ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ଗୁଣ୍ଡି ଟ୍ରେନ୍‌ ଦୁର୍ଘଟଣା ପାଇଁ ଦାୟୀ କିଏ? କୁହୁଡ଼ି, ସିଗ୍‌ନାଲ ସମସ୍ୟା ନା ମନୁଷ୍ୟକୃତ?

ରେଲୱେ ଟ୍ରାକ୍‌ରେ ଛିଡ଼ା ହୋଇଥିଲା ମାଲବାହୀ ଟ୍ରେନ୍‌। ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ଏକ୍ସପ୍ରେସ୍‌ ପଛରୁ ଆସି ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା। ୧୭ରୁ ଅଧିକ ଯାତ୍ରୀ ଆହତ ହେବା ସହ ୫ ଜଣ ଗୁରୁତର ହୋଇଥିଲେ।

ଏହି ଦୁର୍ଘଟଣାଟି ଘଟିଥିଲା କଟକ ଟାଙ୍ଗୀସ୍ଥିତ ନିର୍ଗୁଣ୍ଡି ଷ୍ଟେସନରେ। ଗୁରୁବାର ସକାଳ ପ୍ରାୟ ୭ଟାରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏଥିପାଇଁ କିଏ ଦାୟୀ ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରେଳବାଇର ଚରମ ଅବହେଳା ପାଇଁ ଏଭଳି ଦୁର୍ଘଟଣା ଘଟିଥିଲା ବୋଲି କୁହାଯାଉଛି।

ନିର୍ଗୁଣ୍ଡି ଷ୍ଟେସନର ୨୦୦ ମିଟର ଦୂରରେ ପୂର୍ବରୁ ଛିଡା ହୋଇଥିଲା ମାଲବାହୀ ଟ୍ରେନ୍‌। ତେବେ ମୁମ୍ବାଇରୁ ଯାତ୍ରୀଙ୍କୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରସ୍‌କୁ ଆଗକୁ ଯିବା ପାଇଁ କିଏ ସିଗ୍‌ନାଲ ଦେଲା ବୋଲି ପ୍ରଶ୍ନ ଉଠିଛି। ରେଳବାଇ କର୍ତ୍ତୃପକ୍ଷଙ୍କ ସିଗ୍‌ନାଲକୁ ଯାତ୍ରୀବାହୀ ଟ୍ରେନର ପାଇଲଟ ଧରି ପାରିଲେନି ନା ରେଳବାଇ ପକ୍ଷରୁ ସିଗ୍‌ନାଲ ଦିଆଯାଇ ନଥିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କୁହୁଡ଼ି ହୋଇଥିବାରୁ ଯାତ୍ରୀବାହୀ ଟ୍ରେନ୍‌ର ସ୍ପିଡ୍‌ କମ୍ ଥିଲା। ଯଦି ଦ୍ରୁତ ଗତିରେ ଟ୍ରେନଟି ଆସି ମାଲବାହୀ ଟ୍ରେନକୁ ଧକ୍କା ଦେଇଥାନ୍ତା ତାହାଲେ ପରିଣାମ କ’ଣ ହୋଇଥାନ୍ତା ତାହା ସହଜରେ ଜଣାପଡୁଛି। ଟ୍ରେନର ବେଗ କମ୍‌ ଥିବାରୁ ଯାତ୍ରୀମାନଙ୍କର ବିଶେଷ କ୍ଷୟକ୍ଷତି ହୋଇନି।

କେବଳ ୧୭ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ଏବଂ ୫ ଜଣ ଗୁରୁତର ହୋଇଥିଲେ। ଗୁରୁତର ଯାତ୍ରୀଙ୍କୁ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସା କରାଯାଉଛି।

ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଲା ତାହା ଶୂନଶାନ୍‌ ଥିଲା। କୁହୁଡ଼ି ଥିବାରୁ ଲୋକମାନେ ବାହାରକୁ ବାହାରି ନଥିଲେ। କିନ୍ତୁ ଯାତ୍ରୀବାହୀ ଟ୍ରେନ୍‌ଟି ମାଲବାହୀ ଟ୍ରେନ ପଛକୁ ଧକ୍କା ଦେବା ପରେ ଯେଉଁ ଶବ୍ଦ ହୋଇଥିଲା ତାହା ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଧାଇଁଥିଲେ।

ଟ୍ରେନରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୋଲିସ, ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଯାତ୍ରୀମାନଙ୍କ ଲଗେଜକୁ ମଧ୍ୟ ସ୍ଥାନୀୟ ଲୋକ ବାହାରକୁ ବୋହି ଆଣିଥିଲେ।

ଟ୍ରେନ୍‌ ଦୁର୍ଘଟଣାର ତଦନ୍ତ କରାଯିବ। କାହିଁକି ଏଭଳି ଦୁର୍ଘଟଣା ଘଟିଲା ଏବଂ ଏଥିପାଇଁ କିଏ ଦାୟୀ ତାହା ଜାଣିବା ପାଇଁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୮ ତାରିଖରୁ ରେଲୱେ ସେଫ୍‌ଟି କମିସର ଏହାର ତଦନ୍ତ ଆରମ୍ଭ କରିବେ।

‘‘ଇଞ୍ଜିନର ସ୍ପିଡର ମିଟରକୁ ପ୍ରଥମେ ସିଜ୍‌ କରାଯିବ। ଏଥିରୁ ଜଣାପଡ଼ିବ ଟ୍ରେନର ବେଗ ଜଣାପଡ଼ିବ। ଅଟୋମେଟିକ୍‌ ସିଗ୍‌ନାଲ ଟେରିଟୋରିରେ ଯେଉଁ ବିସ୍ତୃତ ନିୟମ ଅଛି ତାହା କଡ଼ାକଡ଼ି ପାଳନ ହୋଇଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯିବ’’, କହିଛନ୍ତି ପୂର୍ବତଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତିପ୍ରକାଶ ମିଶ୍ର।

ପ୍ରଥମ ପର୍ଯ୍ୟାୟରେ ୪ ଜଣଙ୍କୁ ନିଲମ୍ବିତ କରାଯାଇଛି। ନିର୍ଗୁଣ୍ଡି ଷ୍ଟେସନ୍ ମାଷ୍ଟର, ମାଲବାହୀ ଗାଡ଼ିର ଗାର୍ଡ, ଏକ୍ସପ୍ରେସ୍ ଟ୍ରେନର ଲୋକୋ ପାଇଲଟ୍ ଓ ସହକାରୀ ଲୋକୋ ପାଇଲଟଙ୍କୁ ନିଲମ୍ବିତ କରାଯାଇଛି।

Comment