ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଭିନ୍ନ ମୋଡ଼ ନେଲା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତର ମୃତ୍ୟୁ ଘଟଣା। ଏହି ମୃତ୍ୟୁ ପଛରେ ପୋଲିସର ହାତ ଥିବା ପରିବାର ଲୋକ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଆଜି ମହାକାଳପଡ଼ା ଥାନାରେ ପହଞ୍ଚିଛନ୍ତି।

ଚୋରି କରିବା ଅଭିଯୋଗରେ ମହାକାଳପଡ଼ା ଥାନା ପୋଲିସ ଅଭିଯୁକ୍ତ ମୁଷାକୁ ଗିରଫ କରିଥିଲା। କିନ୍ତୁ ଅଭିଯୁକ୍ତ ଥାନାରୁ ଫେରାର ହୋଇଯାଇ ମହାକାଳପଡା ଗାଁ ମଧ୍ୟରେ ଥିବା ଜନୈକ ବ୍ୟକ୍ତିଙ୍କ ଘର ଶିଡି ତଳେ ବେକରେ ରସି ଲଗାଇ ଝୁଲି ଯାଇଥିଲା। ଏହାକୁ ପୋଲିସ ଆତ୍ମହତ୍ୟା କହୁଥିବା ବେଳେ ପରିବାର ଲୋକ କିନ୍ତୁ ପୋଲିସ କଥାରେ ଏକମତ ହୋଇ ନଥିଲେ। ମହାକାଳପଡ଼ା ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ପିଟିପିଟି ହତ୍ୟାକରି ଶିଡି ଘରେ ଝୁଲାଇ ଦେଇଥିବା ମୃତ ଯୁବକଙ୍କ ପରିବାର ଓ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ।

ମୃତକଙ୍କ ପରିବାର ପକ୍ଷରୁ ଏନେଇ ମହାକାଳପଡ଼ା ଥାନା ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିଲା। ଜଣେ ବରିଷ୍ଠ ଡିଏସପିଙ୍କୁ ଏହାର ତଦନ୍ତ ଭାର ଦେଇଥିଲେ କେନ୍ଦ୍ରାପଡା ଏସପି।

କିନ୍ତୁ ଏହି ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ ଦ୍ୱାରା କରିବାକୁ ଲୋକେ ଦାବି କରି ଆସୁଥିଲେ। ଆଜି ଏହି ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି।

ମହାକାଳପଡ଼ା ଥାନା ଚଡ଼େଇଗୁଆଁ ଗାଁରେ ଭଡ଼ାଘରେ ରହୁଥିବା ଶାନ୍ତିଲତା ସାମଲ ନାମକ ଜଣେ ମହିଳାଙ୍କ ଘରୁ ଗତ ଏପ୍ରିଲ ୨୮ ତାରିଖରେ  କିଛି ସୁନା ଗହଣା ଓ ଦୁଇଟି ମୋବାଇଲ୍ ଫୋନ ଚୋରି ହୋଇଥିଲା। ଶାନ୍ତିଲତା ଏନେଇ ଅଭିଯୋଗ କରିଥିଲେ। ଏହି ଚୋରିରେ ମାର୍ଶାଘାଇ ଥାନା ବାଲଣା ଗାଁର ମୁଷା ଓରଫ ଅବିନାଶ ପାଇଟାଳ ନାମକ ଜଣେ ଯୁବକ ପୋଲିସର ସ୍କାନରକୁ ଆସିଥିଲେ। ପୋଲିସ ମୁଷାକୁ ଧରିବାକୁ ପୋଲିସ ବହୁ ଚେଷ୍ଟା କରି ବିଫଳ ହୋଇଥିଲା।

