ଭାସ୍କର ପରିଛା

ଓଡ଼ିଶାର ବାମପନ୍ଥୀ ଇତିହାସରେ ବନମାଳୀ ଦାସ ଏକ ଅତି ପରିଚିତ ବ୍ୟକ୍ତିତ୍ୱ। ୨୦୧୭ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ମାର୍କ୍ସବାଦ-ଲେନିନବାଦ ଉପରେ ବିଶ୍ୱାସ ରଖି ଚାଲିଥିଲେ। ତାଙ୍କର ହୃଦବୋଧ ହୋଇଥିଲା ଦିନେ ନା ଦିନେ ସମାଜବାଦର ନିଶ୍ଚୟ ବିଜୟ ହେବ। ନିଜକୁ ସେ କହୁଥିଲେ ଜଣେ ମଧ୍ୟମ ଧରଣର କର୍ମୀ। ହେଲେ ଜଣେ ବାମପନ୍ଥୀ ସଂଗଠକ ହିସାବରେ ଯେତିକି ପ୍ରଜାମଣ୍ଡଳ ଆନ୍ଦୋଳନର ଏକ ଅନିର୍ବାପିତ ଶିଖା ହିସାବରେ ମଧ୍ୟ ସେତିକି ତାଙ୍କୁ ଲୋକେ ଜାଣିଥିଲେ। ନୀଳଗିରି ଥିଲା ତାଙ୍କ ପରୀକ୍ଷାଗାର, କିନ୍ତୁ ଅବିଭକ୍ତ କମ୍ୟୁନିଷ୍ଟ ପାର୍ଟିର ମଧ୍ୟ ସେ ଥିଲେ ଜଣେ ସେକ୍ରେଟେରିଅଟ ସଦସ୍ୟ। କମ୍ୟୁନିଷ୍ଟ ବିଭାଜନ ପରେ ଅବଶ୍ୟ ସେ ସିପିଏମ ସହିତ ରହିବା ପାଇଁ ଚାହିଁଲେ। ସେଣ୍ଟ୍ରାଲ କମିଟିର ସଦସ୍ୟ, ସାମ୍ୟବାଦୀ ପତ୍ରିକାର ସମ୍ପାଦକ, ନକ୍ସଲ ଆନ୍ଦୋଳନର ବିରୋଧୀ, ଭାଗଚାଷୀଙ୍କ ପାଇଁ ଲଢ଼ିବା, ସିଲିଂ ବହିର୍ଭୁତ ଜମିର ଆବଣ୍ଟନ ସପକ୍ଷରେ ମୁହଁ ଖୋଲିବା, ଜଙ୍ଗଲ ଜମି ଉପରେ ଆଦିବାସୀଙ୍କ ଅଧିକାର ପାଇଁ ଲଢ଼େଇ, କୃଷି ଶ୍ରମିକଙ୍କ ଉପଯୁକ୍ତ ମଜୁରୀ ପାଇଁ ଆନ୍ଦୋଳନ, ଦୁଇ ଦୁଇ ଥର ବିଧାୟକ ରହିବା ଏ ସବୁ ଥିଲା ତାଙ୍କ ଜୀବନର ଗୋଟିଏ ଗୋଟିଏ ପର୍ଯ୍ୟାୟ ଓ ପରିଚୟ ମଧ୍ୟ।

ଭଲ କଥା ଯେ, ଏହିଭଳି ଏକ ବହୁମୁଖୀ ମଣିଷଙ୍କ ଆତ୍ମଜୀବନୀର ପ୍ରକାଶନ ପାଇଁ ଏକ ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଥିଲା ଓ  ତାଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ନୀଳଗିରିଠାରେ ଏହା ନିକଟରେ ଲୋକାର୍ପିତ ହୋଇଥିଲା। ‘କ୍ରମଶଃ’ ହେଉଛି  ଆତ୍ମଜୀବନୀର ଶୀର୍ଷକ। ନିଜେ ବନମାଳୀ ଦାସ ଚାହୁଁଥିଲେ ଏହି ନାମକରଣ।

