ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦାବି ଶୁଣିଲେନି ସରକାର। ଶେଷରେ ତେଜିଲା ଶିକ୍ଷକ ଆନ୍ଦୋଳନ। ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ବିଫଳ ହେବା ପରେ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ବ୍ଲକଗଗ୍ରାଣ୍ଟ ଶିକ୍ଷକମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ପିଏମଜି ରାସ୍ତାରେ ଶିକ୍ଷକମାନେ ଗଣେଶଙ୍କୁ ପୂଜା କରିଛନ୍ତି।

ଶଙ୍ଖ, ହୁଳହୁଳି, ଘଣ୍ଟ ବଜାଇ ବିଘ୍ନବିନାଶକ ଗଣେଶଙ୍କୁ ଆରାଧନା କରିଥିଲେ ଶିକ୍ଷକମାନେ।

“ସରକାର ଆମ ଦାବି ଶୁଣିଲେନି। ଦାବି ପୂରଣ ପାଇଁ ଗଣେଶଙ୍କ ନିକଟରେ ଆମେ ଗୁହାରୀ କରିଛୁ। ଆଶାକରୁଛୁ ଗଜାନନ ଆମ ଦୁଃଖ ଶୁଣିବେ। ସରକାର ଦାବି ପୂରଣ କରି ନଥିବାରୁ ଆନ୍ଦୋଳନ ଜୋରଦାର ହେବ” କହିଛନ୍ତି ସ୍କୁଲ କଲେଜ ମିଳିତ ମଞ୍ଚର ଆବାହକ ଗୋଲକ ନାୟକ।

“ମନ୍ତ୍ରୀ ସ୍ତରୀୟ ଆଲୋଚନାରେ ସରକାର ଆମ ଦାବି ପୂରଣ କରିବେ ବୋଲି ଆଶା ରହିଥିଲା। ଛାତ୍ରଛାତ୍ରୀଙ୍କ ଗହଣରେ ସ୍କୁଲରେ ଗଣେଶ ପୂଜା ମହାଆଡମ୍ବରରେ ପାଳନ କରିଥାନ୍ତୁ। କିନ୍ତୁ ତାହା ସମ୍ଭବ ହୋଇଫଶଣଇଲା ନାହିଁ”, କହିଛନ୍ତି ଶିକ୍ଷକ ଗଗନ ବେହେରା।

ଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ବୁଧବାର ବସିଥିଲା ମନ୍ତ୍ରୀସ୍ତରୀୟ ବୈଠକ। ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ଏହି ବୈଠକରେ। ଦୀର୍ଘ ସମୟର ଆଲୋଚନା ପରେ ସମାଧାନର ରାସ୍ତା କିଛି ବାହାରିଲା ନାହିଁ। ସରକାର ତିନି ମାସ ସମୟ ମାଗିଲେ। ଫଳରେ ଶିକ୍ଷକମାନେ ଏଥିରେ ରାଜି ହେଲେନି। ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନ ଜୋରଦାର ହୋଇଛି।

ସୋମବାରଠାରୁ ଶିକ୍ଷକମାନେ ଗାଁରେ ଆନ୍ଦୋଳନକୁ ବ୍ୟାପକ କରିବେ। ପ୍ରତି ପଞ୍ଚାୟତରେ ପଦଯାତ୍ରା କରିବା ପାଇଁ ଶିକ୍ଷକମାନେ କହିଛନ୍ତି।

୨୭ ଦିନ ହେଲା ଲୋୟର ପିଏମଜିରେ ଶିକ୍ଷକମାନେ ଧାରଣାରେ ବସିଛନ୍ତି। ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଦେବାକୁ ଶିକ୍ଷକମାନେ ଦାବି କରିଛନ୍ତି। ଦୁଇ ଦୁଇ ଥର ମନ୍ତ୍ରୀସ୍ତରୀୟ ବୈଠକ ବସିଥିଲେ ମଧ୍ୟ କିଛି ସୁଫଳ ମିଳୁନି।

ରବିବାର ଯାଏଁ ଶିକ୍ଷକମାନେ ରାଜଧାନୀ ଭୁବନେଶ୍ୱରରେ ଧାରଣରେ ବସିବେ। ସୋମବାରଠାରୁ ଶିକ୍ଷକମାନେ ପ୍ରତି ପଞ୍ଚାୟତରେ ପଦଯାତ୍ରା କରି ସଚେତନ କରିବେ।

ଶୁକ୍ରବାରଦିନ ଲୋୟର ପିଏମଜିରେ ଶିକ୍ଷକମାନେ ନୂଆଁଖାଇ ପାଳନ କରିବେ।

LEAVE A REPLY

Please enter your comment!
Please enter your name here