ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦେଶର ଅନେକ ସ୍ଥାନରେ ଭୂକମ୍ପର ଝଟକା
  • ଭୂକମ୍ପର ତୀବ୍ରତା ୫. ୬
  • ବିହାରରେ ଭୂକମ୍ପର ଜୋର୍‌ଦାର୍‌ ଝଟକା
  • ଭୂକମ୍ପ ଝଟକାରୁ ଭୟଭୀତ ହୋଇ ଘରୁ ବାହାରିଲେ ଲୋକେ

ଦେଶର ବିଭିନ୍ନ ଅଞ୍ଚଳରେ ଆଜି ଭୂକମ୍ପର ଜୋର୍‌ଦାର୍‌ ଝଟକା ଅନୁଭୂତ ହୋଇଛି। ବିଶେଷକରି ବିହାର, ପଶ୍ଚିମବଙ୍ଗ, ଆସାମ ଏବଂ ନାଗାଲାଣ୍ଡ ଆଦି ଇଲାକାରେ ଭୂକମ୍ପର ଜୋର୍‌ଦାର୍‌ ଝଟକା ଅନୁଭୂତ ହୋଇଛି। ଆସାମର କିଛି ଅଞ୍ଚଳରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ଥିଲା।

ଏହା ପୂର୍ବରୁ ହରିୟାନା ଏବଂ ଜମ୍ମୁ ଓ କଶ୍ମୀରରେ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି। ପ୍ରଥମ ଭୂକମ୍ପ ଜମ୍ମୁ ଓ କଶ୍ମୀରରେ ଭୋର୍ ପ୍ରାୟ ୫ଟା ୧୫ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା। ରିକ୍ଟର୍ ସ୍କେଲରେ ଏହାର ତୀବ୍ରତା ଥିଲା ୪. ୬। ଭାରତୀୟ ପାଣିପାଗ ସଂସ୍ଥାନ ମତରେ, ଉତ୍ତରକୁ ୩୫. ୬ ଡିଗ୍ରୀ ଅକ୍ଷାଂଶ ଓ ପୂର୍ବକୁ ୭୬. ୩ ଡିଗ୍ରୀ  ଦ୍ରାଘିମାରେ ଅନୁଭୂତ ହୋଇଥିବା ଏହି ଭୂକମ୍ପ ଭୂଗର୍ଭର ୧୯୯ କିଲୋମିଟର ଅଭ୍ୟନ୍ତରରେ ଉତ୍ପତ୍ତି ହୋଇଥିଲା।

ଅନ୍ୟ ଭୂକମ୍ପଟି ଭୋର୍ ୫. ୪୩ ମିନିଟରେ ହରିୟାନାର ଝାଜ୍ଜର୍‌ଠାରେ ଅନୁଭୂତ ହୋଇଛି। ରିକ୍ଟର୍ ସ୍କେଲରେ ଏହାର ତୀବ୍ରତା ଥିଲା ୩. ୧। ଭାରତୀୟ ପାଣିପାଗ ସଂସ୍ଥାନ ମତରେ, ଉତ୍ତରକୁ ୨୮. ୬ ଡିଗ୍ରୀ ଅକ୍ଷାଂଶ ଏବଂ ପୂର୍ବକୁ ୭୬. ୮ ଡିଗ୍ରୀ ଦ୍ରାଘିମାର ଭୂଗର୍ଭର ୫ କିଲୋମିଟର ଥିଲା ଏହାର କେନ୍ଦ୍ରସ୍ଥଳ। ଉଭୟ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।

ଭୂକମ୍ପର ଝଟକାର ଅନୁଭୂତ ହେବା କ୍ଷଣି ଲୋକମାନେ ଭୟଭୀତ ହୋଇ ଘର ଭିତରୁ ବାହାରି ରାସ୍ତାକୁ ପଳାଇ ଆସିଥିଲେ। ଆସାମର କୋକରାଝାର ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।

Comment