ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା

ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟା ମାମଲର ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀ ଏବେ ପୋଲିସ କବ୍‌ଜାରେ।

ବ୍ରହ୍ମପୁର ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଖୋଳତାଡ଼ ପରେ ବ୍ରହ୍ମପୁର ପୋଲିସ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ତଥା ହତ୍ୟାକାରୀ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଗିରଫ କରିଛି। ଭୁବନେଶ୍ୱରରୁ କିଲର୍ ଡାକ୍ତର ହୃଷିକେଶଙ୍କୁ ଗିରଫ କରିବା ପରେ ପୋଲିସ ଆଜି ତାଙ୍କୁ ଗୋପାଳପୁର ଅଞ୍ଚଳର ବଡ଼ଗୁମୁଳାକୁ ନେଇଛି।

କେମିତି ହତ୍ୟା ଷଡ଼ଯନ୍ତ୍ର କରିଥିଲେ ଏବଂ ବଡ଼ଗୁମୁଳାରେ ତିନିଗଡ଼ ହୋଇଥିବା ବିଷ୍ଣୁଙ୍କ ଶରୀରକୁ କେମିତି ପୋତିଥିଲେ ପୋଲିସ ଆଗରେ ଡାକ୍ତର ହୃଷିକେଶ ଡେମୋ ଦେଖାଇଛନ୍ତି ବୋଲି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏହି ହତ୍ୟାକାଣ୍ଡରେ ଡାକ୍ତରଙ୍କୁ ସହଯୋଗ କରିଥିବା ବିଧାନ ସେଠୀକୁ ମଧ୍ୟ ପୋଲିସ ଗିରଫ କରିଛି। ପୂର୍ବରୁ ମାଳି ଗଙ୍ଗାଧର ବେହେରାକୁ ମଧ୍ୟ ଗିରଫ କରାଯାଇଥିଲା। ଡାକ୍ତରଙ୍କୁ ଗିରଫ ପରେ ପୋଲିସ ହତ୍ୟାରେ ବ୍ୟବହୃତ ୨ଟି କାର, ଗୋଟିଏ ବୁଲେଟ ଓ ବ୍ଲେଡ ଜବତ କରିଛି।

ପୂରାପୂରି ଯୋଜନାବଦ୍ଧ ଭାବେ ହୃଷିକେଶ ଏହି ହତ୍ୟାକାଣ୍ଡ ରଚିଥିଲେ। ପୋଲିସକୁ ଚକ୍‌ମା ଦେଖାଇବା ପାଇଁ ହୃଷିକେଶ ପୂରା ଯୋଜନା କରିଥିଲେ। ଅତି ଚାଲାକର ସହ ପ୍ରଥମେ ଇଞ୍ଜକସନ ଦେଇ ଅଚେତ କରିବା ପରେ ବିଷ୍ଣୁଙ୍କ ପାଦ କାଟିଥିଲେ ଡାକ୍ତର ହୃଷିକେଶ। ଦେହରୁ ସବୁତକ ରକ୍ତ ପାଦ ପଟେ ନିଗିଡ଼ିଯିବା ପରେ ଗୋଟିଏ ଗୋଟିଏ ଅଂଶକୁ ଶରୀରରୁ ଅଲଗା କରିଥିଲେ କଂସେଇ ଡାକ୍ତର। ଗତ ସପ୍ତାହରେ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଥିଲା ପୋଲିସ। ହେଲେ ପୋଲିସକୁ ଚକ୍‌ମା ଦେଇ ଫେରାର ହୋଇଯାଇଥିଲେ ଡାକ୍ତର। ତାଙ୍କୁ ଗିରଫ କରିବା ପାଇଁ ତନଘନା କରିଥିା ପୋଲିସ।

ଅଗଷ୍ଟ ୧୯ ତାରିଖରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ। ଏହି ଦିନ ଡାକ୍ତର ତ୍ରିପାଠୀଙ୍କ ପତ୍ନୀ ଘରେ ନଥିଲେ। ଏହି ସୁଯୋଗରେ ଡାକ୍ତର ବିଷ୍ଣୁଙ୍କୁ ତାଙ୍କ ଘରକୁ ଡାକିଥିଲେ। କ୍ଲୋରଫର୍ମ ସୁଙ୍ଘାଇ ବେହୋସ କରିବା ପରେ ପୁଣି ନିଶା ଇଞ୍ଜେକ୍ସନ ଦେଇ ସମ୍ପୂର୍ଣ୍ଣ ଭାବେ ନିସ୍ତେଜ କରିଦେଇଥିଲେ।ପରେ ବିଷ୍ଣୁଙ୍କ ପାଦ ଓ ଦୁଇଟି ଗୋଡ଼କୁ ଅଲଗା କରି ଦେଇଥିଲେ ସଇତାନ ଡାକ୍ତର। ପରେ ଶରୀରରୁ ମୁଣ୍ଡ ଓ ହାତ ମଧ୍ୟ ଅଲଗା କରିଥିଲେ ଡାକ୍ତର।

ରକ୍ତ ନିର୍ଗତ ବନ୍ଦ ହେବା ପରେ ପ୍ରଥମେ ଶରୀରକୁ ଏକ ଅଖାରେ ଭର୍ତ୍ତି କରିଥିଲେ। ପରେ ମୁଣ୍ଡ ଏବଂ ଗୋଡ଼ ଦୁଇଟିକୁ ଭର୍ତ୍ତି କରିଥିଲେ ଅଖାରେ। ଅଖାକୁ ନିଜ କାର ଡିକିରେ ରଖି ଏକ ନିକାଞ୍ଚନ ଅଞ୍ଚଳକୁ ପୋତିବାକୁ ନେଇଥିଲେ ବୋଲି ପୋଲିସ କହିଛି।

 ତ୍ରିକୋଣୀୟ ପ୍ରେମ!

ବ୍ରହ୍ମପୁରର ଏହି ନୃଶଂସ ହତ୍ୟାକାଣ୍ଡ ପଛରେ ପ୍ରେମ ସମ୍ପର୍କ ମୁଖ୍ୟ କାରଣ ବୋଲି କୁହାଯାଉଛି। ଜଣେ ନର୍ସଙ୍କ ପାଇଁ ଏଭଳି କାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି।

ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ବିବାହ କରିଥିଲେ ମଧ୍ୟ ନର୍ସ ମମତାଙ୍କ ପ୍ରେମ ଜାଲରେ ପଡ଼ିଥିଲେ। ୮ ବର୍ଷ ତଳୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏ ସମ୍ପର୍କରେ ବିଷ୍ଣୁଙ୍କ ପରିବାର ଲୋକେ ଜାଣିଥିଲେ।

ପରେ ନର୍ସ ଜଣକ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କ କ୍ଲିନିକରେ ଯୋଗ ଦେଇଥିଲେ। କ୍ଲିନିକରେ କାମ କରୁଥିବା ବେଳେ ଡାକ୍ତର ତ୍ରିପାଠୀ ଏବଂ ନର୍ସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ହେଲେ ବିଷ୍ଣୁ ମଧ୍ୟ ଏହି ନର୍ସଙ୍କୁ ଭଲ ପାଉଥିବା ଜଣାପଡ଼ିବା ପରେ ଡାକ୍ତର ରାଗରେ ଜଳିଥିଲେ। ଏମିତିକି ଡାକ୍ତର ଏବଂ ବିଷ୍ଣୁଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା।

ଡାକ୍ତର ଖଲ୍ଲିକୋଟ ଯାଇ ବିଷ୍ଣୁଙ୍କ ପରିବାର ଲୋକଙ୍କୁ ମଧ୍ୟ ଧମକାଇଥିଲେ। ଅଭିଯୋଗ ଥାନାରେ ପହଞ୍ଚିଥିଲା। ହେଲେ କୌଣସି ସମାଧାନ ହୋଇପାରି ନଥିଲା। ନର୍ସଙ୍କୁ ନେଇ ବିଷ୍ଣୁ ଓ ଡାକ୍ତରଙ୍କ ଭିତରେ ମହାଭରତ ସୃଷ୍ଟି ହୋଇଥିଲା। ହେଲେ ବିଷ୍ଣୁ ନର୍ସଙ୍କୁ ଛାଡ଼ିପାରି ନଥିଲେ। ଶେଷରେ ନର୍ସଙ୍କୁ ପାଇବା ପାଇଁ ଡାକ୍ତର ବିଷ୍ଣୁଙ୍କୁ ହଟାଇବା ଲାଗି ଯୋଜନା କଲେ।

ବ୍ୟାଙ୍କ ଏଜେଣ୍ଟ  ବିଷ୍ଣୁ ଗୌଡ଼ ନିଖୋଜ ଘଟଣା ଥାନାରେ ପହଞ୍ଚିଥିଲା। ଏଥିରେ ଡାକ୍ତର ଏବଂ ନର୍ସଙ୍କ ହାତ ଥିବା ଅଭିଯୋଗ କରିଥିଲେ ପରିବାର ଲୋକ। ପୁଲିସ ଅଭିଯୋଗ ପାଇବା ପରେ ଡାକ୍ତର ଏବଂ ନର୍ସଙ୍କୁ ଡାକି ଜେରା କରିଥିଲା। ଦୀର୍ଘ ୧୦ ଦିନ ଧରି ପୋଲିସ ଜେରା କରିଥିଲେ ସୁଦ୍ଧା ଡାକ୍ତରଙ୍କଠାରୁ କୌଣସି ସୁରାଗ ପାଇପାରିନଥିଲା।

ଏପରିକି ଡାକ୍ତର ନିଜକୁ ଜଣେ ଡାଇବେଟିସ ଏବଂ ବ୍ଲଡପ୍ରେସର ରୋଗୀ ବୋଲି କହିଥିଲେ। ତେଣୁ ପୋଲିସ ଡାକ୍ତରଙ୍କ ଉପରେ କୌଣସି ଚାପ ପକାଇବା ପାଇଁ  ମଧ୍ୟ ସାହସ କରିନଥିଲା।

ଏଣେ ଡାକ୍ତରଙ୍କୁ ଛାଡ଼ି ଦେବା ପାଇଁ ସହରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ପୋଲିସକୁ ଅନୁରୋଧ କରିଥିଲେ। ଫଳରେ ଡାକ୍ତର ଖସି ଆସିଥିଲେ। ପରେ ଡାକ୍ତର ସହର ଛାଡ଼ି ଫେରାର ହୋଇଯାଇଥିଲେ।

Comment