‘ଶିକ୍ଷାସନ୍ଧାନ’ ଦ୍ୱାରା ପ୍ରକାଶିତ ଏହି ପୁସ୍ତକର ମୁଖବନ୍ଧରେ ସଂସ୍ଥାର ସଭାପତି ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଲେଖିଛନ୍ତି, ‘ଏ ଗୋଟିଏ ଜୀବନର କାହାଣୀ ନୁହେଁ, ଏହା ଏକ ସଂଘର୍ଷ-ବହୁଳ କାଳଖଣ୍ଡର ଉଜ୍ଜ୍ୱଳ ଚିତ୍ରପଟ।’ ବାସ୍ତବରେ ବନମାଳୀ ଦାସ ଥିଲେ ଜଣେ ସାଲିସହୀନ ସଂଗ୍ରାମୀ। କେଉଁ ସମସ୍ୟାର ସମାଧାନ କିଭଳି ହେବ ସେକଥା ସେ ଭଲ ଭାବେ ଜାଣିଥିଲେ। ସ୍ୱାଧୀନତା ପରେ ବି ବନମାଳୀ ଦାସଙ୍କୁ ଅନେକଥର ଜେଲ ଯିବାକୁ ପଡ଼ୁଥିଲା, ସେ ଥରେ ଦି ଥର ଅଣ୍ଡରଗ୍ରାଉଣ୍ଡ ହେବାର ଉଦାହରଣ ବି ଅଛି। ଏ ସବୁ କଥା ଆତ୍ମଜୀବନୀରେ ଆସିଛି ସତ କିନ୍ତୁ ଅତି ଚୁମ୍ବକରେ। ସ୍ୱର୍ଗତ ଚିତ୍ତରଞ୍ଜନ ଦାସଙ୍କୁ ଲେଖିଥିବା ୨୦୦୬ର ଏକ ପତ୍ରରେ ବନମାଳୀ ଦାସ କ୍ଷୋଭର ସହ ଲେଖିଥିଲେ ଯେ, ବନ୍ଧୁ ବର୍ଗଙ୍କ ଚାପ ସତ୍ତ୍ୱେ ନବକୃଷ୍ଣ ଚୌଧୁରୀଙ୍କ ଭଳି ସେ ଆତ୍ମଜୀବନୀ ଲେଖିବାକୁ କେବେ ବି ଇଛା କରୁନଥିଲେ ଓ ଏହା ପଛରେ ଏକ ତିକ୍ତ ଅନୁଭୂତି ବି ରହିଛି। ଖୁସିର କଥା ଯେ, ପ୍ରଥମ ଦୁଇଟି ବିଫଳ ପ୍ରଚେଷ୍ଟା ପରେ ତାଙ୍କ ଆତ୍ମଜୀବନୀ ପ୍ରକାଶ ପାଇଛି।

ଆତ୍ମଜୀବନୀଟିକୁ ସମ୍ପାଦନା କରିଛନ୍ତି ଡକ୍ତର ଚନ୍ଦନ କୁମାର ସିଂହ। ମାତ୍ର ଦୁଇ ଶହ ପୃଷ୍ଠାର ଆତ୍ମକଥା ଏଭଳି ଜଣେ ବହୁମୁଖୀ  ବ୍ୟକ୍ତିଙ୍କ ତମାମ ଜୀବନର ଘଟଣା ପାଇଁ ଆଦୌ ଯଥେଷ୍ଟ ନୁହେଁ। ହୁଏତ ଯଦି କେହି ତାଙ୍କ ଉପରେ ପୂର୍ଣ୍ଣାଙ୍ଗ ଜୀବନୀଟିଏ କେବେ ବି ଲେଖନ୍ତି ତାଙ୍କର ଘଟଣାବହୁଳ ଜୀବନର ପ୍ରତିଟି ଘଟଣା ଅଧିକ ବିସ୍ତୃତ ଭାବରେ ଲୋକଲୋଚନକୁ ଆସିପାରିବ।

ଜଣେ ଅବିରତ ସଂଗ୍ରାମୀ ଓ ତୃଣମୂଳ ସ୍ତରରୁ ଆସିଥିବାରୁ ଏହି ଆତ୍ମକଥାରେ ସେ ଏଭଳି ଅନେକ କଥା ଲେଖିଛନ୍ତି, ଯାହା ପଢ଼ିବାକୁ ରୋଚକ ଲାଗିବ। ଅବଶ୍ୟ ଏଥିରେ ଥିବା କିଛି କଥା ଅନ୍ୟମାନଙ୍କୁ ଭଲ ଲାଗିନପାରେ। କିନ୍ତୁ ତାହା ହିଁ ତ ଏକ ବାସ୍ତବ  ଆତ୍ମଜୀବନୀର ସ୍ୱତନ୍ତ୍ରତା। ଏହି ସ୍ପଷ୍ଟବାଦୀତା ହିଁ ଆଲୋଚ୍ୟ ଜୀବନୀ ପୁସ୍ତକର ମଞ୍ଜ। ପରିବାର, ସ୍କୁଲ ପଢ଼ା ବେଳର ଘଟଣା, ପ୍ରଜାମଣ୍ଡଳ ଆନ୍ଦୋଳନ, ବାମପନ୍ଥୀ ପର୍ଯ୍ୟାୟ ଆଦି ଜୀବନର ଯେଉଁସବୁ ଛୋଟ ଛୋଟ ଉପାଖ୍ୟାନ ସେ ଲେଖିଛନ୍ତି ତାହା କେବଳ ବିଗତ  ଇତିହାସକୁ ପୁଷ୍ଟ କରୁଛି ତାହା ନୁହେଁ, ଏଥିରୁ ସେହି ସମୟର ସାମାଜିକ ଜୀବନର ଏକ ସ୍ଥୂଳ ଚିତ୍ର ବି ଆମେ ପାଇପାରୁଛୁ।

