ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ଜଷ୍ଟିସ ଦୀପକ ମିଶ୍ରଙ୍କ ସୁପ୍ରିମକୋର୍ଟରେ ଅନ୍ତିମ ଦିନ। ସେ ଶୁଣାଇଥିବା କେତୋଟି ଐତିହାସିକ ରାୟ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ମଙ୍ଗଳବାର ଚାକିରିରୁ ଅବସର ଗ୍ରହଣ କରୁଛନ୍ତି। ସୋମବାର ହେଉଛି ସର୍ବୋଚ୍ଚ ନ୍ୟାୟାଳୟରେ ତାଙ୍କର ଶେଷ ଦିନ। ଗାନ୍ଧି ଜୟନ୍ତୀ ଉପଲକ୍ଷେ ସୁପ୍ରିମକୋର୍ଟ ମଙ୍ଗଳବାର ବନ୍ଦ ରହିବ। ୩ ତାରିଖ ଅର୍ଥାତ୍ ବୁଧବାର ଦିନ ଜଷ୍ଟିସ ରଞ୍ଜନ ଗୋଗୋଇ ନୂଆ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ।

ନିୟମ ଅନୁଯାୟୀ, ଆଜି ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ୍ ମିଶ୍ରଙ୍କ ସହ ଭାବୀ ବିଚାରପତି ମଧ୍ୟ ପ୍ରଧାନ ବିଚାରପତିଙ୍କ କୋର୍ଟରେ ବସିଛନ୍ତି। ଜଷ୍ଟିସ ମିଶ୍ରଙ୍କ କାର୍ଯ୍ୟକାଳ ମୋଟ ୧୩ ମାସ ୬ ଦିନ ରହିଥିଲା।

ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ କେବଳ ଉଲ୍ଲେଖନୀୟ ଥିଲା ତାହା ନୁହେଁ, କେତୋଟି ଘଟଣାରେ ସେ ବିବାଦୀୟ ମଧ୍ୟ ହୋଇ ପଡ଼ିଥିଲେ। ଜଷ୍ଟିସ ମିଶ୍ର ଦେଇଥିବା ଗୁରୁତ୍ୱପୂର୍ଣ୍ଣ ରାୟ ଭିତରୁ କିଛି ଏଠାରେ ଉପସ୍ଥାପନ କରାଯାଇଛି।

ରାୟ ୧

ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଓ ଅନ୍ୟ ୪ ଜଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଧାର ମାମଲାରେ ଏକ ଐତିହାସିକ ରାୟ ଶୁଣାଇ ଏହାର ସାମ୍ବିଧାନିକ ବୈଧତାକୁ ବଜାୟ ରଖିଥିଲେ।

ରାୟ ୨

କେରଳର ସାବରୀମାଳା ମନ୍ଦିରରେ ସବୁ ବୟସର ମହିଳା ପ୍ରବେଶ କରି ପାରିବେ ବୋଲି ଅନ୍ୟ ଏକ ରାୟ ସେ ଦେଇଥିଲେ।

ରାୟ ୩

ପରକୀୟା ବା ବିବାହୋତ୍ତର ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରିବା ସମ୍ପର୍କିତ ରାୟ ସେ ପ୍ରକାଶ କରିଥିଲେ ଓ ସେହି ଅନୁସାରେ ଆଇପିସିର ଧାରା ୪୯୭କୁ ଉଚ୍ଛେଦ କରିଥିଲେ।

ରାୟ ୪

ଅଯୋଧ୍ୟା ମାମଲା: ମସଜିଦରେ ନମାଜ ପଢ଼ିବା ଇସଲାମ ଧର୍ମର ଅଭିନ୍ନ ଅଙ୍ଗ ବୋଲି କହିବାକୁ ଯାଇ ୧୯୯୪ର ଏକ କୋର୍ଟ ରାୟକୁ ସାମ୍ବିଧାନିକ ବେଞ୍ଚକୁ ପଠାଇବାକୁ ଜଷ୍ଟିସ ମିଶ୍ର ମନା କରିଦେଇଥିଲେ।

ରାୟ ୫

କୌଣସି ଅପରାଧ ମାମଲାରେ ଅଭିଯୁକ୍ତ ହୋଇଥିବା ଓ ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଦଣ୍ଡାଦେଶ ପାଇଥିବା ନେତା ନିର୍ବାଚନ ଲଢ଼ି ପାରିବେ ନାହିଁ ବୋଲି ଆସିଥିବା ଏକ ଜନ ସ୍ୱାର୍ଥ ମାମଲାକୁ ମଧ୍ୟ ସେ ଖାରଜ କରିଦେଇଥିଲେ।

ରାୟ ୬

ଜଷ୍ଟିସ ଦୀପକ ମିଶ୍ର ଓ ଅନ୍ୟ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ ଅନ୍ୟ ଏକ ମାମଲାକୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ ଯେଉଁଥିରେ ଆବେଦନକର୍ତ୍ତା ଯୁକ୍ତି କରିଥିଲେ ଯେ, ଦେଶ ତମାମ ବିଧାୟକ ଓ ସାଂସଦ କୌଣସି କୋର୍ଟରେ ପ୍ରାକ୍ଟିସ କରିପାରିବେ ନାହିଁ ଏହିଭଳି ନିୟମ କରାଯାଉ।

ରାୟ ୭

ଏସସି/ଏସଟିଙ୍କ କ୍ଷେତ୍ରରେ ସରକାରୀ ଚାକିରୀରେ ପଦୋନ୍ନତିକୁ ନେଇ ଥିବା ସନ୍ଦେହ ଦୂର କରିବାକୁ ଯାଇ ଏ ସମ୍ପର୍କିତ ରାସ୍ତା ସଫା କରିଦେଇଥିଲେ।

ରାୟ ୮

ଭିମା କୋରେଗାଓଁ ହିଂସା ମାମଲାରେ ୫ ଆକ୍ଟିଭିଷ୍ଟଙ୍କୁ ତାଙ୍କ କୋର୍ଟରୁ ଆଶ୍ୱସ୍ତି ମିଳିଲା ନାହିଁ।

ରାୟ ୯

ଯୌତୁକ ନିର୍ଯାତନା ମାମଲାରେ ପତି ଓ ତାଙ୍କ ପରିବାର ଲୋକଙ୍କୁ ତୁରନ୍ତ ଗିରଫ କରିବା ଘଟଣାରେ ଯେଉଁ କେତୋଟି ରିହାତି ମିଳୁଥିଲା ତାହାକୁ ଜଷ୍ଟିସ ମିଶ୍ର ଶେଷ କରିଦେଇଥିଲେ।

ରାୟ ୧୦

ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୭କୁ ଉଚ୍ଛେଦ କରି ସମଲିଙ୍ଗିକତାକୁ ସମର୍ଥନ ଜଣାଇଥିଲେ।

ବିବାଦ

ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ ଏକାଧିକ ଅଭିଯୋଗ ମଧ୍ୟ ଆସିଥିଲା ଓ ସେ ଢ଼େର ସମୟ ଧରି ଏହି ବିବାଦରେ ସେ ଛନ୍ଦି ହୋଇପଡ଼ିଥିଲେ। ଜାନୁଆରୀ ୧୨ ତାରିଖରେ ସୁପ୍ରିମକୋର୍ଟର ୪ ଜଣ ବିଚାରପତିଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ବିଚାରପତିଙ୍କ ପ୍ରଶାସନିକ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଯାଇଥିଲା।

ସୁପ୍ରିମକୋର୍ଟର ରୋଷ୍ଟର ବ୍ୟବସ୍ଥାକୁ ପ୍ରଭାବିତ କରିବା ପାଇଁ ଜଷ୍ଟିସ ମିଶ୍ର ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ତା’ଛଡ଼ା ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର କଟକରେ ଓକିଲାତି କରୁଥିବା ବେଳେ ମିଛ ଆଫିଡେଭିଟ ଦେଇ ଭୂମିହୀନ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଜମିକୁ ହଡ଼ପ କରିଥିବା ଅଭିଯୋଗ ଆସିଥିଲା।

ଆହୁରି ମଧ୍ୟ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣ ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ, ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କାଲିଖୋଙ୍କ ସୁଇସାଇଡ଼ ନୋଟରେ ମିଶ୍ରଙ୍କ ନାମ ଥିଲା।

LEAVE A REPLY

Please enter your comment!
Please enter your name here