ ପାଇଁ ସରକାର ସାଢ଼େ ୬ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି।

Comment