ଗତ ୨୫ ତାରିଖରେ ମାର୍ଶାଘାଇ ଥାନା କେନାଲ ନିକଟରେ ପୋଲିସ ହାବୁଡରେ  ପଡ଼ିଥିଲା ମୁଷା। ସେ ଦିନ ପୋଲିସ ମୁଷାକୁ ଧରି ଚୋରି ଘଟଣାର ପର୍ଦ୍ଦାଫାସ କରିବାକୁ ମୁଷା ଉପରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିଲା।  ଥାନା ହାଜତରେ ରହିଥିବା ମୁଷାକୁ ଥାନାବାବୁ ଶ୍ୟାମଘନ ବେହେରା ରାତିରେ ନିଜ ସରକାରୀ ବାସଭବନ ମଧ୍ୟକୁ ଡକାଇନେଇ ପିଟାମରା କରିଥିବାର ଅଭିଯୋଗ ହୋଇଥିଲା। ପୋଲିସର ଥାର୍ଡ ଡିଗ୍ରୀ ଯୋଗୁ ମୁଷା ଆହତ ହୋଇଥିଲା। ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ମୁଷାକୁ ପୋଲିସ ମଧ୍ୟ ଚିକିତ୍ସା କରାଇଥିଲା। ତାପରେ ପୋଲିସ ହାତରୁ ମୁଷା ଚମ୍ପଟ ମାରିଥିବା ଚର୍ଚ୍ଚା ହେଲା। ତା’ପରଦିନ ସକାଳୁ ମହାକାଳପଡ଼ା ଗାଁର ହଳଧର ମଳିକଙ୍କ କୋଠାଘର ଶିଡ଼ି ଘରେ ମୁଷା ବେକରେ ଫାସି ଦେଇ ଝୁଲୁଥିବାର ପରିବାର ଲୋକେ ଥାନାକୁ ଖବରଦେଇଥିଲେ।

ଏହି ଖବର ମୁଷାଙ୍କ ଗାଁରେ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଥିଲେ। ଟାୟାର ଜାଳି ଜମ୍ବୁ ମାର୍ଶାଘାଇ ରାସ୍ତାରୋକ କରିଥିଲେ। ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।

ମୃତକ ଅବିନାଶଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ୨ଲକ୍ଷ ୧୦ ହଜାର ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣା କରିବା ସହିତ ମୁତକଙ୍କ ବିଧବା ପତ୍ନିଙ୍କୁ ଗୃହରକ୍ଷୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା।

ପୋଲିସ ମାଡ଼ରେ ଅବିନାଶଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ କ୍ରମେ ମହାକାଳପଡ଼ା ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୨, ୩୪୨, ୩୨୩ ଓ ୩୪ ଦଫାରେ ଏକ ମାମଲା ରୁଜୁ କରିଥିଲା।

କେନ୍ଦ୍ରାପଡ଼ା ଏସ୍‌ପି ଘଟଣା ସମ୍ପର୍କରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଦୃଷ୍ଟିକୁ ଆଣିଥିଲେ। ପୋଲିସ ମହା ନିର୍ଦ୍ଦେଶକ ଆର୍ ପି ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ମହାକାଳପଡ଼ା ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କୁ ନିଲମ୍ବିତ କରାଯାଇଛି। ପୋଲିସ ମାଡ଼ରେ ଗୁରୁତର ହୋଇଥିବା ଅବିନାଶ କିପରି  ଶିଡି ଘରେ ବେକରେ ଫାସି ଦେଇ ଝୁଲୁଥିଲା ତାକୁନେଇ ପ୍ରଶ୍ନବାଚୀ ଉଠିଛି।

ଏହି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ମହାକାଳପଡ଼ା ଥାନାରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍। କ୍ରାଇମବ୍ରାଞ୍ଚର ବରିଷ୍ଠ ଡିଏସପି ଆଲୋକ ଦାସ ଓ ଇନ୍ସପେକ୍ଟର ତାପସ ପ୍ରଧାନ ଆଇଆଇସି ମନୋରଞ୍ଜନ ଚୌଧୁରୀ ଓ ଘଟଣା ଦିନ ଉପସ୍ଥିତ ଥିବା ଥାନାର ସେଣ୍ଟ୍ରି ଓ ଡାଏରୀ ଚାର୍ଜ ଅଫିସରଙ୍କୁ ଡକାଇ ପ୍ରାଥମିକ ତଦନ୍ତ କରିଛନ୍ତି।

ଅବିନାଶଙ୍କୁ ଥାନା ହାଜତରୁ କେଉଁ ଆଡ଼େ ନିଆ ଯାଇଥିଲା ନା ନାହିଁ ସେ ଦିଗ ଉପରେ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ।

Comment