ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସହକର୍ମୀଙ୍କ ଉପରେ ସନ୍ଦେହ
  • ଇଞ୍ଜିନିୟରଙ୍କ ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ଛାଡ଼ିଦେଇ ଛୁ ସହକର୍ମୀ
  • ପୋଲିସର ତନାଘନା
  • ଡେରାବିଶ ଥାନାରେ ଠିକା କମ୍ପାନିର ୬ କର୍ମଚାରୀ ଅଟକ

କେନ୍ଦ୍ରାପଡ଼ା: ଘଟଣାଟି ଯେତିକି ଗମ୍ଭୀର ସେତିକି ସ୍ପର୍ଷକାତର ମଧ୍ୟ। ଶୁକ୍ରବାର ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗାଁ ନିକଟରେ ପ୍ରକାଶ ବେହେରା ନାମକ ଜଣେ ଯୁବ ଇଞ୍ଜିନିୟରଙ୍କୁ ତାଙ୍କ ସହକର୍ମୀମାନେ ଷଡ଼ଯନ୍ତ୍ର କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ହରିଦାସପୁର- ପାରାଦୀପ ନୂତନ ରେଳପଥ ନିର୍ମାଣ କାମକୁ ଠିକା ନେଇଥିବା  ଏଆରଏସ୍ଏସ୍ କମ୍ପାନି ଶିଭମ୍ କଣ୍ଡେଭ ପ୍ରାଇଭେଟ ଲିମିଟେଡ ନାମକ ଏକ ବିଦ୍ୟୁତ ଠିକା ସଂସ୍ଥାକୁ କାମ ଦେଇଥିଲେ। ଜଗତସିଂହପୁର ଜିଲ୍ଲା ବାଲିପାଟଣା ଗାଁର ପ୍ରକାଶ ବେହେରା ନାମକ ଜଣେ ଇଞ୍ଜିନିୟର ଏହି କମ୍ପାନିରେ କାମ କରୁଥିଲେ।

ଭୁବନେଶ୍ୱରର ଚକେଇସିଆଣଠାରେ ପରିବାର ନେଇ ପ୍ରକାଶ ରହୁଥିବା ବେଳେ ଏକ ବୋଲେରୋରେ ସାଥି କର୍ମଚାରୀମାନଙ୍କୁ ଧରି ଶୁକ୍ରବାର ପ୍ରକାଶ କେନ୍ଦ୍ରାପଡ଼ା ଜିଲ୍ଲାର ବଳଭଦ୍ରପୁର ନିକଟରେ ରେଲୱେ କାମର ତଦାରଖ କରିବାକୁ ଆସିଥିଲେ। ହେଲେ ହଠାତ୍ ଶୁକ୍ରବାର ରାତିରେ ପ୍ରକାଶଙ୍କୁ ତାଙ୍କର ସାଥି କର୍ମଚାରୀମାନେ ଆହତ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ପ୍ରକାଶଙ୍କ ଅବସ୍ଥା ସଂକଟାପନ୍ନ ଥିବା ଡାକ୍ତର କହିବାରୁ ପ୍ରକାଶଙ୍କ ଘରକୁ ଖବର ଦିଆଯାଇଥିଲା।

ପ୍ରକାଶଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ସହକର୍ମୀମାନେ କଟକର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ।  ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ପ୍ରକାଶଙ୍କର ମୃତ୍ୟୁ ହୋଇଯିବାରୁ ସହକର୍ମୀମାନେ ମୃତଦେହ ଛାଡ଼ି ଫେରାର ହୋଇଯାଇଥିଲେ। କିନ୍ତୁ ପ୍ରକାଶଙ୍କୁ କେନ୍ଦ୍ରାପଡ଼ାରୁ କଟକ ଓ ପରେ ଭୁବନେଶ୍ୱରକୁ ନିଆଯାଇଥିବା ଖବର ସହକର୍ମୀମାନେ ତାଙ୍କ ପରିବାରଙ୍କୁ ଦେଇ ନଥିଲେ।

ପରିବାର ଲୋକେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ପ୍ରକାଶଙ୍କୁ ନପାଇ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ। ତେବେ ପରିବାର ଲୋକ କୌଣସି ସୁତ୍ରରୁ ଜାଣିବାକୁ ପାଇଥିଲେ କି ପ୍ରକାଶଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ପଡ଼ିଛି।

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ କେଉଁମାନେ ପ୍ରାକଶଙ୍କୁ ଆଣିଥିଲେ ଓ ପ୍ରକାଶଙ୍କର କ’ଣ ହୋଇଥିଲା ତାହାର ସଠିକ ପ୍ରମାଣ ମିଳି ପାରିନାହିଁ। କୁହାଯାଉଛି ଯେ ଏକ ଜେସିବି  ଧକ୍କାରେ ପ୍ରକାଶ ଗୁରୁତର ହୋଇପଡ଼ିଥିଲେ। ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କୁହାଯାଉଛି।

ପ୍ରଶ୍ନ ଉଠୁଛି ପ୍ରକାଶ ଯଦି ଜେସିବି ଧକ୍କାରେ ଗୁରୁତର ଆହତ ହୋଇଥିଲେ ସେ ସମ୍ପର୍କରେ ସାଥି କର୍ମଚାରୀମାନେ ତାଙ୍କ ପରିବାରକୁ କାହିଁକି ଖବର ଦେଇନଥିଲେ? ପ୍ରକାଶଙ୍କୁ ବିଭିନ୍ନ ଡାକ୍ତରଖାନାକୁ ନେବା ପଛରେ କ’ଣ ରହସ୍ୟ ରହିଛି? ଶେଷରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହକୁ ଛାଡ଼ିଦେଇ କାହିଁକି ସାଥି କର୍ମଚାରୀମାନେ ଫେରାର ହୋଇଯାଇଛନ୍ତି? ଏହିସବୁ କାରଣ ପାଇଁ ପ୍ରକାଶଙ୍କ ପରିବାର ଲୋକଙ୍କର ସନ୍ଦେହ ବଢ଼ିବାରେ ଲାଗିଛି। ପ୍ରକାଶଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି।

ଘଟଣାଟି କେନ୍ଦ୍ରାପଡ଼ା ଡିଲ୍ଲା ଡେରାବିଶ ଥାନା ଅଞ୍ଚଳରେ ଘଟିଥିବାରୁ କ୍ୟାପିଟାଲ ଥାନା ପୋଲିସ ଅଭିଯୋଗ ସମ୍ପର୍କରେ ଡେରାବିଶ ଥାନାକୁ ଖବର ଦେଇଥିଲେ। ଡେରାବିଶ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଜେସିବିକୁ ଜବତ କରିଛି। ଏହା ସହିତ ଘଟଣାସ୍ଥଳରେ କାର୍ଯ୍ୟରତ ଅନ୍ୟ ୬ ଜଣ କର୍ମଚାରୀମାନଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

Comment