ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଅସାନି’ ପାଇଁ ଅଶାନ୍ତ ରହିଛି ସମୁଦ୍ର। ରାଜ୍ୟରେ ଏହା ପ୍ରଭାବରେ ବର୍ଷା ସହ ପବନ ମଧ୍ୟ ବହୁଛି। ଆସନ୍ତା ମେ’ ୧୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇବ। ଏହି କାରଣରୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା। ନିର୍ଦ୍ଦେଶ ଖିଲାପ କରି ଯେଉଁମାନେ ସମୁଦ୍ର ମଧ୍ୟକୁ ଯିବେ ସେମାନଙ୍କ ବିରୋଧରେ ବିପର୍ଯ୍ୟୟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଆରସି କହିଛନ୍ତି।

ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ଥିଲେ ମଧ୍ୟ କିଛି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯାଉଛନ୍ତି। ବାତ୍ୟା ପାଇଁ ସତର୍କତା ଜାରି କରାଯାଇଥିଲେ ସୁଦ୍ଧା ଅନେକ ମତ୍ସ୍ୟଜୀବୀ ବେପରୁଆ ଭାବେ ସମୁଦ୍ର ଭିତରକୁ ଯାଉଥିବା ଦେଖିବାକୁ ମିଳୁଛି। ମଙ୍ଗଳବାର ମାଛ ଧରି ଫେରୁଥିବାବେଳେ ଗୋପାଳପୁର ଆର୍ଯ୍ୟପଲ୍ଲୀ ନିକଟରେ ୬ଟି ଡଙ୍ଗା ବୁଡ଼ି ଯାଇଥିଲା। ଏହି ଡଙ୍ଗାଗୁଡ଼ିକରେ ଥିବା ୬୦ ଜଣ ମତ୍ସ୍ୟଜୀବୀ ବୁଡ଼ିଯାଇଥିଲେ। କିନ୍ତୁ ନିଜ ପ୍ରଚେଷ୍ଟାରେ ସମସ୍ତେ କୂଳକୁ ଆସିଯାଇଥିଲେ।

ସମୁଦ୍ର ଅଶାନ୍ତ ଥିବାରୁ ଏହି ଅଘଟଣ ଘଟିଥିଲା। ଏଥିରେ ୬୦ ଜଣ ମତ୍ସ୍ୟଜୀବୀ ଅଳ୍ପକେ ରକ୍ଷା ପାଇଯାଇଥିବାବେଳେ ସମସ୍ତ ଡଙ୍ଗା, ଜାଲ ଏବଂ ମାଛ ଭାସି ଯାଇଛି। ଗତ ସୋମବାର ମଧ୍ୟ ଗଞ୍ଜାମ ଜିଲ୍ଲା ସୁନାପୁର ନିକଟ ସମୁଦ୍ର ମଝିରେ ଫସି ରହିଥିଲେ ୧୧ ଜଣ ମତ୍ସ୍ୟଜୀବୀ। ରାଜ୍ୟ ସରକାରଙ୍କ ଉଦ୍ୟମରେ ସମସ୍ତ ୧୧ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ କରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଥିଲା।

Tags: #Cyclone #Asani #SRC #Fisherman #Odisha #Sea

Comment