ଓଡ଼ିଶାଲାଇଭ୍‍ ବ୍ୟୁରୋ

ପ୍ରେମିକାର ମାନଭଞ୍ଜନ ପାଇଁ ଅଭିନବ ପନ୍ଥା ଆପଣେଇ ନେଇଛି ପ୍ରେମିକସହରସାରା ଲାଗିଥିବା ପ୍ରାୟ ତିନି ଶହ ବ୍ୟାନର ଓ ଫ୍ଲେକ୍‌ସ ହୋର୍ଡିଂରେ ପ୍ରେମିକାର ନାଁ ସହ ଲେଖାଯାଇଛି ‘ଆଇ ଆମ୍‌ ସରି’

ପ୍ରେମରେ ସୃଜନଶୀଳତାର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁଣେ ନିକଟ ପିମ୍ପରି-ଚିଞ୍ଚୱାଡ଼ ସହରରେ। ପ୍ରେମିକାର ମାନଭଞ୍ଜନ ପାଇଁ ଅଭିନବ ପନ୍ଥା ଆପଣେଇ ନେଇଛି ପ୍ରେମିକ। ସହରସାରା ଲାଗିଥିବା ପ୍ରାୟ ତିନି ଶହ ବ୍ୟାନର ଓ ଫ୍ଲେକ୍‌ସ ହୋର୍ଡିଂରେ ପ୍ରେମିକାର ନାଁ ସହ ଲେଖାଯାଇଛି ‘ଆଇ ଆମ୍‌ ସରି’। ହେଲେ ପୋଲିସ ଓ ପୌର ପ୍ରଶାସନକୁ ପ୍ରଭାବିତ କରିପାରିନାହିଁ ବିଚରା ପ୍ରେମିକର ଅଭିନବ ଉପାୟ।

ଶୁକ୍ରବାର ସକାଳୁ ସକାଳୁ ପିମ୍ପରି-ଚିଞ୍ଚୱାଡ ସହରର ପିମ୍ପରି-ସୌଦାଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ବଡ଼ ବଡ଼ ହୋର୍ଡିଂ ଓ ବ୍ୟାନର। ଲେଖାହୋଇଥିଲା ନାଁଟିଏ ସହିତ ‘ଆଇ ଆମ୍‌ ସରି’। ଶେଷରେ ଲାଲ ରଙ୍ଗର ହୃଦୟ ଚିହ୍ନଟିଏ ବି ଥିଲା। ଲୋକେ ଅନୁମାନ କରିନେଇଥିଲେ ଯେ ଏହା ପ୍ରେମବ୍ୟାପାର। ହେଲେ କିଏ ସେହି ପ୍ରେମିକ ଏବଂ କିଏ ତା’ର ପ୍ରେମିକା ଜାଣିପାରି ନଥିଲେ।

ପୋଲିସ କାନକୁ ଖବର ଗଲା ପରେ ଆରମ୍ଭ ହେଲା ତଦନ୍ତ। ବେଆଇନ ହୋର୍ଡିଂ ଲଗାଇବା ଏବଂ ସର୍ବସାଧାରଣ ସଂପତ୍ତିକୁ ବିକୃତ କରିଥିବା ଅଭିଯୁକ୍ତକୁ ଖୋଜା ଚାଲିଲା। ଫ୍ଲେକ୍‌ସ ପ୍ରିଣ୍ଟ କରିଥିବା ସଂସ୍ଥାର ସନ୍ଧାନ ନେଇ ପୋଲିସ ଚିହ୍ନଟ କରିଥିଲା ପ୍ରେମିକ ନିଲେଶ ଖେଡେକରଙ୍କୁ ।

ଏହି ପ୍ରେମକାହାଣୀର ନାୟକ ନିଲେଶ ଜଣେ ବ୍ୟବସାୟୀ। ମୁମ୍ବାଇରେ ରହୁଥିବା ଜଣେ ଝିଅକୁ ପ୍ରେମ କରନ୍ତି। କିଛି ଦିନ ତଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୁହେଁ ଦୁହିଁଙ୍କଠାରୁ ଦୂରେଇ ଯାଇଥିଲେ। ବୋଧହୁଏ, ପରେ ନିଲେଶ ଅନୁଭବ କଲେ ଯେ ସବୁ ଦୋଷ ତାଙ୍କର। ପ୍ରେମିକାକୁ ମନାଇବା ପାଇଁ ରୀତିମତ ଯୋଜନା କଲେ।

ତାଙ୍କୁ ଖବର ମିଳିଥିଲା ଯେ ଶୁକ୍ରବାର ଦିନ ମୁମ୍ବାଇରୁ ପିମ୍ପରି-ସୌଦାଗରକୁ ଆସୁଛନ୍ତି ନିଲେଶଙ୍କ ପ୍ରେମିକା। ଗୁରୁବାର ରାତିରେ ହିଁ ସହର ସାରା ବ୍ୟାନର, ହୋର୍ଡିଂ ଲଗାଇଲେ ନିଲେଶ। ଫ୍ଲେକ୍‌ସ ପ୍ରିଣ୍ଟ କରିବାରେ ସାହାଯ୍ୟ କରିଥିଲେ ବନ୍ଧୁ ବିଳାସ ସିନ୍ଦେ। ଯେଉଁ ରାସ୍ତା ଦେଇ ନିଲେଶଙ୍କ ପ୍ରେମିକା ଯିବାର ଥିଲା ସେହି ରାସ୍ତାରେ ହିଁ ଲାଗିଥିଲା ହୋର୍ଡିଂ ଓ ବ୍ୟାନର।

ବ୍ୟାନର ଓ ହୋର୍ଡିଂ ଲଗାଇ କେତେ ସଫଳତା ପାଇଲେ ନିଲେଶ ଏବଂ ତାଙ୍କ ପ୍ରେମିକାର ମାନଭଞ୍ଜନ ହେଲା କି ନାହିଁ, ଜଣାପଡ଼ିନାହିଁ। କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇସାରିଲାଣି ପିମ୍ପରି-ଚିଞ୍ଚୱାଡ ପୌର ପ୍ରଶାସନ।

Comment