ଓଡ଼ିଶାଲାଇଭ୍ ବ୍ୟୁରୋ

ମାଛ ଧରିବାକୁ ଯାଇ ସମୁଦ୍ର ମଝିରେ ଫସି ରହିଥିବା ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ କରି ଉଦ୍ଧାର କରାଯାଇଛି। ମତ୍ସଜୀବୀମାନେ ଗଞ୍ଜାମ ଜିଲ୍ଲା ସୁନାପୁର ନିକଟ ସମୁଦ୍ରରେ ଫସି ରହିଥିଲେ। ରାଜ୍ୟ ସରକାରଙ୍କ ଉଦ୍ୟମରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଛି।

ସୋମବାର ଦିନ ୧୧ ଜଣ ମତ୍ସଜୀବୀ ଡଙ୍ଗା ଧରି ମାଛ ଧରିବାକୁ ଯାଇଥିଲେ। ସମସ୍ତେ ଆଜି ଦିନ ୨ଟା ସୁଦ୍ଧା ମାଛ ଧରି ଘରକୁ ଫେରୁଥିଲେ। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ସମୁଦ୍ର ମଝିରେ ଅଚଳ ହୋଇପଡ଼ିଥିଲା। ସମସ୍ତେ ସେଠାରୁ ମୁକୁଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଫସି ରହିଥିବା ମତ୍ସ୍ୟଜୀବୀମାନେ ଫୋନ ଯୋଗେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଥିଲେ। ସରପଞ୍ଚ ଜିଲ୍ଲା ପ୍ରଶାସନକୁ ଘଟଣା ସମ୍ପର୍କରେ ଜଣାଇବା ପରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଇଥିଲା।

ଗଞ୍ଜାମ ଜିଲ୍ଲାପାଳ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନାଙ୍କ ସହ ଯୋଗାଯୋଗ କରି ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିବାକୁ ସହଯୋଗ ଲୋଡ଼ିଥିଲେ। ଏସଆରସି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପରେ ସନ୍ଧ୍ୟା ପ୍ରାୟ ୫ଟାରେ ଭୁବନେଶ୍ଵରରୁ ଏକ ହେଲିକପ୍ଟର ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିବାକୁ ଗଞ୍ଜାମ ଜିଲ୍ଲା ଅଭିମୁଖେ ବାହାରିଥିଲା। ତଟରକ୍ଷୀ ବାହୀନି ଜବାନମାନେ ସମସ୍ତ ୧୧ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ସମୁଦ୍ର କୂଳରେ ଛାଡ଼ିଥିଲେ।

Tags: #Resque #SRC #Airlift #Fisherman

Comment