ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ବାଲିକୁଦା ଷ୍ଟେସନ ନିକଟରେ ସୋମବାର ସନ୍ଧ୍ୟାରେ ଅଳ୍ପକେ ବର୍ତ୍ତି ଯାଇଛି ମେମୁ ଟ୍ରେନ। ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଶହ ଶହ ଜୀବନ ରକ୍ଷା ପାଇଛି।

କଟକ ବାଲିକୁଦାଠାରେ ଓଭରବ୍ରିଜ କାମ ଚାଲିଥିଲା। ଏହି କାମ ପାଇଁ ରୋଡ କ୍ରେନର ବ୍ୟବହାର କରାଯାଇଥିଲା। କାମ ଶେଷ ହେବା ପରେ ରୋଡ କ୍ରେନଟି କଟକ ଫେରି ଯାଇଥିଲା। ଯିବା ସମୟରେ କ୍ରେନଟି ସ୍ଲିପର ଏବଂ ଟ୍ରେନ ଟ୍ରାକରେ କ୍ଷତି ପହଞ୍ଚାଇଥିଲା। ଟ୍ରାକ୍‌ଟି କିଛି ସ୍ଥାନରେ ବଙ୍କା ହୋଇଯାଇଥିଲା।

ଟ୍ରେନ ଆସିଲେ ବିପଦ ଥିବା ଆଶଙ୍କା କରି ଏହି ସ୍ଥାନରେ ଲାଲ ପତାକା ପୋତା ଯାଇଥିଲା। ମେମୁ ଟ୍ରେନ ଏହି ବାଟ ଦେଇ ଯାଉଥିବା ବେଳେ ଚାଳକଙ୍କର ହଠାତ୍ ଲାଲ ପତାକା ଉପରେ ଆଖି ପଡ଼ିଥିଲା। ଏଣୁ ବିପଦ ଥିବା ଆଶଙ୍କା କରି ସେ ଉପସ୍ଥିତ ବୁଦ୍ଧି ଖଟାଇ ଜରୁରୀକାଳୀନ ବ୍ରେକ ମାରି ଟ୍ରେନକୁ ଅଟକାଇଥିଲେ।

ଖବର ଜଣାପଡ଼ିବା ମାତ୍ରେ ଟ୍ରେନରେ ବସିଥିବା ଯାତ୍ରୀ ତଳକୁ ଓହ୍ଲାଇ ପଡ଼ିଥିଲେ। ୪୦ ମିନିଟ୍ ପରେ ଟ୍ରାକ ମରାମତି ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା।

ପୂର୍ବତଟ ରେଳପଥ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଖୋର୍ଦ୍ଧା ରୋଡ ଡିଆର୍‌ଏମ୍ ବ୍ରଜମୋହନ ଅଗ୍ରୱାଲଙ୍କ ନେତୃତ୍ୱରେ ୪ ଜଣିଆ ତଦନ୍ତ ଟିମ୍ ଗଠନ କରାଯାଇଛି। ୪୮ ଘଣ୍ଟା ଭିତରେ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଛି।

Comment