ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଗଡ଼ିଲା ପ୍ରଥମ ଟ୍ରେନ୍‌। ହରିଦାସପୁର-ପାରାଦୀପ ରେଳପଥରେ ପରୀକ୍ଷାମୂଳକ ଭାବେ ଏକ ଯାତ୍ରୀବାହୀ ଟ୍ରେନ୍‌ ଗଡ଼ିଥିଲା। ଶୁକ୍ରବାର ଦିନ ୧୦ଟା ୧୩ ମିନିଟ ସମୟରେ ହରିଦାସପୁର ଷ୍ଟେସନ ଛାଡ଼ିଥିଲା ଟ୍ରେନ। କେନ୍ଦ୍ରାପଡ଼ା ଜିଲ୍ଲା ଅତିକ୍ରମକରି ପାରାଦୀପରେ ଏହି ଟ୍ରେନ ପହଞ୍ଚିଥିଲା। ପାରାଦୀପ-କଟକ ରେଳପଥ ଦେଇ ଟ୍ରେନଟି ଫେରିଯାଇଥିବା ଜଣାପଡ଼ିଛି। ରେଳ ବିଭାଗର ବହୁ ବରିଷ୍ଠ କର୍ମକର୍ତ୍ତା ଓ ଯନ୍ତ୍ରୀମାନେ ଉପସ୍ଥିତ ରହି ରେଳ ଚଳାଚଳର ଗତିବିଧି ନିରୀକ୍ଷଣ କରି ରେଳ ବିଭାଗକୁ ରିପୋର୍ଟ ଦେବାପରେ ପରବର୍ତ୍ତୀ ପୂର୍ଣ୍ଣାଙ୍ଗ ଟ୍ରେନ ଚଳାଚଳ କରିବ।

୧୯୯୭ ମସିହାରେ ହରିଦାସପୁର-ପାରାଦୀପ ରେଳପଥର ପରିକଳ୍ପନା କରାଯାଇଥିଲା।  ତତ୍କାଳନୀ ଦେବଗୌଡା ସରକାରଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଥିବା ନୀତିଶ କୁମାର ୧୯୯୯ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇଠାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ଦୀର୍ଘ ୨୩ ବର୍ଷ ପରେ ଏହି ହରିଦାସପୁର-ପାରାଦୀପ ରେଳପଥ ପୂର୍ଣ୍ଣାଙ୍ଗ ହୋଇଛି।

୮୨ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥରେ ଯାଜପୁର ଜିଲ୍ଲାରେ ୨୯ କିଲୋମିଟର, ଜଗତସିଂହପୁର ଜିଲ୍ଲାରେ ୨୦ କିଲୋମିଟର ଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ଏହାର ଦୈର୍ଘ୍ୟ ୪୩ କିଲୋମିଟର ରହିଛି। ଏହି ଫାଟକ ବିହୀନ ରେଳପଥ ଖଣିଜ ସମ୍ପଦ ଭରା ଜିଲ୍ଲା ଯାଜପୁର ସହିତ ବନ୍ଦର ଜିଲ୍ଲା ଜଗତସିଂହପୁରକୁ ଯୋଡିଛି। କେବଳ କେନ୍ଦ୍ରାପଡା ଜିଲା ଦୁଇ ବିକଶିତ ଜିଲ୍ଲା ମଧ୍ୟରେ ସଂଯୋଗର ସେତୁ ହୋଇଛି। ବିଶେଷକରି ଯାଜପୁରରୁ ପାରାଦୀପ ବନ୍ଦରକୁ ମାଲପରିବହନ କରିବାକୁ ଏହି ରେଳପଥରେ ମାଲବାହୀ ଟ୍ରେନ ଚଳାଚଳ କରିବ। ଏବେ କେନ୍ଦ୍ରାପଡା ଜିଲ୍ଲାର ଲୋକେ ଏଥିରୁ ସେତେଟା ଫାଇଦା ପାଇପାରିବେନି। କେବଳ ରେଳପଥ ନଥିବା ଜିଲ୍ଲାର ବଦନାମରୁ ମୁକ୍ତି ମିଳିଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅନେକଙ୍କ ମତରେ ଏହି ରେଳପଥ କେନ୍ଦ୍ରାପଡା ଜିଲ୍ଲାର ଭିତ୍ତିଭୂମି ବିକାଶର ମୂଳଦୁଆ ବୋଲି କୁହାଯାଉଛି। ଯଦି ଏହି ରେଳପଥରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ନକରିବ ତେବେ କେନ୍ଦ୍ରାପଡ଼ା ଜିଲ୍ଲାକୁ କୌଣସି ଫାଇଦା ହେବନି।

CGU newଏହି ରେଳପଥରେ ଚଳିତ ମାସ ଶେଷ ବେଳକୁ ପୂର୍ଣ୍ଣାଙ୍ଗ ଭାବେ ଟ୍ରେନ ଚଳାଚଳ କରିବ। ଯାଜପୁର ଜିଲ୍ଲାରୁ ଲୁହାପଥର ମାଙ୍ଗାନିଜ ଆଦି ମୂଲ୍ୟବାନ ପଥର ନେଇ ଟ୍ରେନ ସହଜରେ ପାରାଦୀପ ବନ୍ଦରରେ ପହଞ୍ଚି ପାରିବ। ଏହାଦ୍ୱାରା ମାଲପରିବହନ କ୍ଷେତ୍ରରେ ସରକାରଙ୍କର ଖର୍ଚ୍ଚ କମିବ ଓ ସରକାରଙ୍କର ଆର୍ଥିକ ବିକାଶରେ ଏହି ରେଳପଥ ଆଉ ଏକ ଭାଗିଦାରୀ ହେବ।

ଟ୍ରେନ ଚଳାଚଳ କଲେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ଟ୍ରକ ବ୍ୟବସାୟୀଙ୍କ ଉପରେ। ଦୈତାରୀ-ପାରାଦୀପ ୫ ନମ୍ବର (କ) ଜାତୀୟ ରାଜପଥରେ ଯାଜପୁର ଜିଲ୍ଲାରୁ ପାରାଦୀପ ବନ୍ଦରକୁ ଦୈନିକ ହଜାର ହଜାର ଟ୍ରକ ଜରିଆରେ କରାଯାଉଥିବା ଲୁହାପଥର ଓ ମାଙ୍ଗାନିଜ ଆଦି ଖଣିଜ ପଦାର୍ଥ ପରିବହନ ଉପରେ ରୋକ୍ ଲାଗିବ। ଫଳରେ ଟ୍ରକ ବ୍ୟବସାୟୀମାନେ ବ୍ୟବସାୟ ହରାଇବାକୁ ବାଧ୍ୟ ହେବେ। କେନ୍ଦ୍ରାପଡା ଜିଲ୍ଲାର ଶିଳ୍ପ ବିକାଶ ହୋଇ ନପାରିବା ପଛରେ ରେଳପଥକୁ ଦାୟୀ କରୁଥିବା ରାଜନେତାମାନେ ଏବେ ଜିଲ୍ଲାର ବିକାଶ ପାଇଁ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ।

Comment