ପୁସ୍ତକର ଏକ ଉଲ୍ଲେଖନୀୟ ଦିଗ ହେଉଛି ଜୀବନର ଛୋଟବଡ଼ ସବୁ ଘଟଣା ଓ ଚରିତ୍ରକୁ ଲେଖକ ଠାଏ ଠାଏ ମନେ ପକାଇଛନ୍ତି ଓ ତାଙ୍କ ସମୟର ଅନେକ ବ୍ୟକ୍ତିଙ୍କ କଥା ଲେଖିଛନ୍ତି – ସେ ନେତୃବର୍ଗ ହୁଅନ୍ତୁ କି ସଂଗ୍ରାମୀ ସାଥି ହୁଅନ୍ତୁ କି ସତୀର୍ଥ ହୁଅନ୍ତୁ। ଉଦାହରଣ ସ୍ୱରୂପ ବିପ୍ଲବୀ କବି ମନମୋହନ ମିଶ୍ରଙ୍କ ସମ୍ପର୍କରେ ସେ ଲେଖିଛନ୍ତି:

‘ଜଣେ ବିରାଟ ବ୍ୟକ୍ତିତ୍ୱ, ବିପ୍ଲବୀ, ଭାବୁକ ଓ ଚିନ୍ତାନାୟକ ଥିଲେ ମନମୋହନ। ସେ ଓଡ଼ିଶାରେ ଜନ୍ମ ନ ହୋଇ ବଙ୍ଗଳାରେ ଜନ୍ମ ହୋଇଥିଲେ ଜାତୀୟ ଜୀବନକୁ ତାଙ୍କର ଅବଦାନ ହୋଇପାରନ୍ତା ବହୁତ ବେଶୀ। ସେ ନଜରୁଲ ପ୍ରଭୃତିଙ୍କର ସମକକ୍ଷ ହୋଇପାରିଥାନ୍ତେ।’

ମନମୋହନ ମିଶ୍ରଙ୍କ ଭଳି ଆଉ ଯାହାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ବନମାଳୀ ଦାସ ସେମାନେ ହେଲେ ପ୍ରାଣବନ୍ଧୁ ଅଗସ୍ତି, ବିଜୟ ବାବୁ(?) ଓ ଭଗବତୀ ଚରଣ ପାଣିଗ୍ରାହୀ। ଭଗବତୀଙ୍କୁ ସେ ମାନୁଥିଲେ ଗୁରୁ।

ଭବିଷ୍ୟତରେ ଯେଉଁମାନେ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଏବଂ ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ଇତିହାସ ଲେଖିବା ପାଇଁ ଚାହିଁବେ, ସେମାନଙ୍କ ପାଇଁ ଏହି ଆତ୍ମଜୀବନୀଟି ଏକ ଅପରିହାର୍ଯ୍ୟ ପୁସ୍ତକ। ବନମାଳୀ ଦାସଙ୍କ ଭଳି ଜଣେ ସଂଗ୍ରାମୀ ମଣିଷଙ୍କ ଆତ୍ମକଥା ପ୍ରକାଶ କରିଥିବାରୁ ‘ଶିକ୍ଷାସନ୍ଧାନ’ ନିଶ୍ଚିତ ଭାବରେ ପ୍ରଶଂସାର ପାତ୍ର।

‘କ୍ରମଶଃ’

ଲେଖକ: ବନମାଳୀ ଦାସ

ପ୍ରକାଶକ: ଶିକ୍ଷାସନ୍ଧାନ

ଏନଡ଼ି-୭, ଭିଆଇପି ଏରିଆ, ଆଇଆରସି ଭିଲେଜ, ଭୁବନେଶ୍ୱର, ୨୦୧୮

ମୂଲ୍ୟ: ୧୮୦ ଟଙ୍କା

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment