ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ନଲେଜ ହବ୍‌ରେ ସମ୍ବଲପୁରର ଶେଷ କିସାନ ବଖାଣିଲେ ନିଜ ସଂଘର୍ଷର କାହାଣୀ।

ସଂଘର୍ଷ ଆଣେ ସଫଳତା। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସମ୍ବଲପୁରର ଏକ ଅଖ୍ୟାତ ଗାଁର ଯୁବକ ଶେଷ କିଶାନ୍। ପିଲାଦିନେ ମା’ଙ୍କୁ ହରାଇ ପଖାଳ, ଆମ୍ବୁଲ ଖାଇ ପାଠ ପଢ଼ିଥିବା ଶେଷ କିସାନ୍ ଆଜି ଜଣେ ବୈଜ୍ଞାନିକ ହୋଇ ପାରିଛନ୍ତି। ସେ ଆଜି ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ସଂଘର୍ଷରୁ ସଫଳତା ପାଇଥିବା ୨୪ ବର୍ଷର ଶେଷ କିସାନଙ୍କୁ ସଚିବାଳୟରେ ଅନୁଷ୍ଠିତ ଓଡ଼ିଶା ନଲେଜ ହବ୍ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ସେ ଏହି କାର୍ଯ୍ୟକ୍ରମରେ ସଚିବାଳୟର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ସୁବ୍ରତ ବାଗ୍‌ଚୀ ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତରେ ନିଜ ସଂଘର୍ଷର କାହାଣୀ ବଖାଣିଥିଲେ।

ରାଜ୍ୟ ସଚିବାଳୟରେ ଶେଷ କିସାନ କହିଥିବା ନିଜ ସଂଘର୍ଷ ସମ୍ପର୍କରେ ଭିଡିଓ କନଫରେନ୍ସିଂ କରାଯାଇଥିଲା। ଏହାକୁ ବିଭିନ୍ନ ବିଦ୍ୟାଳୟ ଏବହ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଦେଖିଥିଲେ।

ପିଲାଟି ଦିନରୁ ମାଆଙ୍କୁ ହରାଇଥିଲେ ଶେଷ କିସାନ। ସମ୍ବଲପୁରର ଏକ ଅଖ୍ୟାତ ଗାଁର ଆଦିବାସୀ ପରିବାରରେ ଜନ୍ମ। ସବୁଦିନିଆ ଖାଦ୍ୟ ଥିଲା ତାଙ୍କର ପଖାଳ ଓ ଆମ୍ବୁଲ। ଆଉ ଖାଇବା ବେଳେ ବାପାଙ୍କ ସବୁଦିନ ସେହି ଏକାକଥା- ଯଦି ଏ ପଖାଳ ଓ ଆମ୍ବୁଲର ଚକ୍ରବ୍ୟୁହରୁ ମୁକ୍ତି ପାଇବାକୁ ଚାହୁଁ, ତେବେ ଭଲ ପାଠ ପଢ଼।

ବାପାଙ୍କର ଏହି କଥା ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରେରଣାଦାୟୀ ଥିଲା। କେନ୍ଦୁପତ୍ର ଫଡ଼ିଠାରୁ ମାଟି କାମ ପର୍ଯ୍ୟନ୍ତ ସବୁ କାମ ତାଙ୍କୁ କରିବାକୁ ପଡ଼ିଥିଲା ପାଠ ପଢ଼ିବାକୁ, ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଓ ଅସୁସ୍ଥ ବାପାଙ୍କ ଚିକିତ୍ସା ଖର୍ଚ୍ଚ ଉଠାଇବାକୁ ସେ ଏସବୁ କରିଥିଲେ।

