ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିକୋର୍ଟଙ୍କ ପ୍ରଶ୍ନ – ଯଦି ଜଣେ ସଂରକ୍ଷିତ ବର୍ଗରୁ ଆସି ଗୋଟିଏ ରାଜ୍ୟର ମୁଖ୍ୟ ଶାସନ ସଚିବ ହେଲେ ତେବେ ବି କ’ଣ ତାଙ୍କ ପରିବାରର ସଦସ୍ୟଙ୍କୁ ପଛୁଆ ବର୍ଗ ବୋଲି ଗଣତି କରାଯିବ?

ଅନୁସୂଚିତ ଜାତି ଓ ଜନଜାତିଙ୍କୁ ପଦୋନ୍ନତି ସମ୍ବନ୍ଧୀୟ ମାମଲାରେ ଶୁକ୍ରବାରଦିନ ସୁପ୍ରିମକୋର୍ଟର ବିଚାରପତିମାନେ ଏକ ମୌଳିକ ପ୍ରଶ୍ନ ଉଠାଇଛନ୍ତି।

ମାମଲାର ଶୁଣାଣି ବେଳେ ବିଚାରପତି ଅନେକ ଗୁଡିଏ ପ୍ରଶ୍ନ ଉତ୍ଥାପନ କରିଥିଲେ। କିନ୍ତୁ ବଡ଼ ପ୍ରଶ୍ନଟି ଥିଲା ଓ ଶୀର୍ଷ ଅଦାଲତ ଯାହା ଗୁରୁତ୍ୱ ଦେଇ ପଚାରିଲେ, ଯଦି ଜଣେ ସଂରକ୍ଷିତ ବର୍ଗରୁ ଆସି ଗୋଟିଏ ରାଜ୍ୟର ମୁଖ୍ୟ ଶାସନ ସଚିବ ହେଲେ ତେବେ ବି କ’ଣ ତାଙ୍କ ପରିବାରର ସଦସ୍ୟଙ୍କୁ ପଛୁଆ ବର୍ଗ ବୋଲି ଗଣତି କରାଯିବ? ପୁଅ -ନାତି ସମସ୍ତଙ୍କୁ ସଂରକ୍ଷଣ ଦେଇ ଚାଲିବା ତର୍କସଙ୍ଗତ ହେବ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

ସୁପ୍ରିମକୋର୍ଟର ଯେଉଁ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଚାଲିଛି ସେହି ବେଞ୍ଚ ବର୍ତ୍ତମାନ ଏହି ପ୍ରସଙ୍ଗର ତର୍ଜମା କରୁଛନ୍ତି କି କ୍ରିମି ଲେୟରର ବ୍ୟବସ୍ଥାକୁ ଅନୁସୂଚିତ ଜନଜାତି ଓ ଜାତି ପାଇଁ ବି ଲାଗୁ ହେବ କି ? କ୍ରିମି ଲେୟର ଏବେ କେବଳ ଓବିସିଙ୍କ ପାଇଁ କାର୍ଯ୍ୟକାରୀ ହେଉଛି।

ଗୁରୁବାର ଦିନ ଶୁଣାଣିବେଳେ ସୁପ୍ରିମକୋର୍ଟ ପଚାରିଥିଲେ ଯଦି ଆମେ ଧରିବା ଯେ ଗୋଟିଏ ନିର୍ଦ୍ଦିଷ୍ଟ ଜାତି ୫୦ ବର୍ଷ ଧରି ପଛୁଆ ବର୍ଗ ଭିତରେ ଆସୁଛି ଓ ଏଥି ମଧ୍ୟରୁ ଗୋଟିଏ ବର୍ଗ କ୍ରିମି ଲେୟର ଭିତରକୁ ଆସିଯାଇଛନ୍ତି, ସେହି ସ୍ଥିତିରେ କଣ କରାଯିବା ଦରକାର?

କୋର୍ଟ କହିଲେ ଯେ ସଂରକ୍ଷଣର ଅସଲ ଉଦ୍ଦେଶ୍ୟ ହେଉଛି ସେହି ଲୋକମାନଙ୍କୁ ସାହାଯ୍ୟ କରିବା ଯେଉଁମାନେ ସାମାଜିକ ଦୃଷ୍ଟିରେ ପଛୁଆ ହୋଇ ରହିଛନ୍ତି ଓ ଆଗକୁ ବଢ଼ିବାରେ ସକ୍ଷମ ନୁହଁନ୍ତି। ଏହି ପ୍ରସଙ୍ଗର ପୁଙ୍ଖାନୁପୁଙ୍ଖ ତର୍ଜମା ନିତାନ୍ତ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

ହଜାର ବର୍ଷର ସମସ୍ୟା

ଏଥିପୂର୍ବରୁ ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ କହିଥିଲେ ଯେ ୨୦୦୬ର ଆସିଥିବା ନାଗରାଜ ବନାମ କେନ୍ଦ୍ର ସରକାର ରାୟ ଅନୁଯାୟୀ ଏସସି-ଏସଟିଙ୍କ କ୍ଷେତ୍ରରେ ପଦୋନ୍ନତି ଦେବା ବର୍ତ୍ତମାନ ବନ୍ଦ ଅଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେଟଲ କେକେ ବେଣୁଗୋପାଲ ଯୁକ୍ତି କରିଥିଲେ ଯେ ପଦୋନ୍ନତିରେ ସଂରକ୍ଷଣ ଦିଆଯିବା ଉଚିତ କି ନା ସେକଥା ସେ କହିପାରିବି ନାହିଁ। କିନ୍ତୁ ଏହି ପ୍ରସଙ୍ଗଟି ହଜାରେ ବର୍ଷ ଧରି ଝୁଲିକି ରହିଛି ଓ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ସବୁଦିନ ପାଇଁ ଏହାର ଫଇସଲା କରିବା ଉଚିତ।

ନାଗରାଜ ଜଜମେଣ୍ଟର ପୁନର୍ବିଚାର ଦାବି

ଆଟର୍ଣ୍ଣି ଜେନେରାଲ ବେଣୁଗୋପାଲ ସର୍ବୋଚ୍ଚ ନ୍ୟାଳୟରେ ଯୁକ୍ତି କରି କହିଲେ ଯେ ଆଜି ବି ଏସସି-ଏସଟି ମାନେ ଉତ୍ପୀଡ଼ନର ଶିକାର ହେଉଛନ୍ତି। ଏଣୁ ୨୦୦୬ର ନାଗରାଜ ରାୟର ପୁନର୍ବିଚାର ହେବା ନିତାନ୍ତ ଜରୁରୀ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ବେଣୁଗୋପାଲ କହିଥିଲେ ଯେ ଏସସି-ଏସଟି ମାନେ ମୂଳରୁ ହିଁ ପଛୁଆ ରହି ଆସିଛନ୍ତି। ଏଣୁ ପ୍ରମୋସନରେ ସଂରକ୍ଷଣ ଦେବା ପାଇଁ ଅଲଗା ଡାଟାର କୌଣସି ଆବଶ୍ୟକତା ନାହିଁ। ବେଣୁଗୋପାଲ ଯୁକ୍ତି କରିଥିଲେ ଯେ ଯଦି ଜଣେ ଏସସି-ଏସଟି କୋଟାରେ ଚାକିରୀ ପାଇଛନ୍ତି, ପ୍ରମୋସନ ବେଳକୁ ପୁଣି ଡାଟା ବା ତଥ୍ୟ କଣ ଦରକାର?

୨୦୦୬ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ନାଗରାଜ କେଶରେ ରାୟ ଦେଇ କହିଥିଲେ ଯେ ସରକାର ଏସସି-ଏସଟି ମାନଙ୍କୁ ତେବେ ଯାଇ କୋଟାରେ ପ୍ରୋମୋସନ ଦେଇପାରିବେ ଯେତେବେଳେ ତଥ୍ୟକୁ ଆଧାର କରି ସରକାର ଅନୁଭବ କରିବେ ଯେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପ୍ରତିନିଧିତ୍ୱ ଏବେ ବି କମ ରହିଛି ଓ ପ୍ରଶାସନର ମଜବୁତ ପାଇଁ ସେମାନଙ୍କୁ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ଦିଆଯିବା ଜରୁରୀ।

Comment