ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାକର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ଓଡ଼ିଆ ଝିଅ ଦୂତି ଚାନ୍ଦ ୧୦୦ ମିଟର ଦୌଡର ଫାଇନାଲରେ ରୌପ୍ୟ ପଦକ ଜିତିଛନ୍ତି।

ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କ କମାଲ। ଦୂତି ନିଜ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ଜାକର୍ତ୍ତାରେ ଚାଲିଥିବା ଏସିଆନ ଗେମ୍ସର ମହିଳା ୧୦୦ ମିଟର ରେସ୍‌ରେ ରୌପ୍ୟ ପଦକ ଜିତି ଦେଶ ଓ ରାଜ୍ୟକୁ ଗର୍ବିତ କରିଛନ୍ତି ଏହି ତାରକା ଆଥଲେଟ୍‌।

ଯୋଗ୍ୟତା ପର୍ଯ୍ୟାୟରେ ୧୧.୩୮, ସେମିଫାଇନାଲରେ ୧୧.୪୩ ସେକେଣ୍ଡ ସମୟ ନେଇଥିବା ଦୂତି ଫାଇନାଲ ବେଳକୁ କିନ୍ତୁ ଚମତ୍କାର ପ୍ରଦର୍ଶନ କରି ୧୧.୩୨ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ଦୂତି ବାହାରିନ୍‌ର ଓଡିଅଙ୍ଗ ଇଡିଡିଅଙ୍ଗଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ମହିଳା ୧୦୦ ମିଟର ରେସ୍‌ରେ ଦୀର୍ଘ ୨୦ ବର୍ଷର ପଦକ ଶୂନ୍ୟତାକୁ ଭାଙ୍ଗି ରାଜ୍ୟକୁ ଗର୍ବିତ କରିଛନ୍ତି ଯାଜପୁର ଚକା ଗୋପାଳପୁରର ଦୂତି।

ଏସିଆନ ଗେମ୍ସର କୌଣସି ବ୍ୟକ୍ତିଗତ ଇଭେଣ୍ଟରେ ଓଡ଼ିଶା ପାଇଁ ଏହା ଶ୍ରେଷ୍ଠ ସଫଳତା। ପୂର୍ବରୁ ୧୯୯୮ ବ୍ୟାଙ୍କକ୍‌ ଏସିଆନ ଗେମ୍ସରେ ରଚିତା ମିସ୍ତ୍ରୀ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ତାହା ଏପର୍ଯ୍ୟନ୍ତ ଓଡ଼ିଶା ପାଇଁ କୌଣସି ବ୍ୟକ୍ତିଗତ ଇଭେଣ୍ଟରେ ଶ୍ରେଷ୍ଠ ସଫଳତା ହୋଇ ରହିଥିଲା ସେତେବେଳେ ରଚିତା ୧୧.୪୧ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏଠାରେ ରେସ୍‌ ପୂର୍ବରୁ ଟାଇଟଲ ଫେଭରାଇଟ ବିବେଚିତ ହେଉଥିବା ଚାଇନାର ଓ୍ବେଙ୍ଗଲି ଓ୍ବେଇ କିନ୍ତୁ ୧୧.୩୩ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ।

ଓଡ଼ିଶାର ଜଉନା ମୁର୍ମୁ ୪୦୦ ମିଟର ହର୍ଡଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ୫୯.୨୦ ସେକେଣ୍ଡ ସମୟ ନେଇଥିଲେ। ସୋମବାର ଏହି ଇଭେଣ୍ଟର ଫାଇନାଲ ରେସ୍‌ ଅନୁଷ୍ଠିତ ହେବ।

Comment