ଦୃଢ଼ ଇଛାଶକ୍ତି, ପ୍ରଚଣ୍ଡ ଆତ୍ମବିଶ୍ୱାସ ଓ କଠୋର ପରିଶ୍ରମ ଥିଲା ତାଙ୍କର ସମ୍ପତ୍ତି। ଏହାରି ବଳରେ ହିଁ ସେ ନବୋଦୟ ବିଦ୍ୟାଳୟରେ ସ୍ଥାନ ହାସଲ କରିପାରିଥିଲେ। କିଶାନଙ୍କ ଭାଷାରେ ‘ଛଡ଼ାଇ ଆଣିଥିଲି’। ନବୋଦୟରେ ମଧ୍ୟ ସେହି ସଂଘର୍ଷ। ସାଙ୍ଗମାନେ ଶୋଇବା ପରେ ରାତି ୧୧ଟା ପରେ ମହମବତୀ ଜାଳି ସାଙ୍ଗମାନଙ୍କ ବହି ପଢ଼ିବା, ମାଟ୍ରିକ ଓ ଯୁକ୍ତ ଦୁଇ ବିଜ୍ଞାନରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା, ନାଇଜର୍‌ରେ ପ୍ରଥମ ଉଦ୍ୟମରେ ଦେଶର ବେଷ୍ଟ ୬୦ ମଧ୍ୟରେ ସ୍ଥାନ ପାଇବା ତାଙ୍କ ସଂକଳ୍ପକୁ ଆହୁରି ଦୃଢ଼ କରିଥିଲା।

କିନ୍ତୁ ସେହି ବର୍ଷ (୨୦୧୨) ବାପାଙ୍କ ଦେହାନ୍ତ ତାଙ୍କ ସ୍ୱପ୍ନକୁ ଗଭୀର ଆଘାତ ଦେଇଥିଲା। ସଂଘର୍ଷକୁ ଜୀବନର ଆଧାର କରିଥିବା ଶେଷ କିନ୍ତୁ ହାରି ନଥିଲେ। ୨୦୧୩ରେ ପୁଣିଥରେ ନାଇଜର୍‌ରେ ପୂର୍ବଥର ଠାରୁ ଭଲ ରାଙ୍କ ରଖି କୃତକାର୍ଯ୍ୟ ହୋଇଥିଲେ ଏବଂ ନାମ ମଧ୍ୟ ଲେଖାଇଥିଲେ। ଏଠି ମଧ୍ୟ ସଂଘର୍ଷ ତାଙ୍କ ପିଛା ଛାଡ଼ି ନଥିଲା। ବାପାଙ୍କ ଚିକିତ୍ସା ପାଇଁ କରିଥିବା ଧାର ଶୁଝିବା ଏବଂ ହୃଦରୋଗୀ ଭଉଣୀର ଚିକିତ୍ସା ତାଙ୍କ ଆଗରେ ସମସ୍ୟା ହୋଇ ଦେଖାଦେଇଥିଲା।

ଶେଷ କିସାନ୍ କହିଛନ୍ତି, “କିଛି ବାହାନା ନ କରି ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ ଜାରି ରଖ। ମୋର ଏଇଟା ନାହିଁ, ସେଇଟା ନାହିଁ, ସେଥିଯୋଗୁଁ ମୁଁ ପାରିଲିନି ଇତ୍ୟାଦି ବାହାନା କରନାହିଁ। ସକରାତ୍ମକ ମନୋଭାବ ନେଇ ଆଗେଇଲେ ସଫଳତା ନିଶ୍ଚୟ ମିଳିବ।”

ନାଇଜର୍‌ରେ ଦିନସାରା କେବଳ ଗଜାମୁଗ ଖାଇ ପଇସା ସଞ୍ଚୟ କରି ପାଠ ପଢ଼ିବା ସହିତ ନିଜ ଭଉଣୀର ହୃଦ୍‌ରୋଗ ଚିକିତ୍ସା ଭାର ନିଜେ ବହନ କରିଥିଲେ ସେ। ସେମିଷ୍ଟର ସମୟରେ ଦୁଇ ଦୁଇ ଥର ବ୍ରେନ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମଧ୍ୟ ପରୀକ୍ଷାରେ ଟପ୍ପର ହୋଇ ନିଜର ପ୍ରତିଭାର ପରିଚୟ ଦେଇଛନ୍ତି। ଆଜି ଶେଷ କିସାନ ଜର୍ମାନିରେ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ।

ଶେଷଙ୍କ ଏହି ସଂଘର୍ଷମୟ ଯାତ୍ରା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଯଦି ବିଜୁବାବୁ ବଞ୍ଚିଥାନ୍ତେ ତେବେ ସେ ନିଶ୍ଚୟ ଗର୍ବ ଅନୁଭବ କରୁଥାନ୍ତେ। ଶେଷଙ୍କୁ ବିଜୁବାବୁଙ୍କ ଦୃଢ଼ ଆତ୍ମବିଶ୍ୱାସ ଭରା ଓଡ଼ିଶାର ଉଜ୍ଜଳ ଉଦାହରଣ।

Comment