ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିଲା ବିଶାଳ ପଦଯାତ୍ରା।

ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ଏହି ଅବସରରେ ସକାଳ ୭ରୁ କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ କରି ଉତ୍କଳମଣ୍ଡପ ଅଭିମୁଖେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥର ପର୍ଯ୍ୟଟନ ଦିବସର ବିଷୟବସ୍ତୁ ରହିଛି “ଟୁରିଜିମ ଆଣ୍ଡ ଦି ଡିଜିଟାଲ ଟ୍ରାନ୍ସଫରେସନ୍।“

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଭୁବନେଶ୍ୱର ମୁନିସିପାଲଟି କର୍ପୋରେସନର ମେୟର ଅନନ୍ତ ନାରାୟଣ ଜେନା ପତାକା ହରାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ।

ଏହି ପଦଯାତ୍ରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ସେମାନଙ୍କର ସଂସ୍କୃତିର ଲୋକ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ପୁରୀ ଲୋକଙ୍କର କଳା ମଧ୍ୟ ଦେଖିବାକୁ ମିଳିଛି।

“ଗତ ୪ ବର୍ଷ ମଧ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିରେ ବିକାଶ ଘଟିଛି। କୋଣାର୍କ ଓ ଧଉଳି ଭଳି ପର୍ଯ୍ୟଟନସ୍ଥଳୀରେ ‘ଲାଇଟ ଆଣ୍ଡ ସାଉଣ୍ଡ ଶୋ’ ଅନୁଷ୍ଠିତ ହେଉଛି। ଭବିଷ୍ୟତରେ ଖଣ୍ଡଗିରିରେ ମଧ୍ୟ ‘ଲାଇଟ ଆଣ୍ଡ ସାଉଣ୍ଡ ଶୋ’ ଏବଂ ‘ଆର୍ନ୍ତଜାତୀୟ ବିମାନ ଉଡ଼ାନ’ ହେବା ପାଇଁ ଉଦ୍ୟମ ମଧ୍ୟ ରହିଛି।

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, “ସମଲେଶ୍ୱରୀ ମନ୍ଦିରରେ ‘ଲାଇଟ ଆଣ୍ଡ ସାଉଣ୍ଡ ଶୋ’ ପାଇଁ ପର୍ଯ୍ୟଟନ ବିଭାଗ ୯ କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟର ବିଭିନ୍ନ ମନ୍ଦିରର ସୁରକ୍ଷା ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ମଧ୍ୟ ରହିଛି ।”

ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି, ”ବିନ୍ଦୁ ସାଗରଠାରୁ ଆରମ୍ଭ କରି କେଦାର ଗୌରି ମନ୍ଦିର ପର୍ଯ୍ୟନ୍ତ କଳାର ପ୍ରଦର୍ଶନ ହେବାକୁ ଯାଉଛି। କାରଣ ଏପରି କଳାର ପ୍ରଦର୍ଶନ କରିବାଦ୍ୱାରା ପର୍ଯ୍ୟଟକମାନେ ଆମ ଇତିହାସ, ସଂସ୍କୃତି, ଭାଷା ବିଷୟରେ ଜାଣିପାରିବେ।”

“ପର୍ଯ୍ୟଟନର ସଚେତନତା ପାଇଁ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଛି। ଆର୍ନ୍ତଜାତୀୟ ବିମାନ ଉଡ଼ାନ ଅଧିକ ହେଲେ ପର୍ଯ୍ୟଟକମାନେ ଅଧିକ ଆକୃଷ୍ଟ ହେବେ। ପ୍ଲାଷ୍ଟିକ ବର୍ଜନ ହେବା ଦରକାର ଏବଂ ସ୍ୱଚ୍ଛତା ରହିଲେ ଓଡ଼ିଶା ଏକ ବୃହତ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇପାରିବ” ବୋଲି କହିଛନ୍ତି, ସ୍ୱସ୍ତି ଗ୍ରୁପ ସିଏମଡି ଜେ.କେ ମହାନ୍ତି।

ଏହାବ୍ୟତୀତ ଏହି ପଦଯାତ୍ରାରେ ବିଭିନ୍ନ ପର୍ଯ୍ୟଟନ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ।

Comment