ଓଡ଼ିଶାଲାଇଭ୍ ବ୍ୟୁରୋ

  • କଂଗ୍ରେସ ପକ୍ଷରୁ ଆଜି ଭାରତ ବନ୍ଦ
  • ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ଡାକରା
  • ଟାୟାର ଜାଳି ରାସ୍ତାରୋକ
  • ଟ୍ରେନ୍‌ ଚଳାଚଳ ବନ୍ଦ

ସମଗ୍ର ଭାରତ ଆଜି ବନ୍ଦ। ବାରମ୍ବାର ବଢୁଥିବା ପେଟ୍ରୋଲ ଓ ଡିଜେଲ୍ ଦର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ  ପିକେଟିଂ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଏହାଛଡ଼ା ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଜୋର୍‌ସୋର୍‌ ଦେଖିବାକୁ ମିଳିଛି।

ଭାରତ ବନ୍ଦର ପ୍ରଭାବ ରାଜଧାନୀ  ଭୁବନେଶ୍ୱରରେ ମଧ୍ୟ ପଡ଼ିଛି। ବାଣୀବିହାର ଛକରେ କଂଗ୍ରେସ କର୍ମୀଙ୍କ ପିକେଟିଂ କରିଛନ୍ତି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବସ୍ ଯାତାୟାତ ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି। ଯାହା ଫଳରେ ଜରୁରୀ କାମରେ ଆସିଥିବା ଅନେକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାସହ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରୁଛି ଏହି ଓଡ଼ିଶା ବନ୍ଦ ଡାକରା।

ଏହାବ୍ୟତୀତ କଟକ ବାଦାମବାଡ଼ିରେ ମଧ୍ୟ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। ସେହିଭଳି ସମ୍ବଲପୁର, ବଲାଙ୍ଗିର, ଭଦ୍ରକ, କଳାହାଣ୍ଡି, ଅନୁଗୋଳ, ନାଲୋକ ନଗର ଓ ସୋରରେ ମଧ୍ୟ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। ସମ୍ବଲପୁର ଷ୍ଟେସନ୍‌ରେ କଂଗ୍ରେସ କର୍ମୀ ରେଳ ରୋକ କରିଛନ୍ତି। ଫଳରେ ଷ୍ଟେସନ୍‌ରେ ସମ୍ବଲପୁର-ପୁରୀ, ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସ୍‌ ଆଦି ଅଟକି ରହିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କହିବାନୁସାରେ, “ଆମେ ଏହି ବନ୍ଦ ପାଳନକୁ ଶାନ୍ତିପୂର୍ଣ୍ଣ ଭାବେ କରୁଛୁ। ଓଡ଼ିଶାବାସୀ ଏହି ବନ୍ଦ ଡାକରାକୁ ସଂପୂର୍ଣ୍ଣ ଭାବେ ସମର୍ଥନ କରୁଛନ୍ତି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ତୈଳ ଦର ବୃଦ୍ଧି ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।”

ସେହିପରି କଂଗ୍ରେସର ବିରିଷ୍ଠ ନେତା ତଥା ଏମ୍‌ଏଲ୍‌ଏ ତାରା ବାହିନୀପତି କହିଛନ୍ତି, “ଯଦି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆମ କଥାକୁ କର୍ଣ୍ଣପାତ ନକରନ୍ତି, ତେବେ ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ।”

ଏହାବ୍ୟତୀତ ଔଷଧ ଦୋକାନ, ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡ଼ି ପ୍ରଭାବିତ ହେବେ ନାହିଁ ବୋଲି କଂଗ୍ରେସ କହିଛି। ଆଜି କଂଗ୍ରେସ ବିଧାୟକମାନେ ବିଧାନସଭା ଯିବେନି। ଅପରାହ୍ନ ୩ଟା ଯାଏ ବିଧାନସଭା ମୁଲତବି ରଖିବାକୁ କଂଗ୍ରେସ  ସରକାରଙ୍କୁ ଆହ୍ୱାନ ଦେଇଛି।

Comment