ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଅଡ଼ୁଆ ସୂତାରେ ଛନ୍ଦି ହୋଇଯାଇଛି ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ିବା ପ୍ରସଙ୍ଗ। ମୁହାଁମୁହିଁ ହୋଇଛନ୍ତି ବୈଜୟନ୍ତ ଏବଂ ପ୍ରଶାସନ।

ରହସ୍ୟ ଓ ରୋମାଞ୍ଚଭରା କାହାଣୀ ପରି ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ିବା ପ୍ରସଙ୍ଗ କୁହେଳିକା ସୃଷ୍ଟି କରିଛି। ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ିବା ପରେ ବିବାଦରେ ଫସିଛନ୍ତି ବୈଜୟନ୍ତ। ବୈଜୟନ୍ତ ଏବଂ ପ୍ରଶାସନ ମୁହାଁମୁହିଁ ହୋଇଥିଲେ ମଧ୍ୟ ଘଟଣା ଉପରୁ ପରଦା ହଟୁନି।

ହେଲିକପ୍ଟର ଉଡ଼ିବାକୁ ନେଇ ମହାଭାରତ ସୃଷ୍ଟି ହୋଇଥିଲେ ମଧ୍ୟ ବୈଜୟନ୍ତ କୌଣସି ସଠିକ୍ ସ୍ପଷ୍ଟୀକରଣ ଦେଉ ନାହାନ୍ତି। ପ୍ରକୃତରେ ସେ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ଦୁଇ ସହଯାତ୍ରୀଙ୍କୁ ନେଇ ହେଲିକପ୍ଟର ଉଡ଼ାଇଥିଲେ କି ନାହିଁ ତାହା ସ୍ପଷ୍ଟ କରୁ ନଥିବାରୁ ଘଟଣା ଭିନ୍ନ ମୋଡ଼ ନେଇଛି। ଚିରାଚରିତ ଢଙ୍ଗରେ ବୈଜୟନ୍ତ ଅଧିକାରୀଙ୍କୁ ଟାର୍ଗେଟ କରି ଘଟଣାକୁ ଆହୁରି ଜଟିଳ କରିଛନ୍ତି। ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି।

ଚିଲିକାରେ ଉଡ଼ିଥିଲା କି ହେଲିକପ୍ଟର?

ସେପ୍ଟେମ୍ବର ୧୫ ତାରିଖରେ ଅପରାହ୍ଣ ସାଢ଼େ ୧ଟା ବେଳେ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ିଥିବା ପ୍ରଶାସନ ଦାବି କରୁଛି। ହେଲେ ବୈଜୟନ୍ତ ହେଲିକପ୍ଟର ଏବଂ ଚିଲିକା ପ୍ରସଙ୍ଗରେ କୌଣସି ମନ୍ତବ୍ୟ ନଦେଇ ଓଡ଼ିଶା ସରକାରଙ୍କ ଅଧିକାରୀଙ୍କ ଉପରେ ଆଙ୍ଗୁଠି ଦେଖାଇ ଘଟଣାକୁ ଆହୁରି ଗୋଳିଆ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି।

ପ୍ରକୃତରେ ବୈଜୟନ୍ତ ପଣ୍ଡା ୧୫ ତାରିଖରେ ହେଲିକପ୍ଟର ଚଳାଇଥିଲେ କି? ସାଢ଼େ ୧ଟାରେ ତାଙ୍କ ହେଲିକପ୍ଟର ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ  ଉଡ଼ିଥିଲା କି? ହେଲିକପ୍ଟରରେ ତାଙ୍କ ସାଙ୍ଗରେ ଆଉ କିଏ ଥିଲେ କି? ସେହିଦିନ ବୈଜୟନ୍ତ ଅନ୍ୟ କେଉଁଆଡ଼େ ହେଲିକପ୍ଟର ନେଇ ଯାଇଥିଲେ କି? ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ବଢ଼ୁଥିଲେ ମଧ୍ୟ ବୈଜୟନ୍ତ କୌଣସି ସ୍ପଷ୍ଟୀକରଣ ଦେଉ ନାହାନ୍ତି।

ପ୍ରଶାସନ ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠିଛି। ଚିଲିକାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିଲେ ବି ସୁରକ୍ଷା କର୍ମୀ ଜାଣିପାରିଲେନି କାହା ହେଲିକପ୍ଟର ଚିଲିକା ଉପରେ ଉଡ଼ିଗଲା। ଏଣୁ ପ୍ରଶାସନ କେଉଁ ଆଧାରରେ ବୈଜୟନ୍ତଙ୍କ ଉପରେ ଆରୋପ ଲଗାଉଛି? ବୈଜୟନ୍ତ ଚିଲିକା ଯାଇଥିବା ସମ୍ପର୍କରେ କିଛି ପ୍ରମାଣ ପ୍ରଶାସନ ପାଖରେ ରହିଛି କି? ଯଦି ନଥିବ ତାହାଲେ ପ୍ରଶାସନ ଫସି ଯାଇପାରେ?

କ’ଣ ଥିଲା ପୂରା ଘଟଣା?

