ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ଚାର୍ଜସିଟ୍ ଦାଖଲ
  • ୩୦୦ ପୃଷ୍ଠାର ଚାର୍ଜସିଟ୍
  • ଚାର୍ଜସିଟ୍‌ରେ ୭୨ ଜଣଙ୍କ ସାକ୍ଷୀ ରେକର୍ଡ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ୩୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଏହି ଚାର୍ଜସିଟିରେ ୭୨ ଜଣଙ୍କ ସାକ୍ଷୀ ଓ ବୟାନ ରହିଛି।

କଲେଜ ଅଧ୍ୟକ୍ଷ ପଦ ପାଇଁ ବିବାଦ ଚାଲିଥିବାରୁ ପୁଞ୍ଜିଲାଲ ଏଭଳି କାଣ୍ଡ ଘଟାଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ। ପାଟଣାଗଡ଼ ଏସ୍‌ଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ତଦନ୍ତର ୧୨୦ ଦିନ ପରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ।

ଫେବ୍ରୁଆରି ୨୩ ତାରିଖର ଘଟଣା। ୧୮ ତାରିଖରେ ପାଟଣାଗଡ଼ର ରବିନ୍ଦ୍ର ସାହୁଙ୍କ ପୁଅ ସୌମ୍ୟଶେଖରଙ୍କର ବାହାଘର ହୋଇଥିଲା ଧୁମ୍‌ଧାମରେ। ବେଙ୍ଗାଳୁରରେ ଇଞ୍ଜିନିୟର ଥିବା ସୌମ୍ୟ ସୋନପୁରର ରିମାଙ୍କୁ ବିବାହ କରିଥିଲେ। ୨୦ ତାରିଖରେ ବଡ଼ ଜାକଜମକରେ ହୋଇଥିଲା ରିସେପ୍‌ସନ୍। ବାହାଘରର ସବୁ କାମରୁ ଫୁରସତ୍ ପାଇ ଶୁକ୍ରବାର ଦିନବେଳେ ଖୋଲା ଯାଇଥିଲା ଗିଫ୍ଟ ପ୍ୟାକେଟ୍। ଏହି ସମୟରେ ରାୟପୁରରୁ ଶୁକ୍ରବାର ଏକ ଗିଫ୍ଟ ପାର୍ସଲ ଆସି ପହଞ୍ଚିଥିଲା। କିଏ କ’ଣ ଉପହାର ଦେଇଛନ୍ତି ତାକୁ ଦେଖିବା ପାଇଁ ରିମା ଏବଂ ସୌମ୍ୟଶେଖର ଗୋଟିଏ ପରେ ଗୋଟି ଗିଫ୍ଟ ଖୋଲି ଖୁସି ମନାଉଥିଲେ।

ଏହି ଖୁସିରେ ସାମିଲ୍ ହୋଇଥିଲେ ଜେଜେମା ଜେମାମଣି। ହେଲେ ଏହି ଖୁସି ବେଶୀ ସମୟ ରହି ନଥିଲା। ପାର୍ସଲରେ ଆସିଥିବା ଗିଫ୍ଟ ପ୍ୟାକେଟ୍ ଖୋଲୁଖୋଲୁ ହଠାତ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ନବ ଦମ୍ପତ୍ତି ଏବଂ ଜେଜେମା। ବିସ୍ଫୋରଣର ଶବ୍ଦ ଏତେ ଶକ୍ତିଶାଳୀ ଥିଲା ଯେ ଘରର କାନ୍ଥ ବି ସମ୍ଭାଳି ପାରି ନଥିଲା।

ଆହତ ୩ ଜଣଙ୍କୁ ପ୍ରଥମେ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜେମାମଣି ଏବଂ ସୌମ୍ୟଶେଖର ଆଗ ପଛ ହୋଇ ଚାଲି ଯାଇଥିଲେ। ରିମାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା।

ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେ ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରି କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା। ଏପ୍ରିଲ ୨୫ରେ କଲେଜ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଗିରଫ କରାଯାଇଥିଲା।

Comment