ଓଡ଼ିଶାଲାଇଭ୍‌ ବ୍ୟୁରୋ 

ପୁରୀ: ଗତ ଅଗଷ୍ଟ ୯ ତାରିଖରେ ଏକ ମାଲେସିଆର ମାଲବାହୀ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିକା ରାଜହଂସ ନିକଟ ସମୁଦ୍ରରେ ଲାଗିଥିଲା। ଦୀର୍ଘଦିନ ଧରି ସେଠାରେ ପଡ଼ି ରହିବା ପରେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ମାଲେସିଆ ଜାହାଜକୁ ସ୍ଥାନାନ୍ତର ହୋଇଥିଲା। ସିଙ୍ଗାପୁରରୁ ଆସିଥିବା ଚିତା ନାମକ ଏକ ଜାହାଜ ମାଲେସିଆ ଜାହାଜକୁ ଟାଣି ନେଇ କୋଲକାତା ଯାଇଥିଲା। ‌ସେଠାରେ ଏହା ମରାମତି ହେବା ପରେ ମାଲେସିଆ ଫେରିଯିବାର ‌ଯୋଜନା ଥିଲା।

ଜାହାଜଟି ରାଜହଂସ ଉପକୂଳରୁ ସ୍ଥାନାନ୍ତର ହୋଇଥିଲା ସତ, ହେଲେ ଜାହାଜର କଣ୍ଟେନର୍‌ଟି ଏଠାରେ ରହିଯାଇଥିଲା। ଏବେ ଏହା ସମୁଦ୍ରରେ ପୋତି ହୋଇ ପଡ଼ିଛି। ବର୍ତ୍ତମାନ ଏହା ଚିଲିକା ପାଇଁ ସମସ୍ୟା ସୃଷ୍ଟି କରିଛି।

ଏହା ସମୁଦ୍ରରେ ବୁଡି ରହିବା ଦ୍ୱାରା ଚିଲିକାର ଜୈବ ବିବିଧତା ଓ ଜଳଜୀବ ପାଇଁ ଭୟଙ୍କର ବିପଦ ସୃଷ୍ଟି କରୁଥିବା ପରିବେଶବିତ୍‌ମାନେ ଅଭିଯୋଗ କରିଛନ୍ତି। ସେହିପରି ଚିଲିକା ଉପକୂଳକୁ ଅଣ୍ଡା ଦେବାକୁ ଆସିବାକୁ ଥିବା ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଏହା ଦ୍ୱାରା ପ୍ରଭାବିତ ହେବେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ କଣ୍ଟେନର‌୍‌ରେ ମାଡ଼ ହେବା ଭୟରେ ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ମଧ୍ୟ ଯାଇପାରୁ ନାହାନ୍ତି। ଗତ ୪ ମାସ ହେବ ସମୁଦ୍ରରେ ବୁଡ଼ି ରହିଥିବା ଏହି ବିଶାଳକାୟ କ‌ଣ୍ଟେନର୍‌କୁ କଢ଼ାଯାଇ ପାରୁନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ସ୍ଥାନୀୟ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Comment