ଗତ ୧୫ ତାରିଖର ଘଟଣା। ଏହିଦିନ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ଏକ ଧଳା ରଙ୍ଗର ହେଲିକପ୍ଟର ଉଡ଼ୁଥିବା ଅଭିଯୋଗ ହୋଇଥିଲା। ଏପରିକି ଏହି ଅଞ୍ଚଳରେ ହେଲିପ୍ଟରକୁ ଅବତରଣ କରିବା ପାଇଁ ପାଇଲଟ୍ ଚେଷ୍ଟା କରୁଥିବା କୁହାଯାଇଥିଲା। ତେବେ ଏହି ହେଲିକପ୍ଟରଟି କାହାର ଏବଂ କେଉଁ ଉଦ୍ଦେଶ୍ୟରେ ଉଡ଼ୁଥିଲା ତାର କେହି ଟେର୍ ପାଇ ନଥିଲେ। ଏହାକୁ ନେଇ ଗତ ଦୁଇ ଦିନ ହେଲା ତନଘନା ଚାଲିଥିଲା।

ସୋମବାର ସନ୍ଧ୍ୟାରେ ନୋ ଫ୍ଲାଇଙ୍ଗ ଇକୋ ସେନ୍‌ସିଟିଭି ଏରିଆରେ ହେଲିକପ୍ଟର ଉଡ଼ିବା ସମ୍ପର୍କରେ ପୁରୀ ମେରାଇନ ଥାନାରେ ଏତଲା ଦେଇଥିଲେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ। ଏତଲା ଦେବାର ମାତ୍ର ୩ ଘଣ୍ଟା ଭିତରେ ପୋଲିସ ବୈଜୟନ୍ତଙ୍କ ହେଲିକପ୍ଟର ସିଜ୍ କରିଥିବା ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ହେଲିକପ୍ଟର ଚଳାଉଥିଲେ ବୈଜୟନ୍ତ। ଏଥିରେ ଦୁଇ ଜଣ ଯାତ୍ରୀ ଥିଲେ। ସେମାନେ ହେଲେ ଆରତୀ ଟିକୋ ସିଂହ ଏବଂ ଅଭିଜିତ ଆୟର ମିତ୍ର।

ଏହି ତିନି ଜଣଙ୍କୁ ପୋଲିସ ଆଜି ନୋଟିସ ଦେଇଛି। ବୁଧବାର ଦିନ ୧୨ଟା ସୁଦ୍ଧା ଥାନାରେ ହାଜର ହେବାକୁ ପୋଲିସ ନୋଟିସରେ କହିଛି। ହେଲେ ବୈଜୟନ୍ତ ଏହି ଘଟଣା ଉପରୁ ପରଦା ହଟାଉ ନାହାନ୍ତି। ସତ କ’ଣ ଏବଂ ମିଛ କ’ଣ ବୈଜୟନ୍ତ ସ୍ପଷ୍ଟ କରୁ ନଥିବାରୁ ଘଟଣାରେ ଟୁଇଷ୍ଟ ଆସିଛି।

କିଏ କହୁଛି ସତ?

ଚିଲିକାରେ ହେଲିକପ୍ଟର ଉଡ଼ିବାକୁ ନେଇ ବିବାଦ ବଢ଼ୁଛି। ମୁହାଁମୁହିଁ ହେଉଛନ୍ତି ବୈଜୟନ୍ତ ଏବଂ ପ୍ରଶାସନ। ଯେଉଁ ଅଫିସରଙ୍କୁ ଟାର୍ଗେଟ କରି ବୈଜୟନ୍ତ ଦୀର୍ଘ ଦିନ ଧରି ବିବାଦରେ ରହିଥିଲେ ଏବେ ସେହି ଅଫିସରଙ୍କୁ ବୈଜୟନ୍ତଙ୍କୁ ଘେରିବା ପାଇଁ ଏକ ସୁଯୋଗ ମିଳିଛି। ହେଲେ ବୈଜୟନ୍ତ ପ୍ରକୃତ କଥା ସାମ୍ନାକୁ ନଆଣି ସୋସିଆଲ ମିଡିଆରେ ବିଭ୍ରାନ୍ତ କଲା ଭଳି ତଥ୍ୟ ଦେଇ ଚାଲିଛନ୍ତି। ଯେଉଁଥିପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ବୈଜୟନ୍ତ ତାଙ୍କ ତାଜା ଟୁଇଟରେ କହିଛନ୍ତି ଯେ

-ପ୍ରଥମେ କୁହାଗଲା ଏହା ସି ପ୍ଲେନ୍

-୪୮ ଘଣ୍ଟା ପରେ ଏହାକୁ ହେଲିକପ୍ଟର କୁହାଗଲା

-ସାଢ଼େ ୧ଟାରେ ଏହା ନୋ ଫ୍ଲାଇଙ୍ଗ ଜୋନରେ ଲ୍ୟାଣ୍ଡ କରିଥିଲା

-ଏଟିସି ରେକର୍ଡ କହୁଛି ଯେ ସେହି ସମୟରେ ଏହା ଭୁବନେଶ୍ୱର ଏୟାରପୋର୍ଟର ପାର୍କିଂ ଅଞ୍ଚଳରେ ରହିଥିଲା

-ଚିଲିକାରେ ନୋ ଫ୍ଲାଇଙ୍ଗ ଜୋନ ନାହିଁ

-ବସ୍‌ ମଧ୍ୟ ସେହି ଅଞ୍ଚଳରେ ଉଡ଼ିଥିଲେ

ଏମିତି ଢଙ୍ଗରେ ଟୁଇଟ କରି ବୈଜୟନ୍ତ ଆଜି ପୁଣି ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ତୀର ମାରିଛନ୍ତି। ନିଜେ ଚିଲିକା ଯାଇଥିଲେ କି ନାହିଁ ସେ ଉପରେ କୌଣସି ଟିପ୍ପଣୀ ଦେଉ ନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ସେ ବସ୍‌କୁ ବାଣ ମାରି ରାଜନୀତିରେ ହଟଚମଟ କରିଛନ୍ତି।

ହେଲିକପ୍ଟରକୁ ନେଇ ରାଜନୀତି

ଚିଲିକାର ନୋ-ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗରେ ଅଡ଼ୁଆରେ ପଡ଼ିଛନ୍ତି ବୈଜୟନ୍ତ ପଣ୍ଡା। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଆଜି ଉଠିଛି ପଡ଼ିଛି ବିଧାନସଭା। ବୈଜୟନ୍ତଙ୍କ ଗିରଫ ଦାବିରେ ବିଜେଡି ସଭ୍ୟ ବିଧାନସଭାକୁ ତତାଇଛନ୍ତି। ଗୃହ ଭିତରେ ହଟ୍ଟଗୋଳ କରିବା ସହ ଗୃହ ବାହାରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ବୈଜୟନ୍ତ ବେଆଇନ୍ କାମ କରିଥିବାରୁ ତାଙ୍କୁ ବାନ୍ଧିବା ପାଇଁ ବିଜେଡି ଦାବି କରିଛି।

ଏପଟେ କଂଗ୍ରେସ ଏବଂ ବିଜେପି ବୈଜୟନ୍ତଙ୍କ ସମର୍ଥନ କରିଛନ୍ତି। ଗତବର୍ଷ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ଉଡ଼ିଥିଲା। ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

ସାତକୋସିଆରେ ଉଡ଼ି ଫସିଥିଲେ ବୈଜୟନ୍ତ

ହେଲିକପ୍ଟର ଉଡ଼ାଇବା ବୈଜୟନ୍ତଙ୍କର ସଉକ୍। ବୈଜୟନ୍ତ ହେଲିକପ୍ଟରରେ ବିଭିନ୍ନ ଅଞ୍ଚଳକୁ ଯାଇଥାନ୍ତି। ବିଶେଷକରି ବୈଜୟନ୍ତ ହେଲିକପ୍ଟର ନେଇ କେନ୍ଦ୍ରାପଡ଼ାରେ ତାଙ୍କ ସମର୍ଥକଙ୍କ ଗହଣରେ ଚା’ ପିଉଥିବା ବେଳେ ଭୁବନେଶ୍ୱରରେ ଆସି ଲଞ୍ଚ୍ କରିଥାନ୍ତି।

ଚିଲିକାର ନୋ ଫ୍ଲାଇଙ୍ଗ ଜୋନ ପରି ବୈଜୟନ୍ତ ୨୦୧୦ରେ ମଧ୍ୟ ସମାନ ବିବାଦରେ ଫସିଥିଲେ। ସାତକୋଶିଆ ଅଭୟାରଣ୍ୟରେ ଅଳ୍ପ ଉଚ୍ଚତାରେ ହେଲିକପ୍ଟର ଉଡ଼ାଇ ବୈଜୟନ୍ତ ଅଡ଼ୁଆରେ ପଡ଼ିଥିଲେ। ଏନେଇ ରାଜ୍ୟ ସରକାର ତଦନ୍ତ କରିଥିଲେ। ହେଲେ ବୈଜୟନ୍ତଙ୍କ ରାଜନୀତିକ ସଚିବ ସେତେବେଳେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିଥିଲେ।

ହେଲିକପ୍ଟର ବିବାଦକୁ ନେଇ ବୈଜୟନ୍ତ ଏବଂ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ବୈଜୟନ୍ତ ହେଲିକପ୍ଟର ଏବଂ ଚିଲିକା ପ୍ରସଙ୍ଗରେ କୌଣସି ଟିପ୍ପଣୀ ଦେଉ ନଥିବା ବେଳେ ପ୍ରଶାସନ ବୈଜୟନ୍ତଙ୍କୁ ଘେରିଛି। ଫଳରେ ହେଲିକପ୍ଟରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି। ପ୍ରଶାସନ ଏବଂ ବୈଜୟନ୍ତଙ୍କ ଭିତରେ ଉପୁଜିଥିବା ବିବାନ ଆଗକୁ କେଉଁ ମୋଡ଼ ନେଉଛି ତାହା ଅପେକ୍ଷା କରି ଦେଖିବାର କଥା।

Comment