ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦୁଇଦିନ ହେଲା ଆନ୍ଦୋଳନରେ ଅଗ୍ନିଶମ କର୍ମଚାରୀ
  • ୬ ଦଫା ଦାବି ନେଇ ଆନ୍ଦୋଳନ
  • ଗୋଟିଏ ଦିନରେ ତିନୋଟି ଅଘଟଣ
  • ଦଶପଲ୍ଲାରେ ଜଳିଗଲା ଘର
  • ସିମୁଳିଆରେ ଜଳିଗଲା କୁକୁଡ଼ା ଫାର୍ମ
  • ମୟୂରଭଞ୍ଜରେ କୂଅରେ ଖସିପଡ଼ି ଶିଶୁ ମୃତ
  • ଶୁଣିଲେନି ଅଗ୍ନିଶମ କର୍ମଚାରୀ

୬ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଗ୍ନିଶମ କର୍ମଚାରୀ। ଫଳରେ ରାଜ୍ୟରେ ନାହିଁ ନଥିବା ଅସୁବିଧା ଦେଖାଦେଇଛି। ନିଆଁ ଲାଗିଗଲେ ବି ଲିଭାଇବାକୁ ଯାଉ ନାହାନ୍ତି ଅଗ୍ନିଶମ କର୍ମଚାରୀ। ଆନ୍ଦୋଳନ ଯୋଗୁଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏବଂ ବାଲେଶ୍ୱର ଜିଲ୍ଲାର ସିମୁଳିଆରେ ଅଭାବନୀୟ ଘଟଣା ଘଟିଛି। ନିଆଁ ଲାଗି ଘର ଜଳି ଯାଇଥିଲେ ମଧ୍ୟ ରକ୍ଷା କରିବାକୁ ଯାଇ ନଥିଲେ ଅଗ୍ନିଶମ କର୍ମଚାରୀ।

ଦଶପଲ୍ଲା ସହରଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଶ୍ରୀରାମପୁର ଗାଁରେ ସୋମବାର ରାତିରେ ନିଆଁ ଲାଗିଥିଲା। ରାତି ପ୍ରାୟ ୧୨ଟାରେ ନିଆଁ ଲାଗିଥିଲା। ଗାଁ ଲୋକେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ହେଲେ କେହି ଆସିଲେନି। ନିଆଁ ଲିଭାଇବା ପାଇଁ ଗାଁ ଲୋକେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲେ। ତେବେ ନିଆଁକୁ ଆୟତ୍ତ କରିପାରିଲେନି। ଚାହୁଁଚାହୁଁ ନିଆଁ ୮ଟି ପରିବାରର ସବୁକିଛି ଉଜାଡ଼ି ଦେଲା।

ସିମୁଳିଆରେ ମଧ୍ୟ ଅନୁରୂପ ଅବସ୍ଥା। ସୋମବାର ରାତିରେ ନିଆଁ ଲାଗିବାରୁ କୁକୁଡ଼ା ଫାର୍ମ ଜଳି ଯାଇଛି। ଅଧିକାଂଶ କୁକୁଡ଼ା ପୋଡ଼ି ଯାଇଥିବାରୁ ବ୍ୟବସାୟୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ବି ଆନ୍ଦୋଳନ ଚାଲୁଥିବାରୁ କେହି ଆସିଲେନି।

ମୟୂରଭଞ୍ଜ ଜିଲ୍ଲାରେ ଜଣେ ଶିଶୁର ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ଡାକୋଇ ଗାଁର ଶିଶୁଟି ବାହାରେ ଖେଳୁଥିବା ବେଳେ କୂଅରେ ପଡ଼ିଯାଇଥିଲା। ତାକୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ହେଲେ ଆନ୍ଦୋଳନ ଯୋଗୁଁ କେହି ଆସିଲେନି। ଶେଷରେ ଶିଶୁଟିର ଜୀବନ ଚାଲିଯାଇଛି।

ଗୋଟିଏ ଦିନରେ ତିନି ତିନୋଟି ଅଘଟଣ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଦୁଇ ଦିନ ଧରି ସାରା ଜ୍ୟର ପ୍ରାୟ ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବାରୁ ଆକରଣରେ ଜୀବନ ଚାଲି ଯାଉଛି ଏବଂ ଘର ଉଜୁଡ଼ି ଯାଉଛି। ଏଥିପାଇଁ ସରକାର କାହିଁକି ଚୁପ୍ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଓଡ଼ିଶା ପୋଲିସ କର୍ମଚାରୀଙ୍କ ଭଳି ସମାନ ଦରମା, ଭତ୍ତା ପ୍ରଦାନ, ୮ ଘଣ୍ଟିଆ ଡ୍ୟୁଟି ପ୍ରଚଳନ, ନିଯୁକ୍ତି ଚାର୍ଟ ନିର୍ଘଣ୍ଟ କରିବା, ଖାଲି ପଦବୀ ପୂରଣ କରିବା, ଠିକା ନିଯୁକ୍ତି ଉଚ୍ଛେଦ କରିବାକୁ ଦାବି କରିଛି ସଂଘ। ଏହାସହ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବାକୁ ସଂଘ ଦାବି କରିଛି।

Comment