ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର: ଶ୍ମଶାନରେ ଶବ ସତ୍କାରକୁ ନେଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଧଡ୍ରାପାରା ଏବଂ ରାଇଘର ମାଛବଜାର ମଧ୍ୟରେ ଲାଗିଥିବା ଗଣ୍ଡଗୋଳ ଆଜି ଭିନ୍ନମୋଡ଼ ନେଇଛି। ପୋଲିସ ଗୁରୁବାର ରାତିରେ କିଛି ଲୋକଙ୍କୁ ଡାକି ଶବ ପୋତି ଦେଇଥିବାରୁ ମାଛବଜାରବାସୀ ରାଇଘର ବନ୍ଦ କରଥିଲେ।

ରାଇଘର – କୁନ୍ଦେଇ ରାସ୍ତାକୁ ଅବରୋଧ କରିଥିଲେ ଲୋକେ। ରାସ୍ତାରେ ଧାରଣା ଦେବାକୁ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା। ରାଇଘରରେ ଦୋକାନ ବଜାର ସବୁ ବନ୍ଦ ରହିଥିଲା।  ଶ୍ମଶାନ ପାଇଁ ଜାଗା ଦିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରାଇଘରରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ରାଇଘର ବଜାର ନିକଟରେ ଥିବା ଏକ ଶ୍ମଶାନରେ ଦୀର୍ଘ ବର୍ଷ ହେଲା ଅନୁସୂଚିତ ଜାତି ସମ୍ପ୍ରଦାୟର ଲୋକେ ଶବ ସତ୍କାର କରି ଆସୁଥିଲେ। କିନ୍ତୁ ଗତ ୬ମାସ ତଳେ ଶ୍ମଶାନ ନିକଟରେ ରହୁଥିବା ଧଡ୍ର।ପାରା ଗ୍ରାମବାସୀ ଉକ୍ତ ଶ୍ମଶାନକୁ କବଜାକୁ ନେଇ ଅନୁସୂଚିତ ଜାତି ସମ୍ପ୍ରଦାୟର ଲୋକମାନଙ୍କୁ ଶବ ସତ୍କାର କରିବାକୁ ଦେଇନଥିଲେ। ଏହାକୁ ନେଇ ସେତେବେଳେ ଆନ୍ଦୋଳନ ତୀବ୍ର ହୋଇଥିଲା। ଏହାପରେ ଅନୁସୂଚିତ ଜାତି ସମ୍ପ୍ରଦାୟର ପ୍ରାୟ ୨୦୦ରୁ ଅଧିକ ମହିଳା ଓ ପୁରୁଷ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଭେଟି ଏହି ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ। କିଛିଦିନ ତଳେ ତତ୍କାଳୀନ ତହସିଲଦାରଙ୍କୁ ଜିଲ୍ଲାପାଳ ତାରବାଡ଼ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତହସିଲଦାରଙ୍କ ବଦଳି ହୋଇଯିବାରୁ ଏହି ସମସ୍ୟାର ସମାଧାନ ହୋଇପାରି ନଥିଲା। ମଙ୍ଗଳବାର ରାତିରେ ପାର୍ବତୀ ହରିଜନ (୬୨) ଙ୍କ ହଠାତ ମୃତ୍ୟୁ ହୋଇଥିଲା।

ପାର୍ବତୀଙ୍କ ଶବ ସତ୍କାର କରିବା ପାଇଁ ରାଇଘର ମାଛ ବଜାର ନିକଟସ୍ଥ ଶ୍ମଶାନକୁ ପରିବାର ଲୋକେ ନେଇଯାଇଥିଲେ। ହେଲେ ଧଡ୍ରାପାରା ଗ୍ରାମବାସୀ ଶବ ଦାହ କରିବାକୁ ଦେଇନଥିଲେ। ସେଠାରେ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା। ଶବ ସତ୍କାର କରି ନପାରିବାରୁ ଶେଷରେ ପରିବାର ଲୋକେ ଓ ତାଙ୍କ ସମ୍ପର୍କୀୟ ରାସ୍ତାରେ ମୃତ ଦେହକୁ ରଖି ରାଇଘର-କୁନ୍ଦେଇ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପରେ ପୋଲିସ ପହଞ୍ଚି ବୁଝାସୁଝା କରିଥିଲା। ରାସ୍ତା ଅବରୋଧରୁ ହଟିଥିଲେ ଗ୍ରାମବାସୀ। କିନ୍ତୁ ସେହି ଶ୍ମଶାନରେ ଶବ ଦାହ କରିବାବୁ ଜିଦ ଧରି ପରିବାର ଲୋକେ ହନୁମାନ ମନ୍ଦିର ନିକଟରେ ମୃତଦେହ ରଖି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।

ଘଟଣାସ୍ଥଳରେ ତହସିଲଦାର ହଳଧର ଶବର, ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ପହଞ୍ଚି ଲୋକଙ୍କୁ  ବୁଝାଇବା ସତ୍ତ୍ୱେ ସେମାନେ ନିଜ ଜିଦରେ ଅଟଳ ରହିଥିଲେ।

Comment