ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଚାଶ ହଜାର ଅବସରପ୍ରାପ୍ତ ନିଯୁକ୍ତିକୁ ହଟାଇବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହା ବହୁ ଆଗରୁ କରିବାର ଥିଲା ବୋଲି ମତ ପ୍ରକାଶ ପାଇଛି।

ବିଗତ ଚାରି ବର୍ଷ ମଧ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ହଜାରେ କି ଦୁଇ ହଜାର ନୁହେଁ ପଚାଶ ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଠିକା ନିଯୁକ୍ତି ଦିଆଯାଇଥିବା ବେଳେ ଏବେ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ପ୍ରଥମ କଥା ଏତେ ସଂଖ୍ୟକ ନିଯୁକ୍ତି ପାଇଁ ବାଟ କେମିତି ଖୋଲିଗଲା ? ଯେତେବେଳେ ନିୟମିତ ଚାକିରୀ ନପାଇ ଯୁବକମାନେ ହତାଶ ହୋଇପଡ଼ିଥିଲେ ସେମାନଙ୍କୁ ଏହି ନିଯୁକ୍ତି ଦିଆଯାଉଥିଲା। ଦ୍ୱିତୀୟ,ଏହି ନିଷ୍ପତ୍ତି ପଛରେ ରାଜନୈତିକ ମଞ୍ଜୁରୀ ଥିଲା ନା ଅଫିସର ସ୍ତରରେ ଏହା କରାଯାଇଥିଲା।

ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଭିନ୍ନ ବିଭାଗ ଓ ମୁଖ୍ୟ ଦପ୍ତରରେ ଯେଉଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ସେମାନଙ୍କୁ ତୁରନ୍ତ ଅବ୍ୟାହତି ଦିଆଯାଉ।

ଗତ ମାସରେ ସବୁ ବିଭାଗର ସଚିବମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଏହି ନିଷ୍ପତ୍ତି ହୋଇଥିଲା। ଏହା କରିବା ପଛରେ ଯୁକ୍ତି ହେଉଛି ଯେ ବିଭିନ୍ନ ପଦବୀ ପାଇଁ ନିୟମିତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା କାରଣରୁ ଠିକା ନିଯୁକ୍ତିକୁ ଗଡ଼େଇ ରଖିବାର କୌଣସି କାରଣ ନାହିଁ।

ଆସନ୍ତା ଦଶ ମାସ ମଧ୍ୟରେ ସରକାର୨୭ ହଜାର ଡାକ୍ତର, ପୋଲିସ ସବଇନ୍ସିପେକ୍ଟର, କନଷ୍ଟେବଳ, ଜୁନିଅର କିରାଣୀ, ରାଜସ୍ୱ ନିରୀକ୍ଷକ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଭେଟେରେନାରୀ ଡାକ୍ତର ଓ ଅଗ୍ନିଶମ ଅଧିକାରୀଙ୍କୁ ନିଯୁକ୍ତି ଦେବେ। ଏହି ପ୍ରକ୍ରିୟା ଇତି ମଧ୍ୟରେ ଆରମ୍ଭ ହୋଇଯାଇଛି।

୨୦୧୨ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ପାଇଁ ପ୍ରଥମେ ଉଦ୍ୟମ ଆରମ୍ଭ ହୋଇଥିଲା। ଏନେଇ ଏକ ନିୟମାବଳୀ ମଧ୍ୟ ତିଆରି କରାଯାଇଥିଲା।

ଜଗତିକରଣ ଓ ବଜାର ଅର୍ଥନୀତିର ପ୍ରଭାବ ଯୋଗୁଁ ସରକାରୀ କାର୍ଯ୍ୟାଳୟରେ ନୂଆ ଲୋକଙ୍କୁ ନିଯୁକ୍ତି ଦିଆଯିବା ପରିବର୍ତ୍ତେ କୁଶଳୀ ଓ ଅଭିଜ୍ଞତା ଥିବା କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ସମୟ ପାଇଁ ନିଯୁକ୍ତି ଦିଆଯିବାର ଆବଶ୍ୟକତା ରହିଛି ବୋଲି ଦର୍ଶାଇ ଦିଆଯାଇଥିଲା। କିନ୍ତୁ ୨୦୧୨ର ଏହି ନିୟମ ୧୯୯୯ର ଏକ ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ ଥିଲା।

Comment