ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଗୁଡୁଛି ସମୁଦ୍ରରୁ ମତ୍ସ୍ୟ ଉତ୍ପାଦନ ବ୍ୟବସ୍ଥା। କ୍ରମାଗତ କ୍ଷତି ସହୁଛନ୍ତି ବୋଟ୍ ମାଲିକ ଓ ମତ୍ସ୍ୟଜୀବୀମାନେ। କରୋନା କଟକଣାର ଲକଡାଉନ ଓ ସଟଡାଉନରେ ଅଧିକ ପ୍ରଭାବିତ ହୋଇଛି ମାଛଧରା ବ୍ୟବସ୍ଥା। ଫଳରେ ସମୁଦ୍ରରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଛଧରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ନିଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘ।

ମାଛଧରା ବନ୍ଦ ହେଲେ ପ୍ରଭାବିତ ହେବେ ରାଜ୍ୟର ପ୍ରାୟ ୧୦ ଲକ୍ଷ ମତ୍ସ୍ୟଜୀବୀ ପରିବାର। ଏହି ବ୍ୟବସାୟ ଉପରେ ସରକାରଙ୍କ ଦୃଷ୍ଟି ନଥିବାରୁ ଏହା ପ୍ରାୟ ୭ ବର୍ଷ ହେଲା ପ୍ରଭାବିତ ହେବାକୁ ଲାଗିଛି। ସରକାର ସହାୟତା ନକଲେ ମତ୍ସଜୀବୀମାନେ କ୍ଷତି ସହିବେ ବୋଲି ୫ ତାରିଖ ପାରାଦୀପ ମତ୍ସ୍ୟ ଉତ୍ପାଦନ ବନ୍ଦର ଆକ୍ସନ ଗୃହରେ ଏକ ଜରୁରୀ ବୈଠକରେ ପ୍ରକାଶ କରିଛି ମହାସଂଘ।

ଏହି ବୈଠକରେ ରାଜ୍ୟର ବିଶିଷ୍ଟ ମାଛଧରା ବେସଗୁଡିକର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ପାରାଦୀପ, ଧାମରା, ବଳରାମଗଡି, ବାହାବଳପୁର, ଖରିନାସୀ ଆଦି ଅଞ୍ଚଳରୁ ବହୁ ମତ୍ସ୍ୟଜୀବୀ ଓ ବୋଟ ମାଲିକମାନେ ଏହି ସମାବେଶରେ ସାମିଲ ହୋଇଥିଲେ। ଏହି ବୈଠକରେ ମହାସଂଘ ରାଜ୍ୟ ସରକାରଙ୍କ ନିକଟରେ ୪ ଟି ପ୍ରସ୍ତାବ ରଖିଛି।

ପ୍ରଥମ ପ୍ରସ୍ତାବ ହେଲା ସରକାର ବୋଟ୍ର ଇନ୍ଧନ ଡିଜେଲ ଉପରୁ ଭାଟ୍ ରିହାତି କରନ୍ତୁ। ଦେଶର ଅନ୍ୟାନ୍ୟ ରାଜ୍ୟ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ, ଗୋଆ ଆଦି ରାଜ୍ୟମାନେ ମତ୍ସ୍ୟଜୀବୀଙ୍କ ବୋଟରେ ଭରୁଥିବା ଇନ୍ଧନ ଡିଜେଲରୁ ୮ରୁ ୧୨ ଟଙ୍କା ପର୍ଯ୍ୟନ୍ତ ଭାଟ ରିହାତି କରୁଛନ୍ତି। ଓଡିଶା ସରକାର ଏହି ଭାଟ୍ ରିହାତି ଘୋଷଣା କରିବାକୁ ଦାବି ହୋଇଛି।

ଦ୍ଵିତୀୟ ପ୍ରସ୍ତାବ ହେଲା ଓଡିଶାରୁ ଉତ୍ପାଦିତ ମାଛଗୁଡିକୁ ଓଡିଶାର ମତ୍ସ୍ୟ ବ୍ୟବସାୟୀମାନେ ଦୀଘା ମାଛ ବ୍ୟବସାୟ କେନ୍ଦ୍ରକୁ ନେଇ ବ୍ୟବସାୟ କରୁଛନ୍ତି। ଆମ ରାଜ୍ୟରେ ଏହିପରି ଏକ ମତ୍ସ୍ୟ ବ୍ୟବସାୟ କେନ୍ଦ୍ର ପ୍ରତିଷ୍ଠା କରିବାକୁ ବହୁ ଆଗରୁ ଯେଉଁ ଦାବି ହୋଇ ଆସୁଅଛି ତାହା କାର୍ଯ୍ୟକାରୀ କରାଯାଉ। ପଶ୍ଚିମବଙ୍ଗ ଓ ଓଡିଶା ସୀମାର ଏକ ଜାତୀୟ ରାଜପଥ ପାର୍ଶ୍ଵରେ ଏହା କରାଯିବାକୁ ପ୍ରସ୍ତାବ ରହିଛି।

ତୃତୀୟଟି ହେଉଛି ରାଜ୍ୟର ସମସ୍ତ ମାଛଧରା ବେସ୍‌ରେ କୋଭିଡ୍ ପରୀକ୍ଷା ଓ ଚିକିତ୍ସା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଉ। କୌଣସି ମତ୍ସ୍ୟଜୀବୀଙ୍କର କରୋନାରେ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସରକାର ନିଷ୍ପତ୍ତି ନିଅନ୍ତୁ।

ଚତୁର୍ଥ ପ୍ରସ୍ତାବ ହେଉଛି ରୁଗ୍ଣ ହୋଇଆସୁଥିବା ଏହି ଶିଳ୍ପକୁ ପୁନଃ ଥଇଥାନ କରିବାକୁ ସରକାର ଏହାକୁ କ୍ଷୁଦ୍ରଶିଳ୍ପର ମାନ୍ୟତା ଦେଇ ଆର୍ଥିକ ପ୍ରତ୍ସାହନ ପ୍ରଦାନ କରନ୍ତୁ। ମତ୍ସ୍ୟଜୀବୀମାନଙ୍କର ଏହି ବ୍ୟବସାୟ ବଢାଇବାକୁ ବିନା ସୁଧରେ ଋଣ ଯୋଗାଇଦେବାକୁ ଦାବି କରିଛି ନିଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘ।

ସରକାର ଏହିସବୁ ଦାବିକୁ ବିଚାର ନକରିବା ପର୍ଯ୍ୟନ୍ତ ସମୁଦ୍ରରୁ ମାଛଧରା ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଛି ।

Comment