ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ସମୁଦ୍ର ଓ ନଦୀମୁହାଣରେ ଦୁଇମାସ ପରେ ଗୁରୁବାରଠାରୁ ପୁଣି ଆରମ୍ଭ ହେବ ମାଛ ଧରା। ଗତ ଏପ୍ରିଲ ୧୫ ତାରିଖରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ଯାଏଁ ସମୁଦ୍ରରେ ମାଛ ଧରା ଉପରେ ଲାଗିଥିବା କଟକଣାକୁ ଏବେ ହଟାଇ ଦିଆଯାଇଛି। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ମତ୍ସ୍ୟ ସମ୍ପଦ ମନ୍ତ୍ରାଳୟ ପକ୍ଷରୁ ମାଛ ଧରା ଉପରେ ଏହି କଟକଣା ଲଗାଯାଇଥିଲା।

ଏହି କଟକଣା ଅନୁସାରେ ୨ ମାସ ଯାଏଁ ଭାରତର ଉଭୟ ପୂର୍ବ ଓ ପଶ୍ଚିମ ତଟର ସମୁଦ୍ର ଓ ନଦୀମୁହାଣରେ ବଡ଼ ଡଙ୍ଗା ଓ ଟ୍ରଲର ମାଧ୍ୟମରେ ମାଛ ଧରାକୁ ବନ୍ଦ କରଯାଇଥିଲା। ପ୍ରଜନନ ଋତୁରେ ମାଛ ଯାଆଁଳଗୁଡ଼ିକର ସୁରକ୍ଷା ପାଇଁ ଏହି କଟକଣା ଲଗାଯାଇଥିଲା। ଏହି ସମୟରେ କେବଳ ଅଣଯାନ୍ତ୍ରିକ ଛୋଟ ଡଙ୍ଗାରେ ମାଛଧରାକୁ ଅନୁମତି ମିଳିଥିଲା।

ଅନ୍ୟପଟେ ଏହି କଟକଣାକୁ ଓଡ଼ିଶାର ବିଭିନ୍ନ ମତ୍ସ୍ୟଜୀବୀ ସଂଗଠନ ପକ୍ଷରୁ ବିରୋଧ କରଯାଇଥିଲା। ଓଡ଼ିଶା ମତ୍ସ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ମଧ୍ୟ ସେମାନେ ନିଜ ଦାବି ସଂପର୍କରେ ସରକାରଙ୍କୁ ଜଣାଇଥିଲେ। ଏହି କଟକଣାରେ କିଛି ପରିବର୍ତ୍ତନ ଆଣିବା ଓ ଦୁଇମାସ ମତ୍ସଜୀବୀଙ୍କୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସେମାନେ ଦାବି କରିଥିଲେ।

ମୌସୁମୀ ଆସିବାର ୨ ମାସ ପୂର୍ବରୁ ମାଛମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥାଏ। ମାଛମାନେ ଏହି ସମୟରେ ଅଣ୍ଡା ଦେଇଥାନ୍ତି। ମାଛ ଯାଆଁଳ ବଢ଼ିବାକୁ ୩ରୁ ୪ ମାସ ସମୟ ଲାଗିଥାଏ। ଏହି ସମୟରେ ସମୁଦ୍ରରେ ଟ୍ରଲର ଓ ବଡ଼ ବଡ଼ ମାଛଧରା ଡଙ୍ଗା ଚଳାଚଳ ଦ୍ଵାରା ଲକ୍ଷାଧିକ ମାଛ ଓ ଯାଆଁଳ ମରିଯାଆନ୍ତି। ଏଥିପାଇଁ କେନ୍ଦ୍ର ମତ୍ସ୍ୟ ସମ୍ପଦ ମନ୍ତ୍ରାଳୟ ପକ୍ଷରୁ ପ୍ରତିବର୍ଷ ଏପ୍ରିଲ ଓ ଜୁନ ମାସ ମଧ୍ୟରେ ୨ ମାସ ଯାଏଁ ଭାରତର ସବୁ ସମୁଦ୍ର ଓ ନଦୀ ମୁହାଣରେ ମାଛଧରା ଉପରେ କଟକଣା ଲଗାଯାଇଥାଏ।

Tags: #Fishing #OdishaCoast #FishConservation #FishingRestriction

